ଭାସ୍କର ପରିଛା

ଓଡ଼ିଆ ସାହିତ୍ୟରେ ଆତ୍ମଜୀବନୀ ମୂଳକ ଉପନ୍ୟାସ ବା ଅଟୋବାୟୋଗ୍ରାଫିକଲ ନଭେଲ ଏକ ସ୍ୱଳ୍ପ ଉଦ୍ୟମିତ ଦିଗ। ଏହି ଧରଣର ଉପନ୍ୟାସରେ ସାଧାରଣତଃ ଆତ୍ମଜୀବନୀ ସହିତ ଉପନ୍ୟାସର ଘଟଣା ଓ ଚରିତ୍ରମାନେ ଯୋଡ଼ି ହୋଇ ରହିଥାନ୍ତି।

ରଚନାର ଟେକ୍ନିକ ବା କୌଶଳଟି ହେଉଛି : ଏହା ଆପଣଙ୍କୁ ଲାଗୁଥିବ ଆତ୍ମଜୀବନୀ ବା ସଂସ୍ମରଣ ଭଳି। କିନ୍ତୁ ମୂଳତଃ ତାହା ଉପନ୍ୟାସ। ଆତ୍ମଜୀବନୀମୂଳକ ଉପନ୍ୟାସରେ ସ୍ଥାନ ଓ ପାତ୍ର ବା ଚରିତ୍ର ଗୁଡିକ ନିରନ୍ତର ବଦଳୁଥାନ୍ତି। ଔପନ୍ୟାସିକ ବେଳେବେଳେ ଚରିତ୍ରକୁ ସୃଷ୍ଟି ବି କରିଥାନ୍ତି। ଏଭଳି କରିବାର କାରଣ ହେଉଛି ଉପନ୍ୟାସକୁ ଅଧିକ ନାଟକୀୟ କରିବା।ପଢ଼ିଲା ବେଳେ ଏଭଳି ଉପନ୍ୟାସର ନାଟକୀୟତାକୁ ବେଶ୍ ଅନୁଭବ କରିହେବ। ତା’ ସହିତ ଆଗେଇ ଚାଲିଥିବା କାହାଣୀଟି ଲେଖକଙ୍କ ଜୀବନର ସାଦୃଶ୍ୟତାକୁ ମଧ୍ୟ ବହନ କରୁଥିବ। ନିଜ ଜୀବନର ଘଟଣାବଳୀକୁ ଉପସ୍ଥାପନ କରିବାକୁ ଯାଇ ଲେଖକ ସ୍ଥଳ ବିଶେଷରେ ଅତିରଞ୍ଜନର ଆଶ୍ରୟ ବି ନେଇପାରନ୍ତି।

ସତୁରୀ ଦଶକର ଜଣେ ଆଗଧାଡ଼ିର ଗାଳ୍ପିକ ବିଭୂତି ପଣ୍ଡାଙ୍କ ଉପନ୍ୟାସ ରଚନା ଶୈଳୀ ଓ ଯେଉଁ ପରୀକ୍ଷା ନିରୀକ୍ଷା ସେ କରିଛନ୍ତି ତାହା ଖୁବ୍ ରୋଚକ ଓ ଜଟିଳ ମଧ୍ୟ। ପୁସ୍ତକ ଦୁଇଟିର ସମୀକ୍ଷା ପୂର୍ବରୁ ଯେଉଁ ସହାୟକ ସୂତ୍ରଟି ସେ ଏହି ସମୀକ୍ଷକ ପାଖକୁ ପଠେଇଥିଲେ ସେଥିରେ ସେ ସୂଚିତ କରିଥିଲେ: ‘ ଉଭୟ ଉପନ୍ୟାସର ମୁଖ୍ୟ ଚରିତ୍ର ‘ମଣ୍ଟୁ ବା ମୁଁ’ ।

