ଓଡ଼ିଶାଲାଇଭ୍ ବ୍ୟୁରୋ
କେରଳରେ ପ୍ରଳୟଙ୍କାରୀ ବନ୍ୟା। ବନ୍ୟା ପାଣି କମିବାର ନାଁ ଧରୁନି। ଦିନ ଯେତିକି ଗଡ଼ୁଛି ପାଣି ମଧ୍ୟ ସେତିକି ବଢ଼ୁଛି। ଫଳରେ ଲୋକେ ଆତଙ୍କିତ ହୋଇଯାଇଛନ୍ତି। ଏପଟେ ଶନିବାର ଆଉ ୩୩ ଜଣଙ୍କର ମୃତ୍ୟୁ ହୋଇଥିବା ମୁଖ୍ୟମନ୍ତ୍ରୀ ପିନରୟୀ ବିଜୟନ କହିଛନ୍ତି। ଫଳରେ ମୃତ୍ୟୁ ସଂଖ୍ୟା ୩୫୭ରେ ପହଞ୍ଚିଛି।
ସେନା, ନାଭାଲ ଟିମ୍, ବାୟୁସେନା, ଏନଡିଆର୍ଏଫ୍, ଆଇଟିବିପି ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି।
ଏନଡିଆର୍ଏଫ୍ର ୧୬୯ ଟିମ୍, ନାଭାଲର ୪୦ଟି ବୋଟ୍, ବାୟୁସେନାର ୨୦ ହେଲିକପ୍ଟର, କୋଷ୍ଟଗାର୍ଡର ୩୫ଟି ଡଙ୍ଗା, ବିଏସ୍ଏଫ୍ର ୪ଟି ଟିମ୍ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି। ବର୍ତ୍ତମାନ ସୁଦ୍ଧା ୪ ଲକ୍ଷ ଲୋକଙ୍କୁ ଉଦ୍ଧାର କରାଯାଇଛି।
କେରଳ ପାଇଁ କେନ୍ଦ୍ର ୫୦୦ କୋଟି ଟଙ୍କାର ଆଥିର୍କ ସହାୟତା ଘୋଷଣା କରିଛନ୍ତି। ଏହାସହ ଓଡ଼ିଶା, ବିହାର, ଝାଡ଼ଖଣ୍ଡ, ପଞ୍ଜାବ, ମହାରାଷ୍ଟ୍ର ସରକାର ସହାୟତାର ହାତ ବଢ଼ାଇଛନ୍ତି। ବିହାର ମୁଖ୍ୟମନ୍ତ୍ରୀ ୧୦ କୋଟି ଟଙ୍କାର ସହାୟତା ଘୋଷଣା କରିଥିବା ବେଳେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ୫ କୋଟି, ଓଡ଼ିଶା ମୁଖ୍ୟମନ୍ତ୍ରୀ ୫ କୋଟି, ମହାରାଷ୍ଟ୍ର ସରକାର ୨୦ କୋଟି ଟଙ୍କାର ସହାୟତା ଘୋଷଣା କରିଛନ୍ତି।

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି କେରଳ ବନ୍ୟାକୁ ଜାତୀୟ ବିପତ୍ତି ଘୋଷଣା କରିବାକୁ ଦାବି କରିଛନ୍ତି। କଂଗ୍ରେସର ସବୁ ସାଂସଦ, ବିଧାୟକ, ବିଧାନ ପରିଷଦ ସଦସ୍ୟ ସେମାନଙ୍କ ଗୋଟିଏ ମାସର ଦରମା କେରଳ ବନ୍ୟା ପୀଡ଼ିତଙ୍କ ପାଇଁ ଦାନ କରିବାକୁ ରାହୁଲ ନିବେଦନ କରିଛନ୍ତି।

















