ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ୨୦୧୯ ପୂର୍ବରୁ ନୂଆ ଦଳ ଗଠନ କରିବାକୁ କରୁଛନ୍ତି ବିଚାର।

ବିଜେଡି ସହ ସବୁ ସମ୍ପର୍କ ତୁଟାଇବାର ତିନି ମାସ ପରେ ବୈଜୟନ୍ତ ପଣ୍ଡା ଏଯାଏଁ କୌଣସି ନିଷ୍ପତ୍ତି ନେଇପାରି ନାହାନ୍ତି। କେଉଁ ଦଳକୁ ଯିବେ ନା ନିଜେ ଦଳ ଗଢ଼ିବେ ତାକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ବୈଜୟନ୍ତ କିଛି ସ୍ପଷ୍ଟ କରୁ ନାହାନ୍ତି। ହେଲେ ଆଜି ମାହାଙ୍ଗାର ବ୍ରାହ୍ମଣମଣିଯୋରୀ ଗାଁ ଗସ୍ତ କରିବା ବେଳେ ବୈଜୟନ୍ତଙ୍କ ବିବୃତିରୁ ସଙ୍କେତ ମିଳୁଛି ଯେ ସେ ଖୁବ୍‌ଶୀଘ୍ର ନୂଆ ଦଳ ଗଠନ କରିବାକୁ ଯାଉଛନ୍ତି।

ପାଖେଇ ଆସୁଛି ୨୦୧୯ ନିର୍ବାଚନ। ଏଥିପାଇଁ ଓଡ଼ିଶାର ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଏବଂ କଂଗ୍ରେସ ସଜବାଜ ହେଲେଣି। ହେଲେ ବିଜେଡି ଛାଡ଼ିଥିବା ବୈଜୟନ୍ତ ୨୦୧୯ରେ କ’ଣ କରିବେ ସେନେଇ ରାଜନୀତି ପର୍ଯ୍ୟବେକ୍ଷକମାନେ ବୈଜୟନ୍ତଙ୍କ ଉପରେ ନଜର ରଖିଛନ୍ତି।

ବୈଜୟନ୍ତ ବିଜେଡି ଛାଡ଼ିବା ପରେ ଚର୍ଚ୍ଚା ହେଉଥିଲା ଯେ ସେ ବିଜେପିରେ ସାମିଲ୍ ହେବେ। ୨୦୧୯ରେ ବିଜେପି ଟିକେଟରୁ ପ୍ରାର୍ଥୀ ହେବେ। କିନ୍ତୁ ଦିନ ପରେ ଦିନ ଗଡ଼ୁଥିଲେ ମଧ୍ୟ ବୈଜୟନ୍ତ ବିଜେପି ଯାଇପାରୁ ନାହାନ୍ତି। ଏପଟେ ବିଜେଡିକୁ ଫେରିବାର ଆଶା ମଧ୍ୟ କମ୍। ଏଣୁ ବୈଜୟନ୍ତ ଏକ ନୂଆ ଦଳ ଗଢ଼ି ପାରନ୍ତି ବୋଲି ରାଜନୀତି କରିଡ଼ରରେ ଚର୍ଚ୍ଚା ହେଉଛି।

ନୂଆ କିଛି ଆରମ୍ଭ କରିବେ?

ଗଣମାଧ୍ୟମକୁ ଦେଇଥିବା ବିବୃତି ଅନୁଯାୟୀ ‘ନୂଆ କିଛି ଆରମ୍ଭ କରିବେ’ ବୈଜୟନ୍ତ। ଏହି ‘ନୂଆ କିଛି’ କୁ ନେଇ ରାଜନୀତି ଶିବିର ହଲ୍‌ଚଲ୍‌ ହୋଇଛି। ବୈଜୟନ୍ତ ଖୁବ୍‌ଶୀଘ୍ର ନୂଆ ରାଜନୀତିକ ଦଳ ଗଠନ କରିବାକୁ ଯାଉଥିବା ଏଥିରୁ ଅନୁମାନ କରାଯାଉଛି।

“କେବଳ କେନ୍ଦ୍ରାପଡ଼ା ପାଇଁ ନୁହେଁ, ସାରା ଓଡ଼ିଶା ପାଇଁ କିଛି କରିବାକୁ ଇଚ୍ଛା ରହିଛି। ଏଥିପାଇଁ ମୁଁ ବିଭିନ୍ନ ଲୋକଙ୍କର ମତାମତ ନେଇଛି। ସେମାନଙ୍କ ମତାମତକୁ କାମରେ ଲଗାଇବି। ମୁଁ କ’ଣ କରିବି ତାହା ନିକଟ ଭବିଷ୍ୟତରେ ନିଷ୍ପତ୍ତି ନେବି। ୨୦୧୯ ପୂର୍ବରୁ ସବୁକିଛି ସ୍ପଷ୍ଟ ହୋଇଯିବ। କିଛି ଲୋକ ମତେ ନୂଆ କିଛି କରିବା ପାଇଁ ପରାମର୍ଶ ଦେଇଛନ୍ତି”, ଗଣମାଧ୍ୟମକୁ କହିଛନ୍ତି ବୈଜୟନ୍ତ ପଣ୍ଡା।

