ଭାସ୍କର ପରିଛା

ଓଡ଼ିଶାର ଯେଉଁ କେତେଜଣ ଶିକ୍ଷାବିତ ବିସ୍ମୃତ ଅଥଚ ଆଜି ବି ଲୋକପ୍ରିୟ, ସେମାନଙ୍କ ମଧ୍ୟରେ ଅଛନ୍ତି ପ୍ରାଣକୃଷ୍ଣ ପରିଜା, ବିଦ୍ୟାଧର ମିଶ୍ର, ଶ୍ରୀରାମଚନ୍ଦ୍ର ଦାଶ, ଶତ୍ରୁଘ୍ନ ନାଥ, ମହେନ୍ଦ୍ର ରାଉତ ଏବଂ ଆହୁରି ଅନେକ। ଓଡ଼ିଶାର ଶିକ୍ଷାକୁ ଗଠନମୂଳକ ଭାବରେ ଓ ଭବିଷ୍ୟତକୁ ଦୃଷ୍ଟିରେ ରଖି ଦିଗଦର୍ଶନ ଦେବା ଏବଂ ଉଚ୍ଚ ମୁଲ୍ୟବୋଧର ଅଧିକାରୀ ହେବା ଖୁବ୍ କମ ଶିକ୍ଷାବିତଙ୍କ କ୍ଷେତ୍ରରେ ସମ୍ଭବ ହୋଇପାରିଛି।

ନିଜେ ବିଦେଶରେ ଉଚ୍ଚ ଶିକ୍ଷା ଲାଭକରି ସେହି ଶିକ୍ଷାଲବ୍ଧ ଜ୍ଞାନକୁ କାର୍ଯ୍ୟରେ ଲଗାଇବା ଓ ଗୋଟିଏ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଅନୁଷ୍ଠାନର ସୂତ୍ରପାତ କରାଇପାରିଥିବା ଶିକ୍ଷାନୁରାଗୀ ଓ ଦୂରଦ୍ରଷ୍ଟାମାନଙ୍କ ମଧ୍ୟରେ ପ୍ରଫେସର ଶରତ ଚନ୍ଦ୍ର ଦାଶ (୨୧ ଅଗଷ୍ଟ ୧୯୩୦ – ୭ ଅଗଷ୍ଟ ୨୦୧୩) ଅନ୍ୟତମ। ତାଙ୍କର ଘଟଣାବହୁଳ ଶିକ୍ଷା ଜୀବନକୁ ଲିପିବଦ୍ଧ କଲେ ଗୋଟିଏ ପୁସ୍ତକ ଯଥେଷ୍ଟ ହେବ ନାହିଁ। କିନ୍ତୁ ଡକ୍ଟର ଦିଗରାଜ ବ୍ରହ୍ମା ଶରତ ଚନ୍ଦ୍ରଙ୍କ ସୁଦୀର୍ଘ ଶିକ୍ଷା ଜୀବନର ଶତାଧିକ ଘଟଣାକୁ ଏକତ୍ର କରି ଏକ ପୁସ୍ତକ ଆକାରରେ ପରିବେଷଣ କରିପାରିଛନ୍ତି – ଯାହାକୁ କୁହାଯାଏ ବିନ୍ଦୁରେ ସିନ୍ଧୁ ଦର୍ଶନ।

ଲେଖକୀୟ ଅଭିବ୍ୟକ୍ତିରେ ଡକ୍ଟର ବ୍ରହ୍ମା ଲେଖିଛନ୍ତି, ‘ପ୍ରାୟ ଅର୍ଦ୍ଧଶତାବ୍ଦୀରୁ ଉର୍ଦ୍ଧ୍ଵକାଳ ତାଙ୍କର ଶୈକ୍ଷିକ କାର୍ଯ୍ୟଧାରା ଓଡ଼ିଶାର ଶରତ ପ୍ରେମୀ ବନ୍ଧୁମାନଙ୍କୁ ଅନୁପ୍ରାଣିତ କରିବା ସହିତ ତାଙ୍କର ଅଗଣିତ ଛାତ୍ରଛାତ୍ରୀ ଓ ଗବେଷକମାନଙ୍କୁ ପ୍ରଭାବିତ କରିଥିଲା। ଏତଦବ୍ୟତୀତ ତାଙ୍କର ଚିନ୍ତାଧାରା ଆମ୍ଭମାନଙ୍କ ପାଇଁ ଆଦର୍ଶ ଓ ପରମ୍ପରା ହୋଇରହିଛି। ଏହି ପରମ୍ପରା ମଧ୍ୟରେ ତାଙ୍କ ରଚିତ ସଂସ୍କୃତି ସମ୍ପନ୍ନ ରଚନାତ୍ମକ କାର୍ଯ୍ୟ ଓ ସମାଜସେବା ଓଡ଼ିଶାର ଜନଜୀବନ ଓ ଭବିଷ୍ୟତ ବଂଶଧର ମାନଙ୍କ ପାଇଁ ବାର୍ତ୍ତା ବହନ କରେ।’

