ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ବାଲେଶ୍ୱରରେ ଖୋଲିବ ଏମ୍‌ସର ସାଟେଲାଇଟ୍ କେନ୍ଦ୍ର
  • ଭିତ୍ତିପ୍ରସ୍ତର ସ୍ଥାପନ କଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ
  • ଦେଢ଼ ବର୍ଷରେ ଖୋଲିବ ଓପିଡି ବ୍ଳକ
  • ପ୍ରତିଦିନ ୬୦୦ରୁ ୭୦୦ ରୋଗୀଙ୍କୁ ଚିକିତ୍ସା ସୁବିଧା

“ଓଡ଼ିଶାରେ ଖୋଲିବ ଆଉ ୩ଟି ମେଡିକାଲ କଲେଜ। ଭଦ୍ରକ, ଯାଜପୁର ଓ ଢେଙ୍କାନାଳ ସଂସଦୀୟ କ୍ଷେତ୍ରରେ ଗୋଟିଏ ଲେଖାଏଁ ମେଡିକାଲ କଲେଜ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର”, ଏହା କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ ପି ନଡ୍ଡା।

ଆଜି ବାଲେଶ୍ୱର ଆସିଥିଲେ ଜେ ପି ନଡ୍ଡା। ଭୁବନେଶ୍ୱର ଏମ୍‌ସର ସାଟେଲାଇଟ୍ କେନ୍ଦ୍ର ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ। ଭିତ୍ତିପ୍ରସ୍ତର ସ୍ଥାପନ ବେଳେ କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ।

“ବ୍ରହ୍ମପୁର, କଟକ ଓ ବୁର୍ଲାରେ ଥିବା ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଗୋଟିଏ ଲେଖାଏଁ ସୁପରସ୍ପେଶାଲିଷ୍ଟ ବ୍ଲକ ପ୍ରତିଷ୍ଠା କରାଯିବ। କେନ୍ଦ୍ର ସରକାର ୪୧୦ କୋଟି ଟଙ୍କା ସହାୟତା ଦେବେ”, କହିଛନ୍ତି ଜେ ପି ନଡ୍ଡା।

ବ୍ରହ୍ମପୁର ଓ ବୁର୍ଲା ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ସୁପରସ୍ପେଶାଲିଷ୍ଟ ବ୍ଲକ ପାଇଁ ୧୫୦ କୋଟି ଟଙ୍କା, କଟକ ପାଇଁ ୨୬୦ କୋଟି ଟଙ୍କା ବ୍ୟୟ କରାଯିବ। କଟକର ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ ଚିକିତ୍ସା କେନ୍ଦ୍ରରେ ୭୯.୬୨ କୋଟି ଟଙ୍କା ଖର୍ଚ୍ଚ କରାଯାଉଛି।

“ବାଲେଶ୍ୱରରେ ହେବାକୁ ଥିବା ସାଟେଲାଇଟ କେନ୍ଦ୍ର ଖୁବ୍‌ଶୀଘ୍ର କାର୍ଯ୍ୟକ୍ଷମ ହେବ। ୩୫.୭୬ କୋଟି ଟଙ୍କା ବ୍ୟୟରେ ୧୫ ମାସ ମଧ୍ୟରେ ଏହି ସାଟେଲାଇଟ କେନ୍ଦ୍ରର ଓପିଡି ବ୍ଲକ ଓ କର୍ମଚାରୀଙ୍କ ପାଇଁ ବାସଭବନ ନିର୍ମାଣ କରାଯିବ।

ଏମ୍‌ବିବିଏସ୍ ପରେ ତାଲିମ ନେଉଥିବା ଛାତ୍ରଛାତ୍ରୀ ଓ ପିଜି ଛାତ୍ରଛାତ୍ରୀମାନେ ଏଥିରେ ନିୟୋଜିତ ହେବେ। ଓପିଡିରେ ପ୍ରତିଦିନ ୬୦୦ରୁ ୭୦୦ ରୋଗୀଙ୍କୁ ଚିକିତ୍ସା ସୁବିଧା ମିଳିପାରିବ ବୋଲି ନଡ୍ଡା କହିଛନ୍ତି।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଲେ ଯେ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନାକୁ ଗ୍ରହଣ କରିବା ପାଇଁ ସବୁ ରାଜ୍ୟ ଆଗେଇ ଆସିଲେଣି। ଓଡ଼ିଶା ପଛରେ ପଡ଼ିବା ଠିକ୍ ନୁହେଁ। କୌଣସି ଜନକଳ୍ୟାଣ ଯୋଜନାକୁ ନେଇ ରାଜନୀତିକ କରିବା ଠିକ୍ ନୁହେଁ।

Comment