ଓଡ଼ିଶାଲାଇଭ୍ ବ୍ୟୁରୋ

ବାଲେଶ୍ଵର ଜିଲ୍ଲା ବାହାନଗା ରେଳ ଷ୍ଟେସନରେ ହୋଇଥିବା ସିରିଜ ରେଳ ଦୁର୍ଘଟଣାରେ ଉଜୁଡ଼ି ଗଲା ଅନେକ ହସ ଖୁସିର ସଂସାର। ଜୁନ ୨ ତାରିଖ, ଶୁକ୍ରବାର ସନ୍ଧ୍ୟାରେ କରମଣ୍ଡଳ ରଚିଥିଲା ମୃତ୍ୟୁର ତାଣ୍ଡବ। ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଆଖିପିଛୁଳାକେ ଚାଲିଗଲା ଶତାଧିକ ଜୀବନ, ହଜାରେରୁ ଅଧିକ ଆହତ ହୋଇ ଯନ୍ତ୍ରଣାରେ ଛଟପଟ ହେଲେ। ସବୁଥର ପରି ଏହି ମହାବିପତ୍ତି ସମୟରେ ସହାୟତାର ହାତ ବଢ଼ାଇବାକୁ ଦୁର୍ଘଟଣାସ୍ଥଳରେ ପହଞ୍ଚିଥିଲା ଓଡ଼ିଶାର ସିଭିଲ୍ ସୋସାଇଟି।

“ବାହାନଗା ଟ୍ରେନ ଦୁର୍ଘଟଣା ଏକ ମହାବିପତ୍ତି ଭଳି ମାଡ଼ି ଆସିଲା। ଅନେକ ଲୋକ ଏଥିରେ ପ୍ରଭାବିତ ହେଲେ। ଏଭଳି ବିପଦ ସମୟରେ ସରକାରଙ୍କ ସହିତ ବିଭିନ୍ନ ସ୍ୱେଚ୍ଛାସେବୀ ସଙ୍ଗଠନମାନେ ଯେଉଁଭଳି ଏକଜୁଟ ହୋଇ କାମ କଲେ ତା’ ଦ୍ୱାରା ଅନେକ ଉପକୃତ ହୋଇପାରିଛନ୍ତି”, କହନ୍ତି ସମାଜସେବୀ ତଥା ସେଣ୍ଟର ଫର୍ ୟୁଥ୍ ଆଣ୍ଡ୍ ସୋସିଆଲ ଡେଭେଲପମେଣ୍ଟର ସହ-ପ୍ରତିଷ୍ଠାତା ଜଗଦାନନ୍ଦ।

ବାହାନଗା ଟ୍ରେନ ଦୁର୍ଘଟଣାରେ ମୃତ ଏବଂ ଆହତମାନଙ୍କୁ ଉଦ୍ଧାର କରିବାକୁ ଦୁର୍ଘଟଣାସ୍ଥଳରେ ପହଞ୍ଚିଥିଲେ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ଓ ସ୍ଥାନୀୟ ଯୁବଗୋଷ୍ଠୀ। କାହାରିକୁ ଅପେକ୍ଷା ନକରି ଲାଗି ପଡ଼ିଥିଲେ ଉଦ୍ଧାର କାର୍ଯ୍ୟରେ। ନିଜସ୍ଵ ଉଦ୍ୟମରେ ଆହତମାନଙ୍କୁ ପହଞ୍ଚାଇଥିଲେ ଡାକ୍ତରଖାନାରେ। ନିଜର ମଣିଷ ପରି ଲାଗିପଡ଼ିଲେ ଆହତଙ୍କ ସେବାରେ।

କେବଳ ସେତିକି ନୁହେଁ ମୃତଦେହ ଚିହ୍ନଟ କରିବାଠାରୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ପର୍ଯ୍ୟନ୍ତ ସେମାନଙ୍କ ପାଖରେ ଛିଡ଼ା ହୋଇଛନ୍ତି ସ୍ୱେଚ୍ଛାସେବୀମାନେ। ଏହା ସହ ଏହି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଥିବା ଯାତ୍ରୀଙ୍କ ରହିବା ଖାଇବା ପାଇଁ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ବ୍ୟବସ୍ଥା କରାଯାଇଥିବା କୁହନ୍ତି ଜଗଦାନନ୍ଦ।

କିଏ ପରେ କିଏ ନିଜର ନଭାବି ସ୍ୱେଚ୍ଛାସେବୀମାନଙ୍କ ଏହି ନିଷ୍ଠାପର ସେବା ସାଧାରଣ ଜନତାଙ୍କୁ ପ୍ରେରଣା ଯୋଗାଇବ ବୋଲି ସେ କୁହନ୍ତି।

Tags: #BahanagaTrainTragedy #OdishaTrainAccident #Rescue #Jagadananda

Comment