ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶା ବିକାଶ କନକ୍ଲେଭ ଉଦଘାଟନୀ ସମାରୋହରେ ନୀତି ଆୟୋଗ ଉପାଧ୍ୟକ୍ଷ ଡକ୍ଟର ରାଜୀବ କୁମାର ଯୋଗଦେଇ ଓଡ଼ିଶା ଆଜି ପଛୁଆ ବୋଲି କହିଛନ୍ତି।

“ସାମାଜିକ ଅସମାନତା, ଅପପୁଷ୍ଟି ଓ ଶିକ୍ଷାଦାନ ବ୍ୟବସ୍ଥାରେ ଗୁଣାତ୍ମକ ମାନ ହ୍ରାସ ହେଉଛି ବିକାଶ ମାର୍ଗର ମୁଖ୍ୟ ପ୍ରତିବନ୍ଧକ। ପ୍ରାକୃତିକ ସମ୍ବଳରେ ଭରପୁର ତଥା ସଂସ୍କୃତି ଓ ପରମ୍ପରା ସମୃଦ୍ଧ ଓଡ଼ିଶା ଆଜି ବି ପଛୁଆ ରାଜ୍ୟ ଭାବେ ପରିଗଣିତ। ରାଜ୍ୟରେ ପ୍ରତି ୧୦ ଜଣ ଶିଶୁରେ ୪ ଜଣ ଅପପୁଷ୍ଟି ଏବଂ ମାନସିକ ଅନଗ୍ରସରର ଶିକାର ଅଛନ୍ତି। ଏହା ନିଶ୍ଚିତ ଭାବେ ଏକ ସତର୍କ ଘଣ୍ଟି”, କହିଛନ୍ତି ନୀତି ଆୟୋଗ ଉପାଧ୍ୟକ୍ଷ ଡକ୍ଟର ରାଜୀବ କୁମାର।

ଓଡ଼ିଶା ବିକାଶ କନକ୍ଲେଭ୍-୨୦୧୮ର ଉଦ୍‍ଘାଟନୀ ଉତ୍ସବରେ ଯୋଗ ଦେଇଥିଲେ ରାଜୀବ କୁମାର। ଏହି ଅବସରରେ ସେ କହିଛନ୍ତି ଯେ ଗୁଣାତ୍ମକ ଶିକ୍ଷା ସୁନିଶ୍ଚିତ କରିବା ପାଇଁ କେନ୍ଦ୍ର ସରକାର ମୌଳିକ ଶିକ୍ଷାରେ ପ୍ରଦର୍ଶନ ଭିତ୍ତିକ ଉତ୍ତରଦାୟିତ୍ୱ ପଦକ୍ଷେପ ନେବାକୁ ଯୋଜନା କରୁଛନ୍ତି। ଏଥି ନିମନ୍ତେ ସମସ୍ତ ରାଜ୍ୟ ସରକାରଙ୍କ ସହଯୋଗ ନିହାତି ଆବଶ୍ୟକ।

ତିନି ଦିନ ଧରି ଚାଲିବାକୁ ଥିବା ଏହି ସମାବେଶରେ ୧୯ଟି ସମସ୍ୟା ଭିତ୍ତିକ ସମାନ୍ତରାଳ ଆଲୋଚନାଚକ୍ରରେ ରାଜ୍ୟ ତଥା ରାଜ୍ୟ ବାହାରୁ ପ୍ରାୟ ୧ ହଜାରରୁ ଅଧିକ ପ୍ରତିନିଧି ଭାଗ ନେଇଛନ୍ତି।

ମାନବ ସମ୍ବଳ ବିକାଶ ଓ ସାମାଜିକ କ୍ଷେତ୍ରରେ ଅଧିକ ପାଣ୍ଠି ବିନିଯୋଗ କରି ଦକ୍ଷ ଓ କୁଶଳୀ ମାନବ ସମ୍ବଳ ବୃଦ୍ଧି କରାଯିବା ଦରକାର। ଶ୍ରମ ଭିତ୍ତିକ ଶିଳ୍ପ ଉଦ୍ୟୋଗର ବିକାଶ ଭାରତ ପାଇଁ ଏକମାତ୍ର ବିକଳ୍ପ ବୋଲି ରାଜୀବ କୁମାର କହିଛନ୍ତି।

