ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ବରଗଡ଼ ପଲ୍ଲାସଡ଼ା ଗାଁର ଚାଷୀ
  • ଫସଲ ବୀମାକୁ ଚାହିଁ ଚାହିଁ ଆଖି ବୁଜିଲେ ଗୋବିନ୍ଦ ବିଶ୍ୱାଳ
  • ତିନି ଏମର ଜମିରେ ଫସଲ ନଷ୍ଟ
  • ମୃତଦେହ ରଖି ଗ୍ରାମାବସୀଙ୍କ ରାସ୍ତାରୋକ

ଫସଲ ବୀମା ପାଇଁ ତିନି ଦିନ ହେଲା ବରଗଡ଼ ପଲ୍ଲାସଡ଼ା ଗାଁର ଚାଷୀ ଗୋବିନ୍ଦ ବିଶ୍ୱାଳ ଧାରଣାରେ ବସିଥିଲେ। ହେଲେ ବୀମା ମିଳିଲାନି।  ବୀମାକୁ ଚାହିଁ ଚାହିଁ ଗୋବିନ୍ଦ ଆଖି ବୁଜିଛନ୍ତି। ଏହାକୁ ନେଇ ସ୍ଥାନୀୟ ଲୋକେ ରାଜରାସ୍ତାକୁ ଓହ୍ଲାଇ ଆସିଛନ୍ତି। ଗଉରାଜୁରି ଛକରେ ମୃତଦେହ ରଖି ରାସ୍ତା ରୋକ କରିଛନ୍ତି।

ତିନି ଏକର ଜମିରେ ଚାଷ କରିବା ପାଇଁ ଚାଷୀ ଗୋବିନ୍ଦ ସମବାୟ ସମିତିରୁ ୭୫ ହଜାର ଟଙ୍କା ଋଣ ଆଣିଥିଲେ। ହେଲେ ଲଗାଣ ବର୍ଷାରେ ଫସଲ ନଷ୍ଟ ହୋଇଗଲା। ଋଣ କେମିତି ସୁଝିବେ ତାକୁ ନେଇ ଗୋବିନ୍ଦ ଚିନ୍ତାରେ ପଡ଼ିଥିଲେ। ଫସଲ ବୀମା ପାଇବା ପାଇଁ ସେ ବାରମ୍ବାର ପ୍ରଶାସନ ଅଧିକାରୀଙ୍କୁ ଭେଟିଥିଲେ। କିନ୍ତୁ ପ୍ରଶାସନ ତାଙ୍କ ଗୁହାରି ଶୁଣିଲାନି।

ଫସଲ ବୀମା ଦେବା ପାଇଁ ପ୍ରଶାସନ ପକ୍ଷରୁ କୌଣସି ଉଦ୍ୟମ କରା ନଯିବାରୁ ଗୋବିନ୍ଦ ତିନି ଦିନ ହେଲା ଧାରଣା ଦେଇଥିଲେ। ହେଲେ ସୋମବାର ସନ୍ଧ୍ୟାରେ ଗୋବିନ୍ଦଙ୍କ ଦେହ ଅସୁସ୍ଥ ହୋଇଯିବାରୁ ତାଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ମୃତଦେହକୁ ରାସ୍ତାରେ ରଖି ଗ୍ରାମବାସୀମାନେ ରାସ୍ତା ଅବରୋଧ କରିଥିଲେ। ମୃତ ଚାଷୀଙ୍କ ପରିବାରକୁ କ୍ଷତିପୂରଣ ଦେବା ପାଇଁ ଦାବି କରିଥିଲେ।

Comment