ଉଭୟ ଉପନ୍ୟାସ ଭିତରେ ଥିବା ସଂପର୍କକୁ ଜଣେ ଅନୁଭବ କରିପାରିବ। ତଥାପି ଗୋଟିଏ ବିନା ଅନ୍ୟଟି ସଂପୂର୍ଣ୍ଣ ବି ମନେ ହେବ। କ୍ଷୁଦ୍ର ଗଳ୍ପର ଆଙ୍ଗିକରେ ରଚିତ କିଛି ଗଳ୍ପକୁ ‘ମୁଁ ବେଲାଳସେନ’ରେ ଉପନ୍ୟାସର ରୂପ ପ୍ରଦାନ କରାଯାଇଥିବା ବେଳେ ‘ଭାନୁମତୀପୁରରୁ ଭାରତବର୍ଷ’ରେ ଆଧୁନିକ କାଳର ଉପନ୍ୟାସିକାର ସଂଯୋଜନା ସହ ଏକ ପୂର୍ଣ୍ଣାଙ୍ଗ ଉପନ୍ୟାସର ପରିକଳ୍ପନା କରାଯାଇଛି।

ଭାବ ଓ ବିଷୟ ବିନ୍ୟାସ ସ୍ଵାଧୀନତା ପରେ ଜନ୍ମ ହୋଇଥିବା ଜଣେ ମଧ୍ୟବିତ୍ତ ବୁଦ୍ଧିଜୀବିର ଜୀବନ ସହ ଜଡିତ।’ ‘ମୁଁ ବେଲାଳସେନ’କୁ ଉପନ୍ୟାସ କୁହାଯାଉଥିଲେ ହେଲେହେଁ ନିର୍ମାଣ ଦୃଷ୍ଟିରୁ ଏହା ଏକ ଗଳ୍ପ ସଂକଳନ।

ପ୍ରାୟ ୩୫ଟି ଗପକୁ ଚୟନ କରି ସେଗୁଡିକୁ ଉପନ୍ୟାସର ପୁଟ ଦେବା ଭିତରେ ଯେଉଁ ସଂଯୋଗଟି ସ୍ଥାପନ କରାଯାଇଛି ସେଥିରେ ହିଁ ଲେଖକଙ୍କର ବହାଦୁରୀକୁ ପରଖି ହେବ।

ଉପନ୍ୟାସଟି ଆରମ୍ଭ ହୋଇଛି ଏହିଭଳି କିଛି ଧାଡ଼ିରେ: ‘କାହିଁକି କେଜାଣି ସମୟର ଉଜାଣି ସୁଅରେ ଭାସି ଭାସି ଆସି କେଉଁ ଏକ ଅଜଣା ଅଶୁଣା ଦ୍ଵୀପର କୂଳରେ ଲେଖିଥିବା ଏକ ପାଲହୀନ ପୋତ ପରି ନିଜକୁ ନିଜେ ଏକ ଏକଲା ମଣିଷ ମନେକରି ଆତ୍ମପରିଚୟ ସନ୍ଧାନରେ ମୁଁ ଯେମିତି ଇତସ୍ତତଃ ଭାବରେ କେତେବେଳେ କୂଳରେ ଲାଖିଯାଉଥିଲି ତ ସମୟ ବିଶେଷରେ ସୁଅ ମୁହଁରେ ପତର ପରି ଭାସି ଭାସି ଅକାତ କାତ ଜଳରାଶିର ମଧ୍ୟଭାଗରେ ପହଞ୍ଚିଯାଇ ନିଜେ ନିଜର ଆତ୍ମପରିଚିତିର ସନ୍ଧାନ ପାଇଁ ଉବୁଟୁବୁ ହେଉଥିଲି।

ହାଲୋଳମୟ ଚକମକ ଭାବେ ଝଲସି ଯାଉଥିବା ଆଲୁଅର ପ୍ରେକ୍ଷାପଟ ଉପରେ ବି ବେଳେ ବେଳେ ଅନୁଭବ କରୁଥିଲି ବହଳ କୁଜ୍ଝଟିକା ସମ ଅମା ଅନ୍ଧକାରର ବିତ୍ପାତ,ସତେ ଯେପରି ବିସ୍ତାରିତ ଭାବରେ ପଡ଼ି ରହିଥିବା ଆଲୁଅ ସବୁକୁ କ୍ରମଶଃ ସଙ୍କୋଚନ କରିଦେବାର ଏକ ଖେଳ ଖେଳୁଥିଲା ଅନ୍ଧକାର।’

