ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ୨୬ ତାରିଖ ଯାଏଁ ଚାଲିବ କନକ୍ଲେଭ୍
  • ୧୯ଟି ପ୍ରସଙ୍ଗକୁ ନେଇ ଆଲୋଚନାଚକ୍ର
  • ତୃଣମୂଳ ସ୍ତରର ସମସ୍ୟାକୁ ରାଜ୍ୟ ସ୍ତରରେ ପହଞ୍ଚାଇବାକୁ ପ୍ରୟାସ
  • ଉଦ୍‍ଘାଟନ ସମାରୋହରେ ଯୋଗଦେବେ ନୀତି ଆୟୋଗ ଉପାଧ୍ୟକ୍ଷ
  • ପଞ୍ଚାୟତିରାଜ ବ୍ୟବସ୍ଥାର ସ୍ଥିତି ସମ୍ପର୍କରେ ହେବ ଆଲୋଚନା
  • ରାଜ୍ୟ ତଥା ରାଜ୍ୟ ବାହାରୁ ୮୦୦ରୁ ଅଧିକ ପ୍ରତିନିଧି ଯୋଗ ଦେବେ

ଦାରିଦ୍ର୍ୟ, ସାମାଜିକ ସୁରକ୍ଷା ଓ ଅସମାନତା ଭଳି ବିଭିନ୍ନ କାରଣ ଆମ ରାଜ୍ୟର ପ୍ରଗତି ପଥରେ ପ୍ରତିବନ୍ଧକ ସାଜିଛି। ରାଜ୍ୟର ସାମୁହିକ ବିକାଶ କ୍ଷେତ୍ରରେ ଏହି ପ୍ରତିବନ୍ଧକଗୁଡ଼ିକୁ ପ୍ରତିହତ କରି ଉନ୍ନତିମୂଳକ କାର୍ଯ୍ୟକ୍ରମଗୁଡ଼ିକର ସଫଳ ରୂପାୟନ ଏବଂ ତ୍ୱରାନ୍ୱିତ କରିବା ନିହାତି ଅପରିହାର୍ଯ୍ୟ।

ଏହି ପରିପ୍ରେକ୍ଷୀରେ ଓଡ଼ିଶା ବିକାଶ ସମ୍ମିଳନୀର ଦ୍ୱିତୀୟ ସଂସ୍କରଣ ଆସନ୍ତା ଅଗଷ୍ଟ ୨୪ରୁ ୨୬ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ଆୟୋଜିତ ହେବାକୁ ଯାଉଛି। ଓଡ଼ିଶାର ବିକାଶ ଢାଞ୍ଚା ଓ ଏଥିରେ ଥିବା ସମସ୍ୟାଗୁଡ଼ିକୁ ବୁଝିବା, ତୃଣମୂଳ ସ୍ତରରେ ଉନ୍ନତିମୂଳକ କାର୍ଯ୍ୟକ୍ରମଗୁଡ଼ିକର ସଫଳ ରୂପାୟନ ପାଇଁ ସଂଗଠିତ ପ୍ରୟାସକୁ ନିଶ୍ଚିତ କରିବା ଓ ବିଭିନ୍ନ ସମସ୍ୟାକୁ ସରକାରଙ୍କ ପାଖରେ ପହଞ୍ଚାଇବା ଏହି ସମ୍ମିଳନୀର ଆଭିମୁଖ୍ୟ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି।

ଏହି ସମ୍ମିଳନୀରେ ସାମାଜିକ ଅନୁଷ୍ଠାନ, ଗୋଷ୍ଠୀ ସ୍ତରୀୟ ସଙ୍ଗଠନ, ସରକାରୀ ଅଧିକାରୀ, ନୀତି ନିର୍ଦ୍ଧାରକ, ଶିକ୍ଷାନୁଷ୍ଠାନ ଓ କର୍ପୋରେଟ ସଂସ୍ଥାମାନେ ଏକାଠି ହୋଇ ରାଜ୍ୟର ବିକାଶ ଦିଗରେ ତର୍ଜମା କରିବ ବୋଲି ଆୟୋଜକ ମଣ୍ଡଳୀର ସଦସ୍ୟ ଘାସିରାମ ପଣ୍ଡା କହିଛନ୍ତି।

