ଓଡ଼ିଶାଲାଇଭ୍ ବ୍ୟୁରୋ

ଭେନେଜୁଏଲାରେ ଗଦାରେ ଫୋଫଡା ହେଉଛି ନୋଟ। ବିଶ୍ଵାସ ନ ହେଲେ ବି ସତ। ଆସନ୍ତୁ ଜାଣିବା କାହିଁକି?
ଦରଦାମ ମହଙ୍ଗା ହେବା ଓ ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ କ୍ରମାଗତ ଭାବେ ହ୍ରାସ ପାଇବା ପରେ ମୋଦି ସରକାର ବିରୁଦ୍ଧରେ ଏଠି ଯେଉଁ ବୋବାଲ ଚାଲିଛି ତାହା କିଛି ନୁହେଁ ଯଦି ଅନ୍ୟ ଦେଶର ଅର୍ଥନୀତିକ ଅବସ୍ଥା ଉପରେ ଆମେ ନଜର ପକେଇବା।
ଭେନେଜୁଏଲାରେ ଏବେ ପରିସ୍ଥିତି ଏମିତି ହୋଇଛି ଯେ ଯିଏ ବି ଶୁଣିଲେ ଆଶ୍ଚର୍ଯ୍ୟ ହେବେ। ଦକ୍ଷିଣ ଆମେରିକାର ଏହି ଦେଶରେ ମହଙ୍ଗା ଏଭଳି ସ୍ତରରେ ପହଂଚିଛି ଯେ ଲୋକେ ଟୋକେଇରେ ଟଙ୍କା ଦେଇ କିଲେ ମାଂସ କିଣୁଛନ୍ତି।
ଏହି ହାଇପର ମହଙ୍ଗାକୁ ଦୃଷ୍ଟିରେ ରଖି ଭେନେଜୁଏଲା ସରକାର ନୋଟ ଉପରୁ ୫ଟି ଶୂନ ହଟାଇବା ପାଇଁ ସ୍ଥିର କରିଛନ୍ତି। ଅର୍ଥାତ ୫ ଲକ୍ଷ ବୋଲିଭରର ଦାମ ବର୍ତ୍ତମାନ ମାତ୍ର ୫ ବୋଲିଭର।
ବୋଲିଭର (ଭେନେଜୁଏଲାର ମୁଦ୍ରା)ର ଅବମୂଲ୍ୟାୟାନ ପରେ ସେଠାର ଲୋକେ ନୋଟ ଗୁଡିକୁ ନେଇ ଅଳିଆ ଆବର୍ଜନା ଭିତରେ ଫିଙ୍ଗୁଛନ୍ତି।ଅଶୋଧିତ ତୈଳ ଦରକୁ ନେଇ ଆନ୍ତର୍ଜାତିକ ବଜାରରେ ଯେଉଁ ଅସ୍ଥିରତା ସୃଷ୍ଟି ହୋଇଛି ଭେନେଜୁଏଲାର ମୁଦ୍ରା କାଗଜ ତୁକୁଡ଼ାରେ ପରିଣତ ହେବା ପଛରେ ତାହା ହିଁ ମୁଖ୍ୟ କାରଣ।
ଏଥିବର୍ଷ ଶେଷ ଆଡ଼କୁ ସେଠାରେ ନ୍ୟୁନତମ ମଜୁରୀ ୩୦୦୦ ଗୁଣ ବଢ଼ିପାରେ। ସେହିଭଳି ଦରଦାମ ଏକ ଲକ୍ଷ ଗୁଣ ବଢିବାର ଆଶଙ୍କା ରହିଛି। ଭେନେଜୁଏଲା ସରକାରଙ୍କ ପକ୍ଷରୁ ଏ ନେଇ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି।
ନୂଆ ନୋଟର ପ୍ରସାରଣ ପାଇଁ ସୋମବାର ଦିନ ଦେଶର ସବୁ ବ୍ୟାଙ୍କ ବନ୍ଦ କରାଯାଇଥିଲା। ରାଷ୍ଟ୍ରପତି ନିକୋଲସ ମାଦୁରୋ ଏହି ସଂକଟରୁ ଉଦ୍ଧାର ପାଇବା ପାଇଁ ପେଟ୍ରୋଲିୟମ ପଦାର୍ଥର ଦାମକୁ ଆନ୍ତର୍ଜାତିକ ବଜାର ସହ ଯୋଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି।
ଭେନେଜୁଏଲାରେ ଲୋକଙ୍କୁ ପେଟ୍ରୋଲଜାତ ସାମଗ୍ରୀ ପ୍ରାୟତଃ ମାଗଣାରେ ହିଁ ମିଳିଥାଏ। ଏହା ଫଳରେ ପଡୋଶୀ ଦେଶକୁ ତାହା ଚାଲାଣ ହୋଇଯାଇଥାଏ।

