ପ୍ରଥମ ଉପନ୍ୟାସରେ ଲେଖକଙ୍କ ଶୈଶବ,କୈଶୋର ଓ ଯୌବନ ଗୋଟିଏ ସରଲରେଖାରେ ଗତି କରିଛନ୍ତି। ଏହାରି ଭିତରେ ବହୁ ବାନ୍ଧବୀ ଓ ସହପାଠୀନି ଆସିଛନ୍ତି,ଜୀବନ ଓ ପ୍ରେମକୁ ବୁଝିବାର ଚେଷ୍ଟା ହୋଇଛି, ଦାର୍ଶନିକତ୍ୱର ଗୁଞ୍ଜରଣ ଶୁଣାଯାଇଛି।

ପ୍ରସନ୍ନ ସାର, ରାମିଆ ରିକ୍ସାବାଲା, ଟିଟିଲାଗଡ଼, ୧୯୬୨ର ଚୀନ ଯୁଦ୍ଧ,ସତୁରୀ ଦଶକର ହିପି ସଂସ୍କୃତି,ସୁରେନ୍ଦ୍ର ପଣ୍ଡା ଓ ବ୍ରାହ୍ମଣ ପରମ୍ପରା, ପୁଷ୍ପା ରଥଙ୍କୁ ନେଇ କିଭଳି ତାଙ୍କ କଲେଜ ଟୋକାଙ୍କ ଭିତରେ ପ୍ରତି୍ପଦ୍ଵନ୍ଦ୍ଵିତା ଚାଲେ, ୧୯୭୪ର ଜୟପ୍ରକାଶଙ୍କ ଆନ୍ଦୋଳନ, ଇନ୍ଦିରା ଗାନ୍ଧୀଙ୍କ ଜରୁରୀ ପରିସ୍ଥିତି, ଦେବଗଡ଼ ରହଣି କାଳର ଅନୁଭୂତି, କୋରାପୁଟର ନୈସର୍ଗିକ ଶୋଭା, ରାଉରକେଲା ଇସ୍ପାତ ନଗରୀରେ ଅଧ୍ୟାପନା ଜୀବନ, କମଳଦା’ଙ୍କ ଦେହାନ୍ତ, ଜ୍ୟୋତି ବିହାର କ୍ୟାମ୍ପସର ବିନ୍ଧ୍ୟା ଅପା, ବନ୍ଧୁ ଓ ସତୀର୍ଥ ମୃଣ୍ମୟ ସନ୍ୟାସୀ ପାଲଟିବା, ପ୍ରିୟଙ୍କାଙ୍କ ସହ ବଦ୍ରିନାଥ ଦର୍ଶନ ଆଦି ଶତାଧିକ ଘଟଣା ଓ ଚରିତ୍ରର ସମାଗମ ‘ମୁଁ ବେଲାଳସେନ’ ଉପନ୍ୟାସ।

ମହାଭାରତ ଯୁଦ୍ଧରେ ବେଲାଳସେନ ଯେଉଁଭଳି ନୀରବ ଦ୍ରଷ୍ଟା ପାଲଟିଥିଲା,ଏଠି ମଣ୍ଟୁଙ୍କର ମଧ୍ୟ ସେହି ଅବସ୍ଥା। ବେଲାଳସେନ ଯେମିତି ନିଜ ଦିବ୍ୟ ଚକ୍ଷୁରେ ମହାଭାରତ ଯୁଦ୍ଧକୁ ଦେଖିଛି ଔପନ୍ୟାସିକ ମଧ୍ୟ ଏଠି ଦେଖି ଚାଲିଛନ୍ତି ବିଂଶ ଶତାବ୍ଦୀର ଜୀବନ ସଂଘର୍ଷ।ସେ କେତେବେକେ ବିପ୍ଲବୀ ସାଜିଛନ୍ତି ତ ଆଉ କେତେବେଳେ ପଳାୟନପନ୍ଥୀ। କିନ୍ତୁ ତାଙ୍କର କଲମ କଦାପି ନିରବିଯାଇନାହିଁ।

