ଓଡ଼ିଶାଲାଇଭ୍‌ ବ୍ୟୁରୋ

“ଓଡ଼ିଶାର ବିକାଶରେ ଅନେକ ସମସ୍ୟା ରହିଛି। ସମସ୍ୟା ସମାଧାନ କରି ଓଡ଼ିଶାକୁ ବିକାଶ ପଥରେ ଆଗେଇ ନେବା ପାଇଁ ‘ଓଡ଼ିଶା ବିକାଶ କନକ୍ଲେଭ’ ଆୟୋଜନ କରାଯାଉଛି। ଓଡ଼ିଶା ବିକାଶ ସହ ଜଡ଼ିତ ବ୍ୟକ୍ତିବିଶେଷ, ଅଧିକାରୀ ଏବଂ ବିଭିନ୍ନ ସଂସ୍ଥା ଏକାଠି ହୋଇ ଓଡ଼ିଶାର ବିକାଶ ଲାଗି ରୋଡମ୍ୟାପ୍ ପ୍ରସ୍ତୁତ କରିବା ପାଇଁ ଓଡ଼ିଶା ବିକାଶ କନକ୍ଲେଭ ଏକ ସୁଯୋଗ ସୃଷ୍ଟି କରିଛି”, କହିଛନ୍ତି ସିୱାଇଏସ୍‌ଡିର ସହ ପ୍ରତିଷ୍ଠାତା ତଥା ‘ଓଡ଼ିଶା ବିକାଶ କନକ୍ଲେଭ’ର ଆବାହକ ଜଗଦାନନ୍ଦ।

ଭୁବନେଶ୍ୱରରେ ତିନି ଦିନ ଧରି ଚାଲିଥିଲା ଓଡ଼ିଶା ବିକାଶ କନକ୍ଲେଭର ଦ୍ୱିତୀୟ ସଂସ୍କରଣ। ଏଥିରେ ୯ଟି ରାଜ୍ୟର ୬୫ଟି ସଙ୍ଗଠନ ଓ ୨୬୭୦ ପ୍ରତିନିଧି ଯୋଗଦେଇ ଓଡ଼ିଶାର ବିକାଶ ସମ୍ପର୍କରେ ମାନସ ମନ୍ଥନ କରିଛନ୍ତି। କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କର ବିଭିନ୍ନ ବିଭାଗର ଅଧିକାରୀ, ସିଭିଲ ସୋସାଇଟି, ବିଭିନ୍ନ ସ୍ୱେଚ୍ଛାସେବୀ ସଙ୍ଗଠନ ନୀତି ନିର୍ଦ୍ଧାରକ, ଶିକ୍ଷାବିତ୍, ପଞ୍ଚାୟତିରାଜ ସଂସ୍ଥାର ପ୍ରତିନିଧି ଉପସ୍ଥିତ ରହି ଓଡ଼ିଶା ବିକାଶରେ ପ୍ରତିବନ୍ଧକ ସାଜୁଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ।

ଓଡ଼ିଶାର ବିକାଶ କ୍ଷେତ୍ରରେ ସରକାରଙ୍କର ବଡ଼ ଭୂମିକା ରହିଛି। ଓଡ଼ିଶା ବିକାଶ କନକ୍ଲେଭରେ ଯେଉଁସବୁ ବିଷୟରେ ଆଲୋଚନା କରାଯାଇଥାଏ ତାହା ସରକାରଙ୍କ ପାଖରେ ପହଞ୍ଚାଇବା ପାଇଁ ଏହି କନକ୍ଲେଭ ଆୟୋଜନର ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିଛନ୍ତି ଜଗଦାନନ୍ଦ।

“ଓଡ଼ିଶା ବିକାଶର ପ୍ରମୁଖ ଅଙ୍ଗ ହେଉଛନ୍ତି ତୃଣମୂଳ ସ୍ତରର ଲୋକ। କାରଣ ତୃଣମୂଳ ସ୍ତରରେ କ’ଣ ସବୁ ଅସୁବିଧା ରହିଛି ତାହା ସେମାନେ ହିଁ ସାମ୍ନା କରିଥାନ୍ତି। ସେମାନଙ୍କ ସ୍ୱର ସରକାରଙ୍କ ପାଖରେ ପହଞ୍ଚି ପାରେ ନାହିଁ। ତୃଣମୂଳ ସ୍ତରରେ ରହିଥିବା ସମସ୍ୟା ସମାଧାନ କରିବା ପାଇଁ ଏବଂ ଲୋକଙ୍କ ସ୍ୱରକୁ ସରକାରଙ୍କ ପାଖରେ ପହଞ୍ଚାଇବା ପାଇଁ ‘ଓଡ଼ିଶା ବିକାଶ କନକ୍ଲେଭ’ ଆୟୋଜନ କରାଯାଉଛି”, କହିଛନ୍ତି ଜଗଦାନନ୍ଦ।

ବିଶ୍ୱବିଦ୍ୟାଳୟ ମଧ୍ୟ ଓଡ଼ିଶା ବିକାଶର ଏକ ପ୍ରମୁଖ ଅଙ୍ଗ ଭାବେ ଯୋଡ଼ି ହୋଇଛି। ହେଲେ ବିଶ୍ୱବିଦ୍ୟାଳୟ ମାଧ୍ୟମରେ ଓଡ଼ିଶା କେତେ ବିକାଶ ପଥରେ ଆଗେଇଛି ସେ ବିଷୟରେ ଆଲୋଚନା କରାଯାଇଛି ଏହି କନକ୍ଳେଭରେ। ବିଭିନ୍ନ ଗୋଷ୍ଠୀର ଉନ୍ନତି ଏବଂ ଓଡ଼ିଶାର ବିକାଶ ପାଇଁ ଆଗାମୀ ଦିନରେ ବିଶ୍ୱବିଦ୍ୟାଳୟମାନଙ୍କର ଭୂମିକା କ’ଣ ରହିବ ସେନେଇ ମଧ୍ୟ ଆଲୋଚନା କରାଯାଇଥିଲା।

Comment