ଓଡ଼ିଶାଲାଇଭ ବ୍ୟୁରୋ

ବରିଷ୍ଠ କବି, ଗୀତିକାର ଓ ଆୟକର ଆୟୁକ୍ତ ଶରତ କୁମାର ଦାଶଙ୍କ ସପ୍ତମ କବିତା ଗ୍ରନ୍ଥ ତଥା ସଂଗୀତ ଆଲବମ ‘ସୀମାହୀନ’ ଶନିବାର ସଂଧ୍ୟାରେ ଉନ୍ମୋଚିତ ହୋଇଯାଇଛି।

ସ୍ଥାନୀୟ ରବୀନ୍ଦ୍ର ମଣ୍ଡପ ପରିସରରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ବରିଷ୍ଠ ସ୍ଥପତି ଓ ସାଂସଦ ପଦ୍ମବିଭୂଷଣ ରଘୁନାଥ ମହାପାତ୍ର, ଆଇନ, ସ୍ୱାସ୍ଥ୍ୟ ଓ ଲୋକସମ୍ପର୍କ ମନ୍ତ୍ରୀ ପ୍ରତାପ ଜେନା, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପ୍ରମୁଖ ସଚିବ ମନୋରଂଜନ ପାଣିଗ୍ରାହୀ, ବରିଷ୍ଠ ସାମ୍ବାଦିକ ଅରୁଣ କୁମାର ପଣ୍ଡା, ଲେଖକ ଓ ସ୍ତମ୍ଭକାର ବିଜୟାନନ୍ଦ ସିଂହ ଓ ପୁରୀ ଗୋବର୍ଦ୍ଧନ ପୀଠ ରଷ୍ଟ୍ରୀୟ ସମ୍ପର୍କ ସଚିବ ମାତୃପ୍ରସାଦ ମିଶ୍ର ପ୍ରମୁଖ ଅତିଥିିଙ୍କ ଗହଣରେ ଏହି ପୁସ୍ତକ ଓ ସଂଗୀତ ଆଲବମ ଉନ୍ମୋଚିତ ହୋଇଛି। ଲେଖକ ଶରତ କୁମାର ଦାଶ, ସଂଗୀତ ନିର୍ଦ୍ଦେଶକ ପ୍ରେମ୍ ଆନନ୍ଦ ଓ ପେନ୍ ଇନ୍ ବୁକ୍ସର  ନିର୍ଦ୍ଦେଶକ ଶୁଭ୍ରାଂଶୁ ପଣ୍ଡା ମଧ୍ୟ ଉତ୍ସବରେ ଉପସ୍ଥିତ ଥିଲେ।

ଗଢ଼ିବା ହେଉଛି ଜଣେ ଲେଖକ ବା ସୃଜନଶୀଳ ବ୍ୟକ୍ତିଙ୍କ ଧର୍ମ। ତେବେ ସେ ଗଢ଼ଣ ସୁନ୍ଦର ଓ ମନଲୋଭା ହେବା ଉଚିତ। କବିତା ଓ ସଂଗୀତକୁ ନେଇ କବି ଶରତ କୁମାର ଦାଶଙ୍କ ଏ ଉଦ୍ୟମ ରସଗ୍ରାହୀ ପାଠକ ଓ ଶ୍ରୋତାଙ୍କୁ ଏକାଠି କରିପାରିଛି ବୋଲି ରଘୁନାଥ ମହାପାତ୍ର ମନ୍ତବ୍ୟ ରଖିଥିଲେ।

ସାହିତ୍ୟ ଓ ସଂଗୀତର ଆକର୍ଷଣରେ, ହେଉ ପଛେ କିଛି ଘଂଟା ପାଇଁ, ବିଭିନ୍ନ ବର୍ଗର ଲୋକଙ୍କୁ ଏ ଉତ୍ସବ ଏକାଠି କରିପାରିଛି ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଥିଲେ। ଶରତ ଦାଶଙ୍କ କବିତାରେ ପ୍ରେମ ଆଉ ଭକ୍ତଭାଗର ଛନ୍ଦମୟ ରୂପରେ ସେ ବିଭୋର ହୋଇଛନ୍ତି ବୋଲି ମତ ବ୍ୟକ୍ତ କରିଥିଲେ।