ଉପନ୍ୟାସର ଆଙ୍ଗିକ ଦୃଷ୍ଟିରୁ ‘ମୁଁ ବେଲାଳସେନ’ ଅପେକ୍ଷା ‘ଭାନୁମତୀପୁରରୁ ଭାରତବର୍ଷ’ ଅଧିକ ସୁସଂଯତ ଓ ଅଧିକ ରୋମାଞ୍ଚକର। ଭାଷା ଓ ଶବ୍ଦର ଗତି ଏଥିରେ ତୀବ୍ର ଓ ସୁନ୍ଦର। ଏହି ଉପନ୍ୟାସରେ ଲେଖକଙ୍କ ଜୀବନର ପରବର୍ତ୍ତୀ ଘଟଣାଗୁଡିକର ଉଲ୍ଲେଖ ରହିଛି।

ଉପନ୍ୟାସ ସମ୍ପର୍କରେ ପ୍ରକାଶକ କହିଛନ୍ତି : ବୟଃବୃଦ୍ଧି ସହିତ ପରିବର୍ତ୍ତନ ମଧ୍ୟ ଦେଇ ଗତି କରିଆସିଥିବା ସାମାଜିକ ତଥା ରାଜନୈତିକ ପରିବେଶର ରୂପଚିତ୍ରର ଅନୁଧ୍ୟାନ ତଥା ଅନୁଶୀଳନ ଜନିତ ବ୍ୟଞ୍ଜନାତ୍ମକ ବ୍ୟଖ୍ୟା ଉପନ୍ୟାସର ବିଷୟ ତଥା ଭାବବସ୍ତୁ। ‘ଭାନୁମତୀପୁର’ ଉପନ୍ୟାସରେ ଅଶୋକ ମାମୁଁ ଓ ବିମ୍ବା ଗୋସାଇଁଙ୍କ ଭଳି ଚରିତ୍ର ଯୋଡି ହେବା ସହ ଅସଂଖ୍ୟ ଘଟଣାର ଅବତାରଣା ପାଠକକୁ ସେହି ସମୟ ସହିତ ଯୋଡ଼ିବାରେ ସାହାଯ୍ୟ କରିବ।

ଲେଖକଙ୍କ କହିବା ଅନୁଯାୟୀ ଏହି ଉପନ୍ୟାସର ଏକ ଅଂଶ ବିଶେଷ ରବି କାନୁନଗୋଙ୍କ ସମ୍ପାଦିତ ‘ସୂର୍ଯ୍ୟପ୍ରଭା’ରେ ‘ସାଧବବୁଢ଼ା ଓ ସାହାଡ଼ାବୃକ୍ଷ’ ଶୀର୍ଷକରେ ଧାରାବାହିକ ଭାବେ ପ୍ରକାଶ ପାଇଥିଲା। ଉପନ୍ୟାସରେ ପଶ୍ଚିମ ଓଡ଼ିଶାର ବହୁ ଘଟଣା ଓ ବିଷୟର ଅବତାରଣା ରହିଛି। ତେବେ ତାଙ୍କ କାଳ୍ପନିକ ସହର ଭାନୁମତୀପୁରର ବର୍ଣ୍ଣନା ଅତି ଚମତ୍କାର।

