ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ସବୁ ରାଜ୍ୟରେ ହେବ ବାଜପେୟୀଙ୍କ ଚିତାଭସ୍ମ ବିସର୍ଜନ
  • ଅସ୍ଥିକଳସ ଆଣି ଭୁବନେଶ୍ୱର ଆସୁଛନ୍ତି ବସନ୍ତ ପଣ୍ଡା
  • ଆସନ୍ତାକାଲି ପୁରୀ ସମୁଦ୍ରରେ ଅସ୍ଥି ବିସର୍ଜନ
  • ୨୪ରେ ଶ୍ରଦ୍ଧାଞ୍ଜଳି ସଭା
  • ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିବ ବିଜେପି

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଚିତାଭସ୍ମ ଓଡ଼ିଶାର ପ୍ରମୁଖ ନଦୀରେ ବିସର୍ଜନ କରାଯିବ। ସଂପୃକ୍ତ ଜିଲ୍ଲାର ବିଜେପି ସଭାପତିମାନଙ୍କୁ ଏହାର ଦାୟିତ୍ୱ ଦିଆଯିବ। ଜିଲ୍ଲା ବିଜେପି ସଭାପତିମାନଙ୍କ ନେତୃତ୍ୱରେ ଚିତାଭସ୍ମ ବିସର୍ଜନ କରାଯିବ ବୋଲି ଉପ-ସଭାପତି ସମୀର ମହାନ୍ତି କହିଛନ୍ତି।

ବାଜପେୟୀଙ୍କ ଚିତାଭସ୍ମ ସମସ୍ତ ରାଜ୍ୟରେ ବିସର୍ଜନ କରାଯିବ। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଦି ବିଭିନ୍ନ ରାଜ୍ୟର ବିଜେପି ସଭାପତିମାନଙ୍କୁ ଅସ୍ଥିକଳସ ପ୍ରଦାନ କରିଛନ୍ତି। ଓଡ଼ିଶା ବିଜେପି ସଭାପତି ବସନ୍ତ ପଣ୍ଡା ଅସ୍ଥିକଳସ ଗ୍ରହଣ କରିଛନ୍ତି। ଅସ୍ଥିକଳସ ଆଣି ଆଜି ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିବେ ବସନ୍ତ।

ଚିତାଭସ୍ମକୁ ଆଜି ରାତି ସାରା ବିଜେପି ପାର୍ଟି ଅଫିସରେ ରଖାଯିବ। ଆସନ୍ତାକାଲି ପୁରୀ ମହୋଦଧିରେ ଚିତାଭସ୍ମ ବିସର୍ଜନ କରାଯିବ। ଚିତାଭସ୍ମକୁ ଶୋଭାଯାତ୍ରାରେ ପୁରୀ ଅଭିମୁଖେ ନିଆଯିବ। ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଜୁଏଲ ଓରାମଙ୍କ ସମେତ ବହୁ ବରିଷ୍ଠ ନେତା ଚିତାଭସ୍ମ ବିସର୍ଜନ ବେଳେ ଉପସ୍ଥିତ ରହିବେ।

୨୪ ତାରିଖ ଅପରାହ୍ଣରେ ଭୁବନେଶ୍ୱସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହେବ। ଏଥିରେ ସାମିଲ ହେବା ପାଇଁ ସବୁ ଦଳର ନେତାଙ୍କୁ ଆମନ୍ତ୍ରିତ କରାଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କୁ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗ ଦେବା ପାଇଁ ନିମନ୍ତ୍ରଣ କରାଯିବ ବୋଲି ବିଜେପି ପକ୍ଷରୁ କୁହାଯାଇଛି।

Comment