ଭାସ୍କର ପରିଛା

ସୌମ୍ୟ ରଞ୍ଜନ ବିହାରାଙ୍କ ପ୍ରଥମ ଗଳ୍ପ ସଙ୍କଳନ ‘ଗୋଟେ କଥା ପଚାରିବି’ର ଗଳ୍ପଗୁଡିକ ପଢିବା ବେଳେ ନିଜକୁ ସେଥିରେ ସାମିଲ କଲା ଭଳି ଲାଗିବ। ଦୋସ୍ତି, କଲେଜ ପଢ଼ା, ଗାଁରେ ଓ ସମାଜରେ ଘଟୁଥିବା ବିଭିନ୍ନ ଘଟଣା, ପାରିବାରିକ ଜୀବନ ଆଦି ଚିତ୍ର ଓ ଚରିତ୍ରର ସାମଗ୍ରିକ ଅଭିବ୍ୟକ୍ତି ଏହି କାହାଣୀ ସଂଗ୍ରହ।

‘ଗୋଟେ କଥା ପଚାରିବି’ କାହାଣୀ ସଂଗ୍ରହର ପୃଷ୍ଠରେ ପ୍ରକାଶକ ପ୍ରଥମରୁ ହିଁ ସୂଚେଇ ଦେଇଛନ୍ତି ଯେ ଗଳ୍ପଗୁଡ଼ିକ ମୁଖ୍ୟତଃ ବିବାହ ପରବର୍ତ୍ତୀ ଜୀବନ, ସମସ୍ୟା, ସାମାଜିକ ବିଧି ବ୍ୟବସ୍ଥା, ପୁନର୍ଜୀବନ ଓ ନଷ୍ଟେଲଜିଆକୁ ନେଇ ଲେଖାଯାଇଛି।

ସୌମ୍ୟ ରଞ୍ଜନ ବିହାରାଙ୍କ ପ୍ରଥମ ଗଳ୍ପ ସଙ୍କଳନ ‘ଗୋଟେ କଥା ପଚାରିବି’ର ଗଳ୍ପଗୁଡିକ ପଢିବା ବେଳେ ନିଜକୁ ସେଥିରେ ସାମିଲ କଲା ଭଳି ଲାଗିବ। ଦୋସ୍ତି, କଲେଜ ପଢ଼ା, ଗାଁରେ ଓ ସମାଜରେ ଘଟୁଥିବା ବିଭିନ୍ନ ଘଟଣା, ପାରିବାରିକ ଜୀବନ ଆଦି ଚିତ୍ର ଓ ଚରିତ୍ରର ସାମଗ୍ରିକ ଅଭିବ୍ୟକ୍ତି ଏହି କାହାଣୀ ସଂଗ୍ରହ।

ଆରମ୍ଭରୁ ଶେଷ ପର୍ଯ୍ୟନ୍ତ କାହାଣୀଗୁଡ଼ିକ ଆପଣଙ୍କୁ ନିଶ୍ଚିତରେ ବାନ୍ଧି ରଖିବ। ପ୍ରତିଟି ଗଳ୍ପ ପଢ଼ିବା ପରେ ମନ କହିବ ଯେ ପରବର୍ତ୍ତୀ ଗଳ୍ପଟି ବି ପଢ଼ାଯାଉ। ଜଣେ ନୂଆ ଲେଖକଙ୍କ ପାଇଁ ଏହା ନିଶ୍ଚିତରେ ଏକ ବଡ଼ ଉପଲବ୍ଧି।

ପୁସ୍ତକଟିକୁ ଡଟ୍‍ ପ୍ରକାଶନୀ ଛାପିଛନ୍ତି। ୧୧୦ ପୃଷ୍ଠାର ଗଳ୍ପ ସଂକଳନର ଦାମ ରଖାଯାଇଛି ୭୭ ଟଙ୍କା। ଦାମୀ ଗପକୁ ସ୍ୱଳ୍ପ ମୂଲ୍ୟ -ଏକ ସୁଚିନ୍ତିତ ବ୍ୟବସାୟିକ ପ୍ରଚେଷ୍ଟା!