‘ସବୁଜ ଅରନ୍ୟାନୀ ପରିବେଷ୍ଟିତ ମୋର ଜନ୍ମସ୍ଥାନ ଭାନୁମତୀପୁର…ସେଇ ମୋର ଜନ୍ମମାଟି …ଅନେକ ସମୟରେ ମୋ ମାନସ ରାଜ୍ୟର ଚେତନାରେ ଭରିଦେଉଥିଲା ସବୁଜିମାର ଅରଣ୍ୟ ପ୍ରତି ଆକର୍ଷଣ। ଇଚ୍ଛା ହେଉଥିଲା ଅରଣ୍ୟ ମଧ୍ୟରେ ଘୁରି ଘୁରି ହୋଇଯାନ୍ତିକି ବାଟବଣା। ହଜେଇ ଦିଅନ୍ତି ମୋର ସତ୍ତା,ତଲ୍ଲୀନ ହୋଇଯାଆନ୍ତି ଝିଲ୍ଲି ଝଙ୍କାରିତ ରହସ୍ୟମୟ ପରିବେଶ ମଧ୍ୟରେ।’ ଭାନୁମତତୀପୁର ଉପନ୍ୟାସ ସ୍ୱାଧୀନତା ପରବର୍ତ୍ତୀ ପ୍ରାୟ ଅର୍ଦ୍ଧ ଶତାବ୍ଦୀର ଓଡ଼ିଶା ଓ ଭାରତର ରାଜନୀତି, ଇତିହାସ, ସାହିତ୍ୟ, ସାମାଜିକ ତଥା ଅର୍ଥନୈତିକ ବ୍ୟବସ୍ଥାର ଆତ୍ମିକ ପରିପ୍ରକାଶ। ଉପନ୍ୟାସକାର କେଉଁଠି ଭାବବିହ୍ଵଳ ହୋଇପଡିଛନ୍ତି ତ ଆଉ କେଉଁଠି ପ୍ରଶ୍ନ ପଚାରିଛନ୍ତି। କିନ୍ତୁ କେଉଁଠି ବି ଜନ୍ମମାଟି ପ୍ରତି ଥିବା ଦରଦ ଓ ହୃଦୟଟି ଉଭେଇ ଯାଇନାହିଁ।

‘ମୁଁ ବେଲାଳସେନ’ ଯଦି ଏକ ଆତ୍ମଜୀବନୀ ମୂଳକ ଉପନ୍ୟାସର ବିଚାର ରଖେ,’ଭାନୁମତୀପୁରରୁ ଭାରତ ବର୍ଷ’କୁ ଏକ ଐତିହାସିକ ଉପନ୍ୟାସ କହିଲେ ଅଧିକ ଠିକ୍ ହେବ। ସ୍ଥାପତ୍ୟ ଦୃଷ୍ଟିରୁ ଦ୍ବିତୀୟ ଉପନ୍ୟାସର ସଫଳ ରୂପାୟନ ଆଖିରେ ପଡ଼େ। ସମସାମୟିକ ଘଟଣାକୁ ନେଇ ଉପନ୍ୟାସ ଲେଖିବା ଏକ ଦୁରୂହ ବ୍ୟାପାର ହୋଇଥିବାରୁ ବିଭୁତି ପଣ୍ଡାଙ୍କର ଦୁଇଟି ଯାକ ଉପନ୍ୟାସର ଆବେଦନ କିଛିଟା ନିଆରା। ଏଥିରେ ପୌରାଣିକ ଭାବସତ୍ତା ଅଛି, ଇତିହାସ ଚେତନା ଅଛି,ଆତ୍ମପ୍ରତ୍ୟୟ ଅଛି,ଦେଶପ୍ରେମ ଅଛି ଓ ଅଛି ମଧ୍ୟ ଶବ୍ଦ ଚାତୁରୀ।

ଓଡ଼ିଆ ଉପନ୍ୟାସ, ବିଶେଷ କରି ଐତିହାସିକ ଉପନ୍ୟାସ କ୍ଷେତ୍ରରେ, ‘ମୁଁ ବେଲାଳସେନ’ ଓ ‘ଭାନୁମତୀପୁରରୁ ଭାରତବର୍ଷ’ ଯୋଗଦାନକୁ ଅସ୍ବୀକାର କରିହେବ ନାହିଁ। ସର୍ବୋପରି,ଡ଼ଃ ଅବିକ୍ଷିତ ପଣ୍ଡା ଓ ଡ଼ଃ ସୁଧାଂଶୁ କୁମାରଙ୍କ ପ୍ରଚ୍ଛଦ ପରିକଳ୍ପନା ଚମତ୍କାର।

  • ମୁଁ ବେଲାଳସେନ / ଭାନୁମତୀପୁରରୁ ଭାରତବର୍ଷ ଦକ୍ଷ ବୁକ୍ସ,
  • କଟକ/ପଶ୍ଚିମା ପବ୍ଲିକେସନ୍ସ, ଭୁବନେଶ୍ୱର
  • ପ୍ରତ୍ୟେକେ ୩୨୦ ପୃଷ୍ଠା ମୂଲ୍ୟ : ୧୫୦/୨୫୦ ଟଙ୍କା

Comment