ଓଡ଼ିଶାଲାଇଭ୍‌ ବ୍ୟୁରୋ

ତିନି ଦିନ ବ୍ୟାପି ଆୟୋଜିତ ଓଡ଼ିଶା ବିକାଶ କନକ୍ଲେଭ ରବିବାର ଉଦଯାପିତ ହୋଇଯାଇଛି। ଓଡ଼ିଶା ସମେତ ୯ଟି ରାଜ୍ୟର ୨୬୭୦ରୁ ଅଧିକ ପ୍ରତିନିଧି ୧୯ଟି ପୃଥକ ପୃଥକ ପ୍ରସଙ୍ଗ ଉପରେ ମାରାଥନ ଚର୍ଚ୍ଚା କରି ଓଡ଼ିଶା ବିକାଶର ରୋଡ଼ମ୍ୟାପ୍ ପ୍ରସ୍ତୁତ କରିଛନ୍ତି। ଏହି ପରାମର୍ଶଗୁଡ଼ିକୁ ରାଜ୍ୟ ସରକାର ଅନୁଧ୍ୟାନ କରିବେ ବୋଲି ଉଦଯାପନ ସମାରୋହରେ ଯୋଗଦେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ସମବାୟ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି।

ସମାବେଶରେ ସମାନ୍ତରାଳ ଭାବେ ଚାଲିଥିବା ପ୍ରାସଙ୍ଗିକ ବିଚାର ବିମର୍ସ ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ସାମାଜିକ ଅନୁଷ୍ଠାନ, ଗୋଷ୍ଠୀ ସଙ୍ଗଠନ, ସରକାରୀ କର୍ମଚାରୀ, ନୀତି ନିର୍ଦ୍ଧାରକ, ଶିକ୍ଷାବିତ, ପଞ୍ଚାୟତ ପ୍ରତିନିଧି, ତୃଣମୂଳ ସ୍ତରୀୟ କର୍ମୀ, ବିଭିନ୍ନ ନାଗରିକ ମଞ୍ଚର ପ୍ରତିନିଧି ମିଳିତ ଭାବେ କରିଥିବା ପ୍ରଚେଷ୍ଟା ନିଶ୍ଚିତ ଭାବେ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି।

ଓଡ଼ିଶା ବିକାଶ ସମାବେଶ ରାଜ୍ୟର ୪ କୋଟି ୩୦ ଲକ୍ଷ ଲୋକଙ୍କ ଜୀବନଧାରଣର ଚିନ୍ତା କରିଛି। ଖାଦ୍ୟ, ସ୍ୱାସ୍ଥ୍ୟକୁ ଆରମ୍ଭ କରି ୧୯ଟି ପ୍ରସଙ୍ଗ ଉପରେ ରୋଡ଼ମ୍ୟାପ୍ ତିଆରି କରିଛନ୍ତି; ଯାହାକି ସରକାରଙ୍କ ପାଇଁ ଏକ ଚେକ୍ ଲିଷ୍ଟ ବୋଲି ଶ୍ରୀ ପାତ୍ର ଟିପ୍ପଣୀ ଦେଇଥିଲେ।

ଇତିହାସରୁ ବିଭିନ୍ନ ଦେଶର ଉଦାହରଣ ଜରିଆରେ ଶ୍ରୀ ପାତ୍ର କହିଛନ୍ତି ଯେ ଦେଶର ସାମାଜିକ, ସାଂସ୍କୃତିକ ଓ ଅର୍ଥନୈତିକ ବିକାଶ କ୍ଷେତ୍ରରେ ସରକାର, ସରକାରୀ କର୍ମଚାରୀମାନଙ୍କ ସମେତ ଜନସାଧାରଣ ଓ ସାମାଜିକ ଅନୁଷ୍ଠାନମାନଙ୍କର ମଧ୍ୟ ଗୁରୁ ଦାୟିତ୍ୱ ରହିଛି। ଓଡ଼ିଶା ବିକାଶ ସମାବେଶ ଏହି ଦିଗରେ ଏକ ଅନନ୍ୟ ପ୍ରୟାସ ଏବଂ ସକରାତ୍ମକ ମନୋଭାବ ସହ ସମସ୍ତଙ୍କର ମିଳିତ ଉଦ୍ୟମ ଜାରି ରହିଲେ ଆମ ରାଜ୍ୟ ଆହୁରି ଦ୍ରୁତ ଗତିରେ ପ୍ରଗତିଶୀଳ ହୋଇପାରିବ ବୋଲି ଶ୍ରୀ ପାତ୍ର ମତବ୍ୟକ୍ତ କରିଛନ୍ତି।

