ଓଡ଼ିଶାଲାଇଭ୍ ବ୍ୟୁରୋ

ଆସନ୍ତା ଜୁନ ୧୨ ତାରିଖରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ। ମ୍ୟାଚ ପାଇଁ ବାରବାଟୀ ଷ୍ଟାଡିୟମରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଆସନ୍ତା ଶୁକ୍ରବାର, ଜୁନ ୧୦ ତାରିଖରେ ଭୁବନେଶ୍ଵରରେ ପହଞ୍ଚିବେ ଖେଳାଳି। ଏହା ପୂର୍ବରୁ ଭୁବନେଶ୍ଵର ବିମାନବନ୍ଦରର ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଛି କମିଶନରେଟ ପୋଲିସ। ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ଖୋଦ ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚି ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଛନ୍ତି।

ଖେଳାଳିଙ୍କୁ କର୍ଡନ କରି ହୋଟେଲ ପର୍ଯ୍ୟନ୍ତ ନେବା ପାଇଁ ରୁଟ ମ୍ୟାପ ପ୍ରସ୍ତୁତ କରିଛି କମିଶନର ପୋଲିସ। ବିଭିନ୍ନ ସ୍ଥାନରେ ସାଦା ପୋଷାକରେ ପୋଲିସ ମୁତୟନ ରହିବେ। ଖେଳାଳିଙ୍କ ଆସିବା ପୂର୍ବରୁ ବିମାନବନ୍ଦର ଅଥରିଟିଙ୍କ ସହ ଆଲୋଚନା କରିଛନ୍ତି ଡିସିପି ପ୍ରତୀକ ସିଂ।

ପ୍ରଥମ ଥର ପାଇଁ ଭିଭିଆଇପି ଗେଟରେ ବାହାରିବେ ଉଭୟ ଦେଶର ଖେଳାଳି। ପୂର୍ବରୁ କାର୍ଗୋ ଗେଟ ଦେଇ ଖେଳାଳିମାନେ ବାହାରୁଥିଲେ। ଏଥିପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଭିଡ଼କୁ ଦୃଷ୍ଟିରେ ରଖି ବ୍ୟାରିକେଡ ବ୍ୟବସ୍ଥା କରାଯିବ। ସୁରକ୍ଷା ବ୍ୟବସ୍ଥାରେ ମୋଟ ୨୧ ପ୍ଲାଟୁନ ଫୋର୍ସ ମୁତୟନ ହେବେ। ବିମାନ ବନ୍ଦର ଅଥରିଟିଙ୍କ ସହ ଆଲୋଚନା ସମୟରେ କମିଶନରେଟ ପୋଲିସର ବରିଷ୍ଠ ଅଧିକାରୀ ଏବଂ ସିଆଇଏସଏଫର ଅଧିକାରୀମାନେ ଉପସ୍ଥିତ ଥିଲେ।

Tags: #Sports #Players #BhubaneswarDCP #HighSecurity #Match #Cricket #T20Match #BarabatiStadium

Comment