ଢେଙ୍କାନାଳ ଜିଲ୍ଲା କେନ୍ଦୁଢିପରେ ଜନ୍ମ ଓ ଭୁବନେଶ୍ୱର ଭିଏସଏସ ନଗରରେ ମୃତ୍ୟୁ, ଶରତ ଚନ୍ଦ୍ର ଦାଶ ଥିଲେ ପ୍ରକୃତ ଅର୍ଥରେ ଜଣେ କର୍ମଯୋଗୀ।ଜଣେ ଜଣେ ବ୍ୟକ୍ତି ଥାଆନ୍ତି ଯେଉଁମାନେ ଅନୁଷ୍ଠାନ ଗଢ଼ିବା ପାଇଁ ଖୁବ୍ ଭଲ ପାଆନ୍ତି। ଶରତ ଚନ୍ଦ୍ର ଥିଲେ ସେଥି ଭିତରୁ ଜଣେ। ଉଚ୍ଚ ଶିକ୍ଷାର ନିୟମିତ ଓ ଘୋଷିତ କାର୍ଯ୍ୟକ୍ରମ ବ୍ୟତୀତ ଶିକ୍ଷକ ତାଲିମ (ଯାହା ଶିକ୍ଷା ପାଇଁ ଅତ୍ୟନ୍ତ ଆବଶ୍ୟକ), ଶିକ୍ଷା ଟେଲିଭିଜନ କାର୍ଯ୍ୟକ୍ରମ ବା ଏଜୁକେସନଲ ଟିଭି, ଶିକ୍ଷା ଓ ଗବେଷଣାର ସମୃଦ୍ଧିକରଣ, ଓଡ଼ିଆ ବର୍ଣ୍ଣାଶୁଦ୍ଧି ପାଇଁ ସଚେତନତା, ଆଜିକାଲି ବିଭିନ୍ନ ସ୍କୁଲରେ ଅନୁଷ୍ଠିତ ହେଉଥିବା ବିଜ୍ଞାନ ପ୍ରଦର୍ଶନୀ, ପ୍ରାକ୍ ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ଆଦି ଅନେକ କଂସେପ୍ଟର ପ୍ରବର୍ତ୍ତକ ଥିଲେ ଶରତ ଚନ୍ଦ୍ର।

ଓଡ଼ିଶାରେ ଏଭଳି କୌଣସି ଟିଚର ଏଜୁକେଟର ନାହାନ୍ତି ଯିଏ ତାଙ୍କୁ ଜାଣିନଥିବେ ବା ତାଙ୍କ ଦ୍ୱାରା ପ୍ରସ୍ତୁତ ପ୍ରଶିକ୍ଷଣର ଫାଇଦା ନେଇନଥିବେ। ଦେଢ଼ ଶହ ପୃଷ୍ଠାର କଳେବର ଭିତରେ ଶରତ ଚନ୍ଦ୍ର ଦାଶଙ୍କର କାର୍ଯ୍ୟ ଓ ସାଫଲ୍ୟକୁ ଟିକିନିଖି ଭାବରେ ଓ ତାରିଖ ତଥା ବର୍ଷ ଅନୁକ୍ରମରେ ସଜାଡ଼ି ଏ ଦିଗରେ ଅଧିକ ଗବେଷଣା ପାଇଁ କ୍ଷେତ୍ର ପ୍ରସ୍ତୁତ କରିଛନ୍ତି ଡକ୍ଟର ବ୍ରହ୍ମା। ଏହା ନିଶ୍ଚିତରେ ଏକ ବଡ଼ ଉପଲବ୍ଧି ଓ ଅବଦାନ ମଧ୍ୟ।