ଉଦଯାପନ ସମାରୋହରେ ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷର ଅଧ୍ୟକ୍ଷ ଡକ୍ଟର ସୁବ୍ରତ ବାଗଚୀ ପରିବର୍ତ୍ତନକାରୀର ସ୍ୱଭାବ ଓ ଗୁଣଗୁଡ଼ିକ ଉପରେ ଆଲୋକପାତ କରିଥିଲେ। ଚିରସ୍ଥାୟୀ ଓ ନିରନ୍ତର ବିକାଶ ପ୍ରକ୍ରିୟା ବଜାୟ ରଖିବାକୁ ହେଲେ ପ୍ରତ୍ୟେକ କ୍ଷେତ୍ରରେ ପରିବର୍ତ୍ତନକାରୀଙ୍କ ଆବଶ୍ୟକତା ରହିଛି। ଜଣେ ପରବର୍ତ୍ତନକାରୀଙ୍କ ମନ, ହୃଦୟ ଓ ଭବିଷ୍ୟତ କାର୍ଯ୍ୟ ଖସଡ଼ା ପ୍ରସ୍ତୁତି ଦକ୍ଷତା ସମ୍ପର୍କରେ ନିଜର ମତ ରଖି ଡକ୍ଟର ବାଗ୍‍ଚୀ କହିଲେ ଯେ, ନିରନ୍ତର ବିକାଶ ଓ ଆଖିଦୃଶିଆ ପରିବର୍ତ୍ତନ ଆଣିବାକୁ ହେଲେ ବ୍ୟକ୍ତିଗତ ସ୍ତରରେ ଅନେକ କଷ୍ଟ ସହିବାକୁ ପଡ଼େ।

ଏହା ଜଣେ ସାଧାରଣ ବ୍ୟକ୍ତିଙ୍କୁ ଦୂରଦର୍ଶୀ ଭାବେ ଗଢ଼ି ତୋଳିଥାଏ ଏବଂ ସେହି ଦୂରଦୃଷ୍ଟି ସମସ୍ତଙ୍କ ଅନ୍ତର୍ଭୁକ୍ତିକରଣ ସହ ଭବିଷ୍ୟତର ଏକ ନିରନ୍ତର ବିକାଶ ଖସଡ଼ା ପ୍ରସ୍ତୁତିରେ ସହାୟକ ହୋଇଥାଏ। ବିକାଶ ପଦକ୍ଷେପକୁ ତ୍ୱରାନ୍ୱିତ କରିବାକୁ ସାମାଜିକ କ୍ଷେତ୍ରରେ ଯୋଜନା ଓ କାର୍ଯ୍ୟକ୍ରମର ସଞ୍ଚାଳନ ଉପରେ ଗୁରୁତ୍ୱ ଦିଆଯିବା ଆବଶ୍ୟକ। ଏଥି ସକାଶେ ତୃଣମୂଳ ସ୍ତରରେ ସ୍ୱାୟତ୍ତ ଶାସନ ବ୍ୟବସ୍ଥାକୁ ସୁଦୃଢ଼ କରିବା ସହ ଜନ ତଦାରଖ ପ୍ରକ୍ରିୟା ମାଧ୍ୟମରେ ବିକେନ୍ଦ୍ରିକରଣ ଉତ୍ତରଦାୟିତ୍ୱ ବ୍ୟବସ୍ଥାକୁ ସୁନିଶ୍ଚିତ କରିବା ନିହାତି ଜରୁରୀ ବୋଲି ଶ୍ରୀ ବାଗ୍‍ଚୀ ମତ ପୋଷଣ କରିଛନ୍ତି।

ଦୃଷ୍ଟିଭଙ୍ଗୀ ବଦଳିଲେ ବିକାଶ ପ୍ରକ୍ରିୟା ତ୍ୱରାନ୍ୱିତ ହେବ ଏବଂ ଓଡ଼ିଶାରେ କିଛି ନାହିଁ କହିବା ଅପେକ୍ଷା ଅଛି ବୋଲି କହିବାକୁ ସେ ପରାମର୍ଶ ଦେଇଥିଲେ।

ଭାରତ ସରକାରଙ୍କ ଶ୍ରମ ଓ ସଂସଦୀୟ ମନ୍ତ୍ରାଳୟର ପୂର୍ବତନ ସଚିବ ଡକ୍ଟର ଲକ୍ଷ୍ମୀଧର ମିଶ୍ର ତିନି ଦିନିଆ ଓଡ଼ିଶା ବିକାଶ ସମ୍ମିଳନୀ ରାଜ୍ୟର ବିକାଶରେ ଏକ ନୂଆ ଅଧ୍ୟାୟ ଯୋଡ଼ିଥିବା ସୂଚାଇଥିଲେ। ଏହି ସମାବେଶରେ ରାଜ୍ୟର ଏକାଧିକ ବିଶ୍ୱ ବିଦ୍ୟାଳୟ ପ୍ରଥମ ଥର ଅଂଶଗ୍ରହଣ କରିଥିଲେ। ଅଂଶଗ୍ରହଣ କରିଥିବା ସମସ୍ତ ବିଶ୍ୱ ବିଦ୍ୟାଳୟର କୁଳପତିମାନଙ୍କ ପାଇଁ ଏହି ଅନୁଭବ ନିଶ୍ଚିତ ଭାବେ ବିକାଶ ପ୍ରକ୍ରିୟାରେ ସାମିଲ ହେବା ପାଇଁ ରାସ୍ତା ଫିଟାଇଛି ବୋଲି ଓଡିଶା ରାଜ୍ୟ ମୁକ୍ତ ବିଶ୍ୱ ବିଦ୍ୟାଳୟ କୁଳପତି ଡକ୍ଟର ଶ୍ରୀକାନ୍ତ ମହାପାତ୍ର କହିଛନ୍ତି।