ନିଶ୍ଚିନ୍ତକୋଇଲିରେ ପାଣିଟାଙ୍କି ଉଦଘାଟନକୁ ନେଇ ବୈଜୟନ୍ତ ଏବଂ ବିଜେଡି ଭିତରେ ବିବାଦ ଆରମ୍ଭ ହୋଇଥିଲା। ବୈଜୟନ୍ତ ତୃତୀୟ ମହଲା ଅଫିସରଙ୍କ ଉପରେ ଆଙ୍ଗୁଳି ଉଠାଇ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବିତ ହୋଇଥିଲେ। ଏହାପରେ ବୈଜୟନ୍ତ ଏବଂ ବିଜେଡି ଭିତରେ ଦୂରତା ବଢ଼ିଥିଲା ପଛେ କମି ନଥିଲା।

ଏହି ବିବାଦ ଭିତରେ ବୈଜୟନ୍ତଙ୍କ ବାପା ତଥା ବିଶିଷ୍ଟ ଶିଳ୍ପପତି ବଂଶୀଧର ପଣ୍ଡାଙ୍କ ଦେହାନ୍ତ ହୋଇଯାଇଥିଲା। ସବୁ ଦଳର ତୁଙ୍ଗ ନେତାମାନେ ବଂଶୀଧରଙ୍କ ଶେଷ ଦର୍ଶନ କରିବାକୁ ଆସିଥିଲେ। କିନ୍ତୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କିମ୍ବା କୌଣସି ନେତା ନଆସିବାରୁ ଶେଷରେ ବୈଜୟନ୍ତ ବିଜେଡିରୁ ଇସ୍ତଫା ଦେଇଥିଲେ।

ମେ’ ୨୮ରେ ବିଜେଡିରୁ ଇସ୍ତଫା ଦେବା ପରେ ବୈଜୟନ୍ତ ଜୁନ୍ ୧୨ରେ ଲୋକସଭା ସାଂସଦ ପଦରୁ ଇସ୍ତଫା ଦେଇଥିଲେ। ଜୁଲାଇ ୧୯ରେ ବୈଜୟନ୍ତଙ୍କ ଇସ୍ତଫାପତ୍ର ଗ୍ରହଣ କରିଥିଲେ ଲୋକସଭା ବାଚସ୍ପତି। ଏହାପରେ ବୈଜୟନ୍ତ କହିଥିଲେ ଯେ ସେ କ’ଣ କରିବେ ଖୁବ୍‌ଶୀଘ୍ର ନିଷ୍ପତ୍ତି ନେବେ।

ଏହାପରେ ବୈଜୟନ୍ତ ବିଜେପି ଏବଂ କଂଗ୍ରେସର ତୁଙ୍ଗ ନେତାମାନଙ୍କୁ ଭେଟିଲେ। ବୈଜୟନ୍ତଙ୍କର ଏହି ଭେଟ୍‌ଘାଟକୁ ନେଇ ରାଜନୀତି କରିଡ଼ରରେ ଚର୍ଚ୍ଚା ବଢ଼ିଲା। କିନ୍ତୁ ବୈଜୟନ୍ତ କ’ଣ କରିବାକୁ ଚାହୁଁଛନ୍ତି ତା’ ଉପରୁ ପରଦା ହଟିଲାନି।

ସାଧାରଣ ଲୋକଙ୍କ ସହ ମିଶିବା ପାଇଁ ବୈଜୟନ୍ତ ମୋଦିଙ୍କ ଷ୍ଟାଇଲକୁ ଆପଣାଇଥିଲେ। ଭୁବନେଶ୍ୱର ଏବଂ କଟକରେ ଚା’ଖଟି ‘ହେଇଯାଉ’ କରି ଲୋକଙ୍କ ସହ ମିଶିଲେ। ସେତେବେଳେ ବି ବୈଜୟନ୍ତ କହିଥିଲେ ଯେ ସେ ଲୋକଙ୍କର ମତ ନେଉଛନ୍ତି। ହେଲେ ଆଜି ଗଣମାଧ୍ୟମକୁ ବୈଜୟନ୍ତ ଯେଉଁ ସୂଚନା ଦେଇଛନ୍ତି ଏଥିରୁ ସ୍ପଷ୍ଟ ହେଉଛି ଯେ ସେ ନୂଆ ଦଳ ଗଠନ କରିବାକୁ ଯାଉଛନ୍ତି।

ବୈଜୟନ୍ତଙ୍କୁ ବିଜେପିରୁ କୌଣସି ସ୍ପଷ୍ଟ ସଙ୍କେତ ମିଳୁ ନଥିବା ବେଳେ ବିଜେଡି ବାଟ ବନ୍ଦ ହୋଇଯାଇଛି। କଂଗ୍ରେସ ଯିବାକୁ ବୈଜୟନ୍ତ ଚାହୁଁ ନଥିବା ତାଙ୍କ ନିକଟତମ ଶିବିରରୁ ଜଣାପଡ଼ିଛି। ଏପରିସ୍ଥଳେ ବୈଜୟନ୍ତ ନୂଆ ଦଳ ଗଠନ କରିବାକୁ ବିଚାର କରୁଥିବା ଆଲୋଚନା ହେଉଛି।

Comment