ଓଡ଼ିଶାଲାଇଭ୍‌ ବ୍ୟୁରୋ

କ୍ୟାଡର ପୁନର୍ଗଠନ ଦାବିରେ ଅଗଷ୍ଟ ୧୭ରୁ ଆନ୍ଦୋଳନକୁ ଓହ୍ଲାଇଥିବା ମୁଖ୍ୟ ଦପ୍ତରର କର୍ମଚାରୀଙ୍କୁ ଭେଟିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଭୁବନେଶ୍ୱର ନଅତାଲାସ୍ଥିତ ଧାରଣାସ୍ଥଳରେ ଧର୍ମେନ୍ଦ୍ର ପହଞ୍ଚି କର୍ମଚାରୀଙ୍କ ଦାବି ଯୁକ୍ତିଯୁକ୍ତ ବୋଲି କହିଛନ୍ତି।

“୧୫ ଦିନ ହେଲା କର୍ମଚାରୀମାନେ କଲମଛାଡ଼ ଆନ୍ଦୋଳନ କରିଛନ୍ତି। ଓଡ଼ିଶାର ଜନସାଧାରଣ ଅସୁବିଧା ଭୋଗୁଛନ୍ତି। କ୍ୟାଡ଼ର ପୁନର୍ଗଠନ କରିବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେବାର ୪ରୁ ୫ ମାସ ବିତିଥିଲେ ହେଁ କେଉଁ ଅଧିକାରୀ ଏଥିରେ ବାଧକ ସାଜୁଛନ୍ତି ତାହା ମୁଖ୍ୟମନ୍ତ୍ରୀ ବିଚାର କରିବା ଦରକାର”, କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ।

କ୍ୟାଡର୍‌ ପୁନର୍ଗଠନ ଏବଂ ଅନ୍ୟାନ୍ୟ ଦାବି ନେଇ ଓଡ଼ିଶା ବିଭାଗୀୟ ମୁଖ୍ୟ ସେକ୍ସନ ଅଫିସର ଏବଂ ଓଡ଼ିଶା ବିଭାଗୀୟ ମୁଖ୍ୟ ଅମଲା ସଂଘ ଡାକରାରେ ଏହି ଆନ୍ଦୋଳନ ସାମିଲ ହୋଇଛନ୍ତି ଦକ୍ଷିଣାଞ୍ଚଳ ରାଜସ୍ଵ କମିଶନର୍‌(ଆର୍‌ଡିସି)ଙ୍କ କାର୍ଯ୍ୟାଳୟର କର୍ମଚାରୀମାନେ। ଫଳରେ ପ୍ରଶାସନିକ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ଆର୍‌ଡିସିଙ୍କ କାର୍ଯ୍ୟାଳୟରେ ଅଚଳାବସ୍ଥା ଦେଖାଦେଇଛି। ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ହୋଇପାରୁ ନାହିଁ।କର୍ମଚାରୀମାନେ ଅଭିଯୋଗ କରିଛନ୍ତି ଯେ, କ୍ୟାଡର୍‌ ପୁନର୍ଗଠନ ପାଇଁ ସେମାନେ ଦୀର୍ଘ ଦିନ ହେଲା ଦାବି କରୁଛନ୍ତି।

ଅନେକ ଥର ଆନ୍ଦୋଳନ ହୋଇଛି, ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଯାଇଛି। ତଥାପି ଫଳ ଶୂନ୍‌। ସଂଘର ୨୯ତମ ସମ୍ମିଳନୀ ମାର୍ଚ୍ଚ ୧୬ରେ ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟଅତିଥିଭାବେ ଯୋଗଦେଇ ବିଭାଗୀୟ ମୁଖ୍ୟ ଦପ୍ତର କର୍ମଚାରୀଙ୍କ କ୍ୟାଡର୍‌ ପୁନର୍ଗଠନ ଖୁବ୍‌ ଶୀଘ୍ର କରାଯିବ ବୋଲି ଘୋଷଣା କରିଥିଲେ। ଏ ଦିଗରେ ପରବର୍ତ୍ତୀ ସମୟରେ ତତ୍ପରତା ଦେଖାଦେଇଥିଲା। କାରଣ ଏପ୍ରିଲ୍‌ ୧୬ରେ କ୍ୟାଡର୍‌ ପୁନର୍ଗଠନ ନଥିକୁ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ମଞ୍ଜୁରୀ ପ୍ରଦାନ କରିବା ସହ ଅର୍ଥ ବିଭାଗକୁ ପଠାଇ ଦେଇଥିଲେ। ହେଲେ ନଥି ଆଉ ଆଗକୁ ଯାଉନି। ଏହା ଭିତରେ ୪ମାସ ବିତିଗଲାଣି। ହେଲେ କୌଣସି ନିଷ୍ପତ୍ତି ନିଆଯାଇପାରୁନି।

Comment