ଓଡ଼ିଶାଲାଇଭ୍‌ ପଲିଟିକାଲ୍ ବ୍ୟୁରୋ

ରାଜ୍ୟସଭା ନିର୍ବାଚନରେ ଏନଡିଏକୁ ବିଜେଡି ସମର୍ଥନ କରିଥିବାରୁ ଓଡ଼ିଶାରେ ପ୍ରସ୍ତାବିତ ବିଧାନ ପରିଷଦକୁ କେନ୍ଦ୍ର ସରକାର ଅନୁମୋଦନ କରନ୍ତୁ ବୋଲି ନବୀନ ଚାହୁଁଛନ୍ତି!

ନବୀନ ପଟ୍ଟନାୟକଙ୍କୁ ମୋଦି ସରକାର ଯେଉଁ ଫେରସ୍ତ ଉପହାର ଦେବାକୁ ଯାଉଛନ୍ତି ତାହା ଅସମ୍ଭବ ତ ନୁହେଁ, କିନ୍ତୁ ମୁସ୍କିଲ ନିଶ୍ଚିତ। ରାଜ୍ୟସଭା ଉପସଭାପତି ନିର୍ବାଚନରେ ସମର୍ଥନ ଜଣାଇଥିବାରୁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋଦି ସରକାରଙ୍କଠାରୁ ପୁରସ୍କାର ଆକାରରେ ବିଧାନ ପରିଷଦ ପ୍ରସ୍ତାବର ମଞ୍ଜୁରୀ ଚାହୁଁଛନ୍ତି।

କିସ୍ତି ବରାବର ନ୍ୟାୟରେ ଆମେ ତୁମକୁ ସାହାଯ୍ୟ କଲୁ ଏବେ ତୁମେ ଆମକୁ ସାହାଯ୍ୟ କର ଏହିଭଳି ଏକ ହିସାବ ନିକାଶ ଉଭୟ ଦଳ ଭିତରେ ଚାଲିଥିବା ଆଲୋଚନା ହେଉଛି। ବର୍ତ୍ତମାନ ଅପେକ୍ଷା କରି ଦେଖିବାକୁ ହେବ ରିଟର୍ଣ୍ଣ ଗିଫ୍ଟ ବଦଳରେ ମୋଦି ନବୀନଙ୍କଠାରୁ ଆଉ କ’ଣ ସବୁ ଆଶା ରଖିଛନ୍ତି?

ନିକଟରେ ଅନୁଷ୍ଠିତ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥିଲେ। ଏହି ଘଟଣା ପରେ ନବୀନ ଏବେ ଦିଲ୍ଲୀରେ ‘କିଙ୍ଗ ମେକର’ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି। ଅବଶ୍ୟ ନବୀନ ଏ କଥା ଢେର ଆଗରୁ ଜାଣିଥିଲେ କିନ୍ତୁ ତାଙ୍କ କାର୍ଡ ଖୋଲୁ ନଥିଲେ। ସମର୍ଥନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫୋନ କଲ ପାଉ ପାଉ ନବୀନ ‘ହଁ’ ମାରିବା ଘଟଣାର ତର୍ଜମା କରିବାକୁ ଗଲେ ଏହା ପଛରେ ଏକ ବଡ଼ ସ୍ୱାର୍ଥ ନିହିତ ଥିଲା ବୋଲି ସ୍ପଷ୍ଟ ହେବାରେ ଲାଗିଛି। ସେହି ସ୍ୱାର୍ଥଟି ହେଉଛି ଓଡ଼ିଶାରେ ବିଧାନ ପରିଷଦ ଗଠନ ପ୍ରସ୍ତାବକୁ କେନ୍ଦ୍ରର ଅନୁମୋଦନ।

ଇତି ମଧ୍ୟରେ ଏ ନେଇ ଓଡ଼ିଶା ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି। ବିଧାନସଭାର ମୌସୁମୀ ଅଧିବେଶନରେ ଏହି ବିଲ୍ ଆସିବାର କାର୍ଯ୍ୟକ୍ରମ ରହିଛି।

ବିଧାନ ପରିଷଦ ଜରୁରି କି?

ଓଡ଼ିଶାରେ ବିଧାନ ପରିଷଦ ଗଠନର ଇତିହାସ ରୋମାଞ୍ଚକର ନହେଲେ ମଧ୍ୟ ରୋଚକ ନିଶ୍ଚିତ। ୨୦୧୫ରେ ନୃସିଂହ ଚରଣ ସାହୁଙ୍କ ଅଧ୍ୟକ୍ଷତାରେ ଏଥିପାଇଁ ଏକ କମିଟି ଗଠନ ହୋଇଥିଲା। ଏଥିରେ ବିଜେପି ଓ କଂଗ୍ରେସର ବିଧାୟକଙ୍କୁ ବି ସଦସ୍ୟ କରାଯାଇଥିଲା। କମିଟିର ସଦସ୍ୟମାନେ ବିହାର, ତେଲେଙ୍ଗାନା, ମହାରାଷ୍ଟ୍ର ଓ କର୍ଣ୍ଣାଟକ ଗସ୍ତ କରି ସେଠାକାର ବିଧାନ ପରିଷଦର କାର୍ଯ୍ୟଧାରା ଉପରେ ଅନୁଧ୍ୟାନ କରି ଫେରିଥିଲେ। ଏହି କମିଟିର ରିପୋର୍ଟ ବର୍ତ୍ତମାନ ମୁଖ୍ୟମନ୍ତ୍ରୀଙ୍କ ପାଖରେ। ଯଦି ବର୍ଷା ଅଧିବେଶନରେ ପ୍ରକୃତରେ ବିଲ୍‌ଟି ଆସେ,ଏହା ଉପରେ ଆଲୋଚନା କରାଯିବ ଓ ଗୃହୀତ ହେବା ପରେ ମଞ୍ଜୁରୀ ପାଇଁ କେନ୍ଦ୍ରକୁ ପଠାଯିବ।