“ସାମାଜିକ ଅନୁଷ୍ଠାନ, ନୀତି ନିର୍ଦ୍ଧାରକ, ସରକାରୀ ଅଧିକାରୀ, ବିଭିନ୍ନ ସଙ୍ଗଠନ, ବିଶ୍ୱବିଦ୍ୟାଳୟ ଆଦି ସମାଜର ପ୍ରତ୍ୟେକ ବର୍ଗର ପ୍ରତିନିଧିମାନଙ୍କ ପାଇଁ ଓଡିଶା ବିକାଶ କନକ୍ଲେଭ ଏକ ସ୍ୱତନ୍ତ୍ର ସୁଯୋଗ ସୃଷ୍ଟି କରିଛି। ଆଲୋଚନା, ସମାଲୋଚନା ଓ ସ୍ଥିତିର ତର୍ଜମା ମାଧ୍ୟମରେ ହିଁ ପ୍ରକୃତ ବିକାଶର ବାଟ ବାହାରି ପାରିବ”, କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ କେନ୍ଦ୍ର ହୁଅନ୍ତୁ କି ରାଜ୍ୟ ସରକାର ସମସ୍ତେ ଲୋକାଭିମୁଖି ଯୋଜନା ପ୍ରସ୍ତୁତ କରିଥାନ୍ତି। କିନ୍ତୁ କାର୍ଯ୍ୟକ୍ରମଗୁଡ଼ିକର ସଠିକ ସମୟ ତଥା ସଫଳ ରୂପାୟନ କରିବା ବିକାଶ ପ୍ରକ୍ରିୟାରେ ସବୁଠାରୁ ବଡ଼ ଆହ୍ୱାନ।

ଏହି ଅବସରରେ ୟୁନେସ୍କୋ ଗୋଷ୍ଠୀ ସ୍ତରୀୟ ଗବେଷଣା ଏବଂ ସାମାଜିକ ଦାୟିତ୍ୱର ଉପାଧ୍ୟକ୍ଷ ଡକ୍ଟର ରାଜେଶ ଟଣ୍ଡନ କହିଲେ ଯେ ବର୍ତ୍ତମାନ ସାରା ବିଶ୍ୱରେ ନିରନ୍ତର ବିକାଶ ଲକ୍ଷ୍ୟ ହାସଲ ଦିଗରେ ତତ୍ପରତା ପ୍ରକାଶ ପାଇଛି। ଏହି ଲକ୍ଷ୍ୟ ହାସଲ ଦିଗରେ ସରକାରଙ୍କ ସହ ସାମାଜିକ ଅନୁଷ୍ଠାନ ଏବଂ ଗୋଷ୍ଠୀ ସ୍ତରର ସଂଗଠନମାନେ ମିଳିତ ଭାବେ ପ୍ରୟାସ କରିବା ଜରୁରି। ସମସ୍ତଙ୍କ ସହ ଆଲୋଚନା ଓ ସହଯୋଗରେ ହିଁ ନିରନ୍ତର ବିକାଶର ରୂପରେଖ ମିଳିପାରିବ।

ପଦ୍ମଶ୍ରୀ ତୁଳସୀ ମୁଣ୍ଡା କହିଥିଲେ ଯେ ସ୍ୱାଧିନତାର ସାତ ଦଶନ୍ଧି ପରେ ରାଜ୍ୟର ଆଦିବାସୀ ବହୁଳ ଜିଲ୍ଲାଗୁଡ଼ିକ ଏବେ ବି ବିକାଶଠାରୁ ବହୁ ଦୂରରେ। ଏହି ଅଞ୍ଚଳଗୁଡ଼ିକରେ ବିକାଶମୂଳକ କାର୍ଯ୍ୟକ୍ରମ କେବଳ ଲୋକମାନଙ୍କୁ ସଶକ୍ତିକରଣ, ସଚେତନ ଓ ସେମାନଙ୍କର ସହଭାଗିତାରେ ସମ୍ଭବ ହୋଇପାରିବ।

ଓଡ଼ିଶା ବିକାଶ କନକ୍ଲେଭର ଆବାହକ ଏବଂ ସିୱାଇଏସ୍‍ଡି ସହ-ପ୍ରତିଷ୍ଠାତା ଜଗଦାନନ୍ଦ ସ୍ୱାଗତ ଭାଷଣ ଦେଇଥିବା ବେଳେ ସ୍ୱାଭିମାନର ସାଧାରଣ ସମ୍ପାଦକ ଡକ୍ଟର ଶ୍ରୁତି ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Comment