ଓଡ଼ିଶାର ଜନଜାତି ସଶକ୍ତିକରଣ ଓ ବିକାଶ, ନିଯୁକ୍ତି ଓ ସ୍ଥାନାନ୍ତର, ଦକ୍ଷତା ଓ ସ୍ୱାବଲମ୍ବୀ ବିକାଶ, ଖାଦ୍ୟ ଓ ପୁଷ୍ଟି ନିରାପତ୍ତା, ସ୍ୱାସ୍ଥ୍ୟ, ଜଳ ପରିମଳ, ବିପର୍ଯ୍ୟୟ ଏବଂ ଜଳବାୟୁ ପରିବର୍ତ୍ତନ ଓ ଶିଶୁ ଅଧିକାର ଭଳି ୧୯ଟି  ପ୍ରସଙ୍ଗରେ ଆଲୋଚନା କରାଯିବା ସହ ଭବିଷ୍ୟତ କାର୍ଯ୍ୟ ପନ୍ଥା ନିରୂପଣ କରିବାର ଯୋଜନା ରଖାଯାଇଛି ବୋଲି ସ୍ନେହ ମିଶ୍ର କହିଛନ୍ତି।

ଓଡିଶା ବିକାଶ ସମ୍ମିଳନୀର ଆବାହକ ଜଗଦାନନ୍ଦ କହିଛନ୍ତି, “ଓଡ଼ିଶା ପାଇଁ ଧାର୍ଯ୍ୟ ନିରନ୍ତର ବିକାଶ ସୂଚୀ ୨୦୩୦କୁ ସଫଳ ଭାବେ ହାସଲ କରିବା ପାଇଁ ଏହି ସମ୍ମିଳନୀ ଅନେକାଂଶରେ ସହାୟକ ହେବ। ସରକାରୀ ବିଭାଗ, ସାମାଜିକ ଅନୁଷ୍ଠାନ, ଗୋଷ୍ଠୀ ଭିତ୍ତିକ ସଂଗଠନ, କର୍ପୋରେଟ୍‍ ଜଗତ, ଶିକ୍ଷାନୁଷ୍ଠାନ ମଧ୍ୟରେ ସମନ୍ୱୟ ରକ୍ଷା କରିବାରେ ସହାୟକ ହୋଇପାରିବ।”

ଚନ୍ଦ୍ରଶେଖରପୁରସ୍ଥିତ ରେଲ୍‍ ସଭାଗୃହ (ଅଡିଟୋରିୟମ୍‍) ଠାରେ ଅନୁଷ୍ଠିତ ହେବାକୁ ଥିବା ଉଦ୍‍ଘାଟନ ସମାରୋହରେ ନୀତି ଆୟୋଗ ଉପାଧ୍ୟକ୍ଷ ଡକ୍ଟର ରାଜୀବ କୁମାର ମୁଖ୍ୟ ବକ୍ତା ଭାବେ ଯୋଗଦେବେ। ରାଜ୍ୟର ଶାସନ ବ୍ୟବସ୍ଥାରେ ଉପୁଜୁଥିବା ପ୍ରତିବନ୍ଧକ ସମ୍ପର୍କରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହେବ।

ବିଭିନ୍ନ ସାମାଜିକ ଅନୁଷ୍ଠାନ ଓ ଗୋଷ୍ଠୀ ସ୍ତରୀୟ ସଂଗଠନର ନେତୃବୃନ୍ଦ, ନୀତି ନିର୍ଦ୍ଧାରକ ଓ ସମାଜ ବିଜ୍ଞାନୀମାନେ ଏହି ଆଲୋଚନାରେ ଭାଗ ନେବାର କାର୍ଯ୍ୟକ୍ରମ ରହିଛି। ରାଜ୍ୟର ତୃଣମୂଳ ସ୍ତରରେ ବିକାଶମୂଳକ କାର୍ଯ୍ୟରେ ଉଦାହରଣ ସୃଷ୍ଟି କରିଥିବା ଅନେକ ସଫଳ କାହାଣୀ ସମ୍ବଳିତ ଏକ ପୁସ୍ତିକା ଏହି ସମ୍ମିଳନୀରେ ଲୋକାର୍ପଣ କରାଯିବ।

ରାଜ୍ୟ ତଥା ରାଜ୍ୟ ବାହାରୁ ପ୍ରାୟ ୮୦୦ରୁ ଅଧିକ ପ୍ରତିନିଧି ଏହି ସମ୍ମିଳନୀରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଅନ୍ୟମାନଙ୍କ ମଧ୍ୟରେ ପ୍ରମିଳା ସ୍ୱାଇଁ, ମାନସ ମିଶ୍ର, ବିକାଶ ପତି, ଭାରତୀ ଚକ୍ର, ସୁଦର୍ଶନ ଦାସ, ଅସୀମା ଚୌଧୁରୀ, ସୁଦତ୍ତା ଖୁଣ୍ଟିଆ ଏବଂ ସନ୍ଦୀପ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ଏହି କାର୍ଯ୍ୟକ୍ରମରେ ‘ଓଡ଼ିଶାଲାଇଭ୍‌’ ଡିଜିଟାଲ ମିଡିଆ ପାର୍ଟନର୍‌ ରହିଛି।

Comment