ଓଡ଼ିଶାଲାଇଭ୍ ବ୍ୟୁରୋ

ଦେଶରେ କୋଭିଡ ସଂକ୍ରମଣ ହାର କମିଛି। କିନ୍ତୁ ସମ୍ପୂର୍ଣ୍ଣ ଭାବେ ଯାଇନାହିଁ। ଏବେ ବି କୋଭିଡ ସଂକ୍ରମଣର ଭୟ ରହିଛି। ବର୍ତ୍ତମାନ ଦେଶର ୫ଟି ରାଜ୍ୟରେ କୋଭିଡ ସଂକ୍ରମଣ ହାର ଚିନ୍ତା ବଢ଼ାଇଛି। ତେଣୁ କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ବିମାନବନ୍ଦରକୁ ଆସିବା ଏବଂ ବିମାନ ଯାତ୍ରା ସମୟରେ ମାସ୍କ ପରିଧାନ କରିବାକୁ ଦିଲ୍ଲୀ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଯେଉଁମାନେ ନିୟମ ଭଙ୍ଗ କରିବେ ସେମାନଙ୍କ ବିରୋଧରେ ଆଇଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।

କୋର୍ଟଙ୍କ ଏହି ନିର୍ଦ୍ଦେଶ ପରେ ବୁଧବାର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ମାସ୍କ କଟକଣା ଜାରି କରାଯାଇଛି। ବିମାନବନ୍ଦରକୁ ଆସିବା ଏବଂ ବିମାନ ଯାତ୍ରା ସମୟରେ ମାସ୍କ ପରିଧାନକୁ ଡିଜିସିଏ ବାଧ୍ୟତାମୂଳକ କରିଛି। ଯେଉଁମାନେ ମାସ୍କ ପରିଧାନ କରିବେ ନାହିଁ ସେମାନଙ୍କୁ ବିମାନ ଯାତ୍ରା କରିବାକୁ ଅନୁମତି ମିଳିବ ନାହିଁ ବୋଲି ଡିଜିସିଏ ପକ୍ଷରୁ କୁହାଯାଇଛି।

ବୁଧବାର ଦିନ ଡିଜିସିଏ ପକ୍ଷରୁ ଜାରି କରାଯାଇଥିବା ନିର୍ଦ୍ଦେଶରେ କୁହାଯାଇଛି, ସିଆଇଏସଏଫ ଯବାନଙ୍କ ତରଫରୁ ମାସ୍କ ନିୟମ ଜାରି କରାଯିବ। ଯଦି କେହି ଏହାର ଅବମାନନା କରନ୍ତି ତେବେ ତାଙ୍କୁ ବିମାନରୁ ଓହ୍ଳାଇ ଦିଆଯିବ। ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଡିଜିସିଏ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି।

Tags: #Covid19 #Corona #CoronaVirus #AirPort #DelhiHighCourt #WearingMask

Comment