ବିଶ୍ୱ ବିଦ୍ୟାଳୟମାନେ ତୃଣମୂଳ ସ୍ତରର ପାରମ୍ପରିକ ଜ୍ଞାନକୌଶଳ ଓ ଦକ୍ଷତା ଆଦିକୁ ସ୍ୱୀକୃତି ଦେବା ଦିଗରେ ଓଡ଼ିଶା ବିକାଶ ସମାବେଶ ସୁଯୋଗ ସୃଷ୍ଟି କରିଥିବା ଏବଂ ସେଗୁଡିକୁ ପାଠ୍ୟକ୍ରମର ରୂପ ଦେବା ନିହାତି ଆବଶ୍ୟକ ବୋଲି ଡକ୍ଟର ମହାପାତ୍ର ମତବ୍ୟକ୍ତ କରିଥିଲେ। ବିକାଶ ସଂକ୍ରାନ୍ତ ଏକ ସ୍ୱତନ୍ତ୍ର ପାଠ୍ୟକ୍ରମ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱ ବିଦ୍ୟାଳୟ ଖୋଲିବାକୁ ଡକ୍ଟର ମହାପାତ୍ର ପ୍ରତିଶ୍ରୁତି ଦେବା ସହ ଏହି ପାଠ୍ୟକ୍ରମର ସ୍ୱରୂପ ସାମାଜିକ ଅନୁଷ୍ଠାନମାନେ ପ୍ରସ୍ତୁତ କରିବାକୁ ପ୍ରସ୍ତାବ ଦେଇଥିଲେ।

ରାଜ୍ୟରେ ଶିକ୍ଷା ବ୍ୟବସ୍ଥାରେ ଗୁଣାତ୍ମକମାନ ବୃଦ୍ଧି ପାଇଁ ପାଠ୍ୟ ପୁସ୍ତକର ବିଷୟବସ୍ତୁଠାରୁ ଦକ୍ଷତା ଓ ଯୋଗ୍ୟତା ଭିତ୍ତିକମାନକ ନିର୍ଦ୍ଧାରଣ ଅଧିକ ଗୁରୁତ୍ୱ ବହନ କରୁଛି ବୋଲି ରାଷ୍ଟ୍ରିୟ ଶୈକ୍ଷିକ ଗବେଷଣା ଓ ପ୍ରଶିକ୍ଷଣ ପରିଷଦ ନିର୍ଦ୍ଦେଶକ ଡକ୍ଟର ହୃଷିକେଶ ସେନାପତି ମତ ପୋଷଣ କରିଛନ୍ତି।

ସମଗ୍ର ଦେଶରେ ବର୍ତ୍ତମାନ ଶିକ୍ଷକ ତାଲିମ ସଂସ୍ଥାଗୁଡିକୁ ମଜଭୁତ କରିବା ନିହାତି ଅପରିହାର୍ଯ୍ୟ ବୋଲି ଡକ୍ଟର ସେନାପତି ସମାବେଶରେ ଯୋଗଦେଇ କହିଛନ୍ତି। ଏହି ସମ୍ମିଳନୀରେ ମୟୂରଭଞ୍ଜରୁ ମାଲକାନାଗିରି, ବାଲେଶ୍ୱରରୁ ନବରଙ୍ଗପୁର ଯାଏ ୩୦ ଜିଲ୍ଲାର ପ୍ରତିନିଧିତ୍ୱ ରହିଥିବା ଓ ଓଡ଼ିଶା ସମେତ ୯ଟି ରାଜ୍ୟର ୬୫ ସଂଗଠନ ଯୋଡ଼ି ହେବା ଏକ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି ବୋଲି ଓଡିଶା ବିକାଶ ସମାବେଶର ଆବାହକ ଜଗଦାନନ୍ଦ କହିଛନ୍ତି।

ଓଡ଼ିଶା ବିକାଶ ସମ୍ମିଳନୀରେ ୧୯ଟି ପ୍ରସଙ୍ଗକୁ ନେଇ ଯେଉଁ ପରାମର୍ଶ ଆସିଛି ସେଥିରୁ ଦୀର୍ଘକାଳୀନ ଓ ସ୍ୱଳ୍ପକାଳୀନ ସମାଧାନର ମନ୍ତ୍ର ରହିଛି। ଆଗତ ପ୍ରସ୍ତାବଗୁଡ଼ିକର ଏକ ସବିଶେଷ ଦସ୍ତାବିଜ ପ୍ରସ୍ତୁତ କରାଯାଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନିକଟରେ ଉପସ୍ଥାପିତ କରାଯିବାର ଖସଡ଼ା ରହିଛି ବୋଲି ସେ ସୂଚନା ଦେଇଥିଲେ। ଏହି ଅବସରରେ ସିୱାଇଏସ୍‍ଡିର ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Comment