ପୁସ୍ତକଟିର ଏକ ବଡ଼ ସଫଳତା ଓ ଆକର୍ଷଣ ହେଉଛି ଡକ୍ଟର ବ୍ରହ୍ମା ଶହେରୁ ଅଧିକ ଶିକ୍ଷାବିତ ଏବଂ ଓଡ଼ିଶାର ଶିକ୍ଷା ସହିତ ଜଡ଼ିତ ବରିଷ୍ଠ ବ୍ୟକ୍ତିଙ୍କଠାରୁ ପ୍ରଫେସର ଶରତ ଚନ୍ଦ୍ରଙ୍କ ସମ୍ପର୍କରେ ଯେଉଁ ମତ ସଂଗ୍ରହ କରିଛନ୍ତି। ‘ସେମାନଙ୍କ ଦୃଷ୍ଟିରେ ପ୍ରଫେସର ଦାଶ’ ଶୀର୍ଷକ ପରିଶିଷ୍ଟରେ ଏହି ମତସଂଗ୍ରହ ଏକ ଆୟାସସାଧ୍ୟ କାର୍ଯ୍ୟ ନିଶ୍ଚିତରେ।

ପୁସ୍ତକରେ ପ୍ରଫେସର ଦାଶଙ୍କ ଜନ୍ମବୃତ୍ତାନ୍ତଠାରୁ ଆରମ୍ଭ କରି ପ୍ରଜ୍ଞାପୁରୁଷଙ୍କ ଶେଷଯାତ୍ରା ପର୍ଯ୍ୟନ୍ତ ସମଗ୍ର ଜୀବନ ଓ ଘଟଣାକୁ ୭୫ ପାଖାପାଖି ଅଧ୍ୟାୟରେ ବାଣ୍ଟିଛନ୍ତି ଲେଖକ। ତା’ ଛଡ଼ା ପ୍ରଫେସର ଦାଶଙ୍କ ଆଲବମରୁ କିଛି ଫଟୋ ବି ଅଣାଯାଇଛି ଓ ତାଙ୍କ ହସ୍ତଲେଖାର ଫାସିମିଲ ମଧ୍ୟ। ଶରତ ଚନ୍ଦ୍ର ଦାଶ ପ୍ରକୃତ ଅର୍ଥରେ ଥିଲେ ଜଣେ ପୂର୍ଣ୍ଣାଙ୍ଗ ମଣିଷ। ତାଙ୍କର ସେହି ବିରଳ ବ୍ୟକ୍ତିତ୍ୱର ସଫଳ ଆକଳନ ତଥା ତାଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେଉଛି ଡକ୍ଟର ବ୍ରହ୍ମାଙ୍କ ରଚିତ ଏହି ପୁସ୍ତକ।

ସାମ୍ପ୍ରତିକ ସମୟରେ ଶିକ୍ଷା କ୍ଷେତ୍ରରେ ଯେଉଁମାନେ ଆତଯାତ ହେଉଛନ୍ତି ସେମାନଙ୍କ ପାଇଁ ଏହା ଅବଶ୍ୟ ପଠନୀୟ। ଓଡ଼ିଶାରେ ଶିକ୍ଷାର ଅତୀତ କଣ ଥିଲା, ତା’ର ଇତିବୃତ୍ତ ଓ ବର୍ତ୍ତମାନର ଅବସ୍ଥା କଣ ରହିଛି ତାହାର ଏକ ତୁଳନାତ୍ମକ ଅନ୍ତର୍ଦୃଷ୍ଟି ହେଉଛି ଏହି ଗ୍ରନ୍ଥ।

ପ୍ରଜ୍ଞାପୁରୁଷ ପ୍ରଫେସର ଶରତ ଚନ୍ଦ୍ର ଦାଶ(ଜୀବନୀ)

ଲେଖକ: ଡକ୍ଟର ଦିଗରାଜ ବ୍ରହ୍ମା

ରାଷ୍ଟ୍ରୀୟ ସାହିତ୍ୟ ସଂସ୍ଥାନ, ସାହିତ୍ୟ ଭବନ

୭୨୨, ଜନପଥ, ୟୁନିଟ -୩, ଭୁବନେଶ୍ୱର- ୭୫୧୦୦୧

ମୂଲ୍ୟ ୨୫୦ ଟଙ୍କା

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ଏବଂ ଓଡ଼ିଶାଲାଇଭର ପରାମର୍ଶଦାତା ସମ୍ପାଦକ)

Comment