ବିଲ୍‌ଟି ପ୍ରଥମେ ଲୋକସଭାରେ ଓ ପରେ ରାଜ୍ୟସଭାରେ ଗୃହୀତ ହେବା ପରେ ରାଷ୍ଟ୍ରପତି ଏଥିରେ ମୋହର ମାରିବେ ଓ ତା’ପରେ ଯାଇ ବିଧାନ ପରିଷଦ ଗଠନର ପ୍ରକ୍ରିୟା ଆରମ୍ଭ ହେବ। ଶୁଣାଯାଉଛି ଓଡ଼ିଶା ବିଧାନ ପରିଷଦ ତେଲେଙ୍ଗାନା ଢାଞ୍ଚାରେ ଗଠିତ ହେବ।

କେବେ ହେବ ପରିଷଦ?

ପ୍ରସ୍ତାବିତ ବିଧାନ ପରିଷଦକୁ ନେଇ ପ୍ରଥମ ପ୍ରଶ୍ନ ଉଠୁଛି ବିଧାନସଭା ନିର୍ବାଚନ ପୂର୍ବରୁ ବିଧାନ ପରିଷଦ ଗଠନର ଆବଶ୍ୟକତା କାହିଁକି ଦେଖାଦେଲା? ଗୋଟିଏ କାରଣ ହେଉଛି ୨୦୧୯ରେ ନବୀନଙ୍କ ସରକାର ବିରୋଧରେ ଜନମତ ଯିବାର ପ୍ରବଳ ଆଶଙ୍କା କରାଯାଉଛି। ଦ୍ୱିତୀୟ, ବିଜେପି ଗତ କିଛି ମାସ ଧରି ଖୁବ୍ ସକ୍ରିୟ ହୋଇ ରହିଛି। ତାଛଡ଼ା କଂଗ୍ରେସ ମଧ୍ୟ ତାର ଶକ୍ତି ପ୍ରଦର୍ଶନ ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛି।

ଏହି ପରିସ୍ଥିତିରେ ଯଦି ବିଧାନ ପରିଷଦ ଗଠନ ହୋଇଯାଏ, ନବୀନଙ୍କ ଡବଲ ନୁହେଁ ଟ୍ରିପଲ ଲାଭ ହେବ ବୋଲି ଚର୍ଚ୍ଚା ହେଉଛି। ପ୍ରଥମ କଥା ହେଉଛି ବିଜେଡିରେ କିଛି କିଛି ବିଧାୟକ ତିନି ଚାରି ଥର ବିଧାନସଭାକୁ ନିର୍ବାଚିତ ହୋଇସାରିଛନ୍ତି। ଆଗାମୀ ନିର୍ବାଚନରେ ନବୀନ ସରକାର ବିରୋଧରେ କ୍ଷମତା-ବିରୋଧୀ ସ୍ୱର ତୀବ୍ର ହେବାର ସମ୍ଭାବନା ଥିବାରୁ ନବୀନ ପଟ୍ଟନାୟକ ଚାହୁଁଛନ୍ତି ୨୦୧୯ ନିର୍ବାଚନରେ କିଛି ନୂଆ ମୁହଁକୁ ମଇଦାନକୁ ଛାଡ଼ିବେ। ଆଉ ଯଦି ନୂଆଙ୍କୁ ସୁଯୋଗ ଦେଉଛନ୍ତି ତେବେ ପୁରୁଣା ନେତାମାନେ ଅସନ୍ତୁଷ୍ଟ ହେବା ସୁନିଶ୍ଚିତ।

ଟିକେଟ ନମିଳିଲେ ଅସନ୍ତୁଷ୍ଟ ବିଜେଡି ବିଧାୟକମାନେ ବିଜେପିକୁ ଯିବାର ସମ୍ଭାବନା ରହିଛି ବୋଲି ମଧ୍ୟ ନବୀନଙ୍କ ପକ୍ଷରୁ ଆକଳନ କରାଯାଇଛି। ଏଣୁ ସେମାନଙ୍କୁ କବଳରେ ରଖିବା ପାଇଁ ବିଧାନ ପରିଷଦର ଯୋଜନା କରାଯାଇଛି। ବିଧାନସଭା ନିର୍ବାଚନ ପୂର୍ବରୁ ବିଧାନ ପରିଷଦ ଗଠନ ହୋଇଗଲେ ଯେଉଁ ମାନଙ୍କ ଟିକେଟ କଟିବ ସେମାନଙ୍କୁ ଆଗରୁ ହିଁ ଏଠି ଆଡଜଷ୍ଟ କରିବା ପାଇଁ ନବୀନ ଚିନ୍ତା କରିଥିବା ଜଣା ପଡ଼ିଛି। ପୁରୁଣା ନେତାମାନଙ୍କୁ ଥଇଥାନ କରିବା ପରେ ନୂଆ ବିଧାୟକଙ୍କୁ ନେଇ ପୁଣିଥରେ କ୍ଷମତାକୁ ଫେରିବା ହେଉଛି ନବୀନଙ୍କ ଅନ୍ତିମ ଲକ୍ଷ୍ୟ।

Comment