ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ
  • ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶାବଳୀ ଆଲୋଚନା
  • ଗଠନ ହେଲା ସ୍ୱତନ୍ତ୍ର କମିଟି
  • ଅଧ୍ୟକ୍ଷ ରହିଲେ ଗଜପତି ମହାରାଜ

ଯେତେ ଆଲୋଚନା ହେଲେ ବି ସୁପ୍ରିମକୋର୍ଟଙ୍କ ୧୨ଟି ନିର୍ଦ୍ଦେଶାବଳୀ ଶ୍ରୀମନ୍ଦିରରେ କାର୍ଯ୍ୟକାରୀ ହୋଇପାରୁନି। ୩ଟି ପ୍ରସ୍ତାବକୁ ସେବାୟତମାନେ ବିରୋଧ କରୁଥିବାରୁ ଶ୍ରୀମନ୍ଦିର ପ୍ରଶାସନ ମଧ୍ୟ ଚିନ୍ତାରେ ପଡ଼ିଛି। ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କୁ ଶ୍ରୀମନ୍ଦିର ପ୍ରଶାସନ କି ଉତ୍ତର ଦେବ ସେଥିପାଇଁ ମନ୍ଥନ ଚାଲିଥିଲେ ମଧ୍ୟ କିଛି ନିର୍ଯ୍ୟାସ ବାହାରି ପାରୁନାହିଁ। ଶେଷରେ ସୁପ୍ରିମକୋର୍ଟଙ୍କୁ ଜବାବ ଦେବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ସମୟ ମାଗିବ ବୋଲି ଜଣାପଡ଼ିଛି।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶାବଳୀ କାର୍ଯ୍ୟକାରୀ କରିବା ପାଇଁ ଆଜି ବସିଥିଲା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ। ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ୧୨ଟି ପ୍ରସ୍ତାବ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା। ଶ୍ରୀମନ୍ଦିର ପ୍ରଶାସକ, ଜିଲ୍ଲାପାଳ ଏବଂ ଏସ୍‌ପି ପ୍ରମୁଖ ଉପସ୍ଥିତ ଥିଲେ। ହେଲେ ସେବାୟତମାନେ ଯେଉଁ ତିନୋଟି ପ୍ରସ୍ତାବକୁ ବିରୋଧ କରୁଛନ୍ତି ସେନେଇ କୌଣସି ନିଷ୍ପତ୍ତି ବୈଠକରୁ ବାହାରି ପାରିଲା ନାହିଁ।

ଛତିଶା ନିଯୋଗ ବୈଠକରେ ସେବାୟତମାନେ ବଂଶାନୁକ୍ରମିକ ସେବାୟତ ପ୍ରଥା ଉଚ୍ଛେଦ, ଦାନ ଦକ୍ଷିଣା ଏବଂ ଶ୍ରୀମନ୍ଦିର ଆଇନ ପରିବର୍ତ୍ତନ ପ୍ରସ୍ତାବରେ ସହମତ ହୋଇ ନଥିଲେ। ଅନ୍ୟ ୯ଟି ପ୍ରସ୍ତାବରେ ସେବାୟତମାନେ ସହମତ ହୋଇଥିବା ବେଳେ ଏହି ତିନୋଟି ପ୍ରସ୍ତାବକୁ ବିରୋଧ କରିଥିଲେ। ଫଳରେ ଏହି ତିନୋଟି ପ୍ରସଙ୍ଗରେ ଆଲୋଚନା ପାଇଁ ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ବସିଥିଲା। ହେଲେ କିଛି ନିର୍ଯ୍ୟାସ ବାହାରି ପାରିଲା ନାହିଁ।

ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ର କହିଛନ୍ତି ଯେ ଏହି ତିନୋଟି ପ୍ରସ୍ତାବ ଉପରେ ତର୍ଜମା କରିବା ପାଇଁ ସ୍ୱତନ୍ତ୍ର କମିଟି ଗଠନ କରାଯିବ। ଏହି କମିଟିର ଅଧ୍ୟକ୍ଷତା ରହିବେ ଗଜପତି ମହାରାଜ। ଶ୍ରୀମନ୍ଦିର ପ୍ରଶାସକ, ଜିଲ୍ଲାପାଳ ଏବଂ ଏସ୍‌ପି ସଦସ୍ୟ ରହିବେ। ଏହି ପ୍ରସ୍ତାବ ଉପରେ ଭଲଭାବେ ତର୍ଜମା କରିବା ପରେ ସୁପ୍ରିମକୋର୍ଟଙ୍କୁ ଉତ୍ତର ଦିଆଯିବ।

“ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶାବଳୀ କାର୍ଯ୍ୟକାରୀ କରାଗଲେ ୮୦୦ ବର୍ଷର ପୁରୁଣା ପରମ୍ପରା ବଦଳିଯିବ। ଏଣୁ ଏସବୁ ବିଷୟରେ ଭଲଭାବେ ତର୍ଜମା କରାଯିବ। ଏଥିପାଇଁ ସୁପ୍ରିମକୋର୍ଟଙ୍କୁ ଆଉ କିଛି ସମୟ ମଗାଯିବ”, କହିଛନ୍ତି ପ୍ରଦୀପ୍ତ କୁମାର ମହାପାତ୍ର।

ରୋଷଶାଳା ଶ୍ରୀମନ୍ଦିର ପ୍ରଶାସନକୁ ଆଣିବା ପାଇଁ ପ୍ରସ୍ତାବ ରହିଛି। ସେହିପରି ଆନନ୍ଦ ବଜାରରେ ଅବଢ଼ା ଦର ତାଲିକା ଲଗାଇବା ପାଇଁ ପ୍ରସ୍ତାବ ରହିଥିଲା। କିନ୍ତୁ ସେବାୟତମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ଏ ବିଷୟରେ ଆଲୋଚନା କରିବା ପାଇଁ ସବ୍ କମିଟି ଗଠନ କରାଯିବ। ଏହି କମିଟିରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅଧ୍ୟକ୍ଷ ରହିବେ। ସୁଆର ମହାସୁଆର ନିଯୋଗର ସଦସ୍ୟ, ଏସ୍‌ପି ପ୍ରମୁଖ ପ୍ରତିନିଧି ରହିବେ।

LEAVE A REPLY

Please enter your comment!
Please enter your name here