ସୌମ୍ୟ ରଞ୍ଜନ ସେମାନଙ୍କୁ ଭିତରୁ ଜଣେ ଯେଉଁମାନେ ସାମ୍ୱାଦିକ ହେବା ବ୍ୟତୀତ ଗାଳ୍ପିକ ମଧ୍ୟ। ଢେଙ୍କାନାଳର ଆଇଆଇଏମସିରେ କାର୍ଯ୍ୟରତ ସୌମ୍ୟ ନିୟମିତ ଭାବେ ପ୍ରବନ୍ଧ ବି ଲେଖନ୍ତି।

ଗଳ୍ପ ସଂକଳନର ମୁଖବନ୍ଧରେ ସେ ଲେଖିଛନ୍ତି, ‘ଗପଗୁଡିକରେ ସେମିତି ଶୈଳୀ, ଶବ୍ଦ କିମ୍ବା ଚରିତ୍ର ଖୋଜିଲେ ହେବନି। ଏଥିରେ କୌଣସି ସାହିତ୍ୟିକ ଟେକନିକ ଅପେକ୍ଷା ଗପଗୁଡ଼ିକ ମୁଁ କେବଳ ଜଣେ ନ୍ୟାରେଟର ଭାବରେ ସାଧାରଣ ଓ ସାବଲୀଳ ବର୍ଣ୍ଣନା କରିଛି। ବୁଲେଇ ବଙ୍କେଇ ଫଣେଇ ଲେଖାଯାଇନି।’

ଗପଗୁଡ଼ିକ ପଢ଼ିଲା ବେଳେ ସେହି ଅନୁଭବ ହିଁ ହେଲା। ଧଡାସ କରି ଗପର ଆରମ୍ଭ ଓ ଅଚାନକ ଶେଷ। ଗଳ୍ପର ଶୀର୍ଷକଗୁଡ଼ିକ ବି ଚମତ୍କାର। ୩୨ଟି ଗଳ୍ପର ଏହି ସମାହାରରେ କଥୋପକଥନ ଶୈଳୀ ଅତ୍ୟନ୍ତ ଆମୋଦଦାୟକ, ବେଳେବେଳେ ଗାଁର ସରଳ ଓ ନିରହଙ୍କାରୀ ଭାଷା ବି ଯୋଡ଼ି ହୋଇଯାଇଛି ଗପଗୁଡ଼ିକରେ। ଅଧିକାଂଶ ଗଳ୍ପ ବୈବାହିକ ଜୀବନର ଘଟଣାବଳୀକୁ ନେଇ ରଚିତ ହୋଇଥିଲା ବେଳେ ନିଜେ କିନ୍ତୁ ଗାଳ୍ପିକ ଅବିବାହିତ। କଳ୍ପନା ସେତେ ସମୃଦ୍ଧ ନହେଲେ ଏଭଳି ଗଳ୍ପ ଲେଖିବା କଷ୍ଟ।

ସ୍ୱାମୀ-ସ୍ତ୍ରୀଙ୍କ ଭିତରେ ଘଟୁଥିବା ମନୋମାଳିନ୍ୟ, ପ୍ରେମ- ଅନୁରାଗ,ସାମାଜିକ କଟକଣା ଏସବୁକୁ ଖୁବ୍ ନିଖୁଣ ଭାବରେ ପରିବେଷଣ କରାଯାଇପାରିଛି। କୌଣସି ଗଳ୍ପ ଦେଢ଼ ଦୁଇପୃଷ୍ଠାରୁ ବେଶି ନୁହେଁ, ଏଣୁ ପାଠକଟି ପାଇଁ ଗପଗୁଡିକର ଖିଅ ଧରିବା ଆୟାସସାଧ୍ୟ କାମ ନୁହେଁ। ଗଳ୍ପ ଭିତରୁ ‘କାବେରୀ ମ୍ୟାଡାମଙ୍କ ଜନ୍ମଦିନ, ଭଡ଼ା ଘର, ଗୋଟେ କଥା ପଚାରିବି, ଇଞ୍ଚେ ଯାଗା ଓ ଶେଷ ଭରସା’ ଆଦି ପଢ଼ିବାକୁ ଭଲ ଲାଗିଲା। ଗଳ୍ପ ସଂକଳନର ଓଜନ ବଢ଼ାଇଛି କାଳୀପ୍ରସାଦ ଦାଶଙ୍କ ପ୍ରଚ୍ଛଦ। ମୁଦ୍ରଣ ପରିପାଟି ଓ ଲେଆଉଟ ନୂଆ ଲାଗିଲା। ପ୍ରଥମ ଗଳ୍ପ ସଂକଳନ ହେବା ସତ୍ତ୍ୱେ ପୁସ୍ତକଟି ଗ୍ରହଣୀୟ ହେବ ଏହି ବିଶ୍ୱାସ ରହିଛି।

ଗୋଟେ କଥା ପଚାରିବି

ଲେଖକ:ସୌମ୍ୟ ରଞ୍ଜନ ବିହାରା

ଡଟ ପ୍ରକାଶନୀ, ଭୁବନେଶ୍ୱର

ମୂଲ୍ୟ ୭୭ ଟଙ୍କା

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ଏବଂ ଓଡ଼ିଶାଲାଇଭର ପରାମର୍ଶଦାତା ସମ୍ପାଦକ)

 

Comment