ଓଡ଼ିଶାଲାଇଭ୍ ବ୍ୟୁରୋ

ବିମାନବନ୍ଦରରେ ଯାତ୍ରୀମାନଙ୍କ ପାଇଁ କଡ଼ାକଡ଼ି ହେଲା କୋଭିଡ୍ କଟକଣା। ଏଣିକି ବିମାନବନ୍ଦର ଭିତରେ ଏବଂ ବାହରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ। ଯାତ୍ରୀମାନେ ଯଦି ମାସ୍କ ପିନ୍ଧି ନଥିବେ ତେବେ ତାଙ୍କୁ ବିମାନରେ ବସିବାକୁ ଅନୁମତି ଦିଆଯିବନି। ଏନେଇ ଶନିବାର ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।

ଦେଶରେ ଏବେ କରୋନା ସଂକ୍ରମଣ ପୁଣି ବୃଦ୍ଧି ପାଉଛି। କିନ୍ତୁ ଲୋକମାନେ ଆଉ ଆଗପରି ମାସ୍କ ପିନ୍ଧୁ ନାହାନ୍ତି। ଫଳରେ କରୋନା ଗ୍ରାଫ୍ କମିବା ବଦଳରେ ପୁଣି ପିକ୍‌କୁ ଯିବାକୁ ବସିଲାଣି। ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ଡିଜିସିଏ ପକ୍ଷରୁ ଯାତ୍ରୀମାନଙ୍କ ପାଇଁ କୋଭିଡ କଟକଣାକୁ କଡ଼ାକଡ଼ି କରାଯାଇଛି।ଡିଜିସିଏର ବିଜ୍ଞପ୍ତି ଅନୁସାରେ, ବିମାନଯାତ୍ରା ପାଇଁ ଯେଉଁ ଯାତ୍ରୀମାନେ ବିମାନବନ୍ଦରକୁ ଆସୁଛନ୍ତି ସେମାନେ ମାସ୍କ ପିନ୍ଧିବାକୁ ବାଧ୍ୟ। ବିମାନବନ୍ଦର ଭିତରେ ହେଉ ଅବା ବାହାରେ ଯାତ୍ରୀମାନଙ୍କୁ ମାସ୍କ ସଠିକ୍ ରୂପେ ପିନ୍ଧିବାକୁ ପଡ଼ିବ। ଏପରି କି ନାକ ତଳକୁ ମାସ୍କ ରହିବ ନାହିଁ। ସେହିପରି ସାମାଜିକ ଦୂରତାକୁ ମଧ୍ୟ ପାଳନ କରିବାକୁ ଏହି ବିଜ୍ଞପ୍ତିରେ କୁହାଯାଇଛି।

ବିମାନ ବନ୍ଦରରେ ପ୍ରବେଶ ବେଳେ ଯାତ୍ରୀମାନେ ମାସ୍କ ପିନ୍ଧିଛନ୍ତି କି ନାହିଁ ତାହାକୁ କଡ଼ାକଡ଼ି ଭାବେ ଯାଞ୍ଚ କରାଯିବ। ସିଆଇଏସ୍ଏଫ୍ ଯବାନ କିମ୍ଵା ପୋଲିସମାନେ ଏହାର ତଦାରଖ କରିବେ। କୌଣସି ସ୍ଥାନରେ ଯଦି ଏହାର ଖିଲାପ ହୁଏ ତେବେ ଏନେଇ କାର୍ଯ୍ୟାନୁଷ୍ଠାନ ନିଆଯିବ।ଏପରି କି ମାସ୍କ ପିନ୍ଧି ନଥିବା ଯାତ୍ରୀଙ୍କୁ ତାଗିଦ୍ କରାଯିବା ସହ ଆବଶ୍ୟକସ୍ଥଳେ ସେମାନଙ୍କୁ ବିମାନରୁ ଓହ୍ଲାଇ ଦିଆଯିବ। ଏହାସହ ଯାତ୍ରୀଙ୍କ ବିରୁଦ୍ଧରେ ନିୟମ ମୁତାବକ କାର୍ଯ୍ୟାନୁଷ୍ଠାନ ହୋଇପାରେ ବୋଲି ଡିଜିସିଆଇ ନିର୍ଦ୍ଦେଶନାମା ଜାରି କରିଛି। ଏନେଇ ସମସ୍ତ ଏୟାରପୋର୍ଟ ଅଥୋରେଟି ଓ ସିଆଇଏସ୍ଏଫ୍ ଡିଜିଙ୍କୁ ଚିଠି କରାଯାଇଛି।

Comment