ପୁସ୍ତକର ସମୀକ୍ଷା କରି ଲେଖକ ବିଜୟାନନ୍ଦ ସିଂହ କହିଲେ ଯେ ଶରତ ଦାଶଙ୍କ କବିତାରେ ନୈରାଶ୍ୟର ସ୍ଥାନ ନାହିଁ। ଏ କବିତା ସବୁ ପ୍ରେମ, ପ୍ରାପ୍ତି ଆଉ ପ୍ରାର୍ଥନାର ଏକ ମିଳିତ ସିମ୍ଫୋନୀ ବୋଲି ସେ ଅଭିହିତ କରିଥିଲେ। ଦିନକୁ ଦିନ ଲୋକେ କବିତାରୁ ଦୂରେଇ ଯାଉଛନ୍ତି ବୋଲି ଅଭିଯୋଗ ହେଉଥିବା ବେଳେ ସଂଗୀତ ମାଧ୍ୟମରେ କବିତାକୁ ଅଧିକ ପ୍ରସାରୀ କରିବାରେ ଶରତ ଦାଶଙ୍କୁ ଏ ଅଭିନବ ଉଦ୍ୟମର ପ୍ରଶଂସା କରିଥିଲେ ଶ୍ରୀ ସିଂହ।

ଶରତ ଦାଶଙ୍କ ପ୍ରତିଟି ପ୍ରକାଶିତ କବିତାର ସେ ଜଣେ ମୁଗ୍ଧ ପାଠକ ବୋଲି ମତ ରଖିଥିଲେ ମନୋରଂଜନ ପାଣିଗ୍ରାହୀ। ଅନ୍ତରର କାବ୍ୟ ରସିକତା ଯୋଗୁଁ ଶରତ ଦାଶଙ୍କ ବ୍ୟକ୍ତିତ୍ୱ ଅମାୟିକ ଓ ବନ୍ଧୁବତ୍ସଳ ବୋଲି ଶ୍ରୀ ପାଣିଗ୍ରାହୀ କହିଥିଲେ।

ଚାଟୁଳ ରସିକତାରେ ନିଜର ବକ୍ତବ୍ୟ ରଖି ଶ୍ରୋତାଙ୍କ ମନ ମୋହିଥିଲେ ଅରୁଣ କୁମାର ପଣ୍ଡା। ଭଲ କବିତା କିଭଳି ବହୁଜନବିଦିତ ହୁଏ ତାହା ଯଦି ଦେଖିବାର ଅଛି ଏ ଉତ୍ସବ ତାହାର ସର୍ବୋତ୍କୃଷ୍ଟ ଉଦାହରଣ ବୋଲି ଶ୍ରୀ ପଣ୍ଡା କହିଥିଲେ।

ପଣ୍ଡିତ ମାତୃପ୍ରସାଦ ମିଶ୍ର ଶରତ ଦାଶଙ୍କ କବିତାରେ ବିଭୂ ପ୍ରେମର ଝଲକ ରହିଥିବା ମତ ଦେଇଥିଲେ। କବିତା ବା ଯେ କୌଣସି ସୃଜନକଳା କୌଣସି ପ୍ରାର୍ଥନାଠାରୁ କମ ନୁହେଁ। ସତ୍ ସୃଜନ ମାଧ୍ୟମରେ ମଧ୍ୟ ଈଶ୍ୱରଙ୍କ କୃପା ମିଳିଥାଏ ବୋଲି ପଣ୍ଡିତ ମିଶ୍ର କହିଥିଲେ।

ଏ ଅବସରରେ ଅନ୍ୟତମ କବୀ ତଥା ଶ୍ରୀ ଦାଶଙ୍କର ପତ୍ନୀ ପ୍ରଣୀତା ମିଶ୍ରଙ୍କର ପ୍ରଥମ କବିତା ସଂକଳନ ‘ଉଡ଼ିବାକୁ ଦିଅ’ ମଧ୍ୟ ଉନ୍ମୋଚିତ ହୋଇଥିଲା।

କବି ଶ୍ରୀ ଶରତ କୁମାର ଦାଶ ଲେଖକୀୟ ଅଭିଭାଷଣରେ ନିଜ ସୃଜନକର୍ମର ପ୍ରେରଣା ଓ ସଅତ୍ର ବାବଦରେ ମତ ରଖିଥିଲେ। ବ୍ୟସ୍ତବହୁଳ ଜୀବନରେ ସମସ୍ତ କର୍ମଜଞ୍ଜାଳ ଯଥାସାଧ୍ୟ ସମାପନ କରିବା ବା ପରେ ଏଇ କବିତା ହିଁ ତାଙ୍କୁ ଆନନ୍ଦ ଆଣି ଦେଇଥାଏ ବୋଲି ସେ କହିଥିଲେ। କବିତା ପ୍ରତି ପାଠକଙ୍କ ଆଗ୍ରହକମୁଥିବା ବେଳେ ପାରମ୍ପରିକ ଛନ୍ଦ ଓ ଜତିପାତ ମାଧ୍ୟମରେ କବିତାକୁ ଜନାଦ୍ରୁତ କରିବା ପାଇଁ ସେ ଉଦ୍ୟମ କରୁଥିବା ପ୍ରକାଶ କରିଥିଲେ।

ସିନେମା ସଂଗୀତ ତାଙ୍କୁ ରାଜ୍ୟର ଘରେ ଘରେ ପରିଚିତ କରିଥିଲେ ବି ଶରତ ଦାଶଙ୍କ କବିତାର ସଂଗୀତ ରୂପ ତାଙ୍କୁ ଶାନ୍ତି ଦେବା ସହ ଭିନ୍ନ ଏକ ପରିଚୟ ଦେଇଛି ବୋଲି ସଂଗୀତ ନିର୍ଦ୍ଦେଶକ ପ୍ରେମ୍ ଆନନ୍ଦ କହିଥିଲେ।

ଉତ୍ସବ ପ୍ରାରମ୍ଭରେ କବି ଶ୍ରୀ ଦାଶଙ୍କ ପୂର୍ବ ପ୍ରକାଶିତ ‘ଅସମାପିକା’, ‘ପୁନରପି’ ଓ ‘କୁହନାହିଁ କିଛି’ କବିତା ସଂକଳନରୁ କବିତା ପାଠ କରିଥିଲେ ଯୁବ କବି ଦେବଦତ୍ତ ପତି, ଶୁଭଶ୍ରୀ ଶୁଭସ୍ମିତା ମିଶ୍ର ଓ ଶୁଭ କୁମାର  ଦାଶ। ପରେ ପରେ ଓଡ଼ିଶାର ଜଣାଶୁଣା କଣ୍ଠଶିଳ୍ପୀ ଦୀପ୍ତିରେଖା, ହ୍ୟୁମାନ ସାଗର, ଆଶୁତୋଷ, ସତ୍ୟଜିତ, ଅନ୍ତରା, ଲୋପାମୁଦ୍ରା, ସବିଶେଷ ଓ ଦେବକୃପା ପ୍ରମୁଖ ‘ସୀମାହୀନ’ ଆଲବମର ସଂଗୀତ ପରିବେଷଣ କରିଥିଲେ।

ଉତ୍ସବରେ ସମସ୍ତ ଅତିଥିଙ୍କ ସମେତ କଣ୍ଠଶିଳ୍ପୀ ଓ କାର୍ଯ୍ୟକ୍ରମ ସହ ଜଡ଼ିତ ସମସ୍ତ ବ୍ୟକ୍ତିତ୍ୱଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ଉତ୍ସବ ଆରମ୍ଭରେ ଯୁବ ଲେଖକ ଓ ସାମ୍ବାଦିକ ଶୁଭ୍ରାଂଶୁ ପଣ୍ଡା ସ୍ୱାଗତ ଭାଷଣ ଓ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ଶେଷରେ ଧନ୍ୟବାଦ ଅର୍ପଣ ମଧ୍ୟ କରିଥିଲେ।

LEAVE A REPLY

Please enter your comment!
Please enter your name here