ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ସୁରତରେ ଓଡ଼ିଆ କଳା, ସଂସ୍କୃତିର ଝଲକ
  • ଓଡ଼ିଶା ଗୀତ, ନୃତ୍ୟରେ ଝୁମିଲେ ଦର୍ଶକ
  • ଓଡ଼ିଆ ଖାଦ୍ୟର ମଜା ନେଲେ ଲୋକେ

ଉତ୍ସାହ ଓ ଉଦ୍ଦୀପନାର ସହ ଶେଷ ଗୁଜରାଟର ସୁରତଠାରେ ଶେଷ ହୋଇଛି ‘ଓଡ଼ିଶା ପର୍ବ’। ନୂଆଦିଲ୍ଲୀର ଓଡ଼ିଆ ସମାଜ ପକ୍ଷରୁ ଏହି ଉତ୍ସବ ଦୁଇ ଦିନ ଧରି ଆୟୋଜନ କରାଯାଇଥିଲା। ଏହି ସମାରୋହରେ ସୁରତବାସୀ ଓଡ଼ିଶାର ଅନନ୍ୟ କଳା, ସଂସ୍କୃତି, ଐତିହ୍ୟ, ପରମ୍ପରା, ଖାଦ୍ୟ, ନୃତ୍ୟ, ସଙ୍ଗୀତ ଆଦିର ଭରପୁର ମଜା ନେଇଛନ୍ତି।

ଓଡ଼ିଶା ପର୍ବରେ ୩ଡି ଫିଲ୍ମ ମାଧ୍ୟମରେ ବ୍ରିଟିଶ ସରକାର ବିରୋଧରେ ଓଡ଼ିଶାର ସାହସୀ ସଂଗ୍ରାମୀଙ୍କ ବୀରତ୍ୱର ଗାଥା ମଧ୍ୟରେ ପ୍ରଦର୍ଶିତ ହୋଇଥିଲା।

ଉଦଯାପନୀ ଉତ୍ସବରେ କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ବାଷ୍ପ ଏବଂ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗଦେଇ ଥିଲେ।

ସେ କହିଥିଲେ ଯେ ଓଡ଼ିଆ ସମାଜ ପକ୍ଷରୁ ଓଡ଼ିଶା ପର୍ବ ଦେଶର ରାଜନଧାନୀ ଦିଲ୍ଲୀରୁ ଆରମ୍ଭ ହୋଇ ଆସି ସୁରତରେ ପହଁଚିଛି। ଆସନ୍ତା ଦିନରେ ଏହା ବାହାର ରାଜ୍ୟକୁ ଯିବ।

କେନ୍ଦ୍ରମନ୍ତ୍ରୀ ଆହୁରି କହିଥିଲେ ଯେ ଓଡ଼ିଆ ଯୁବକ ବିଭିନ୍ନ ସ୍ଥାନରେ ରହିଛନ୍ତି। ସେମାନେ ବିଭିନ୍ନ କାମରେ ଜଡ଼ିତ ଅଛନ୍ତି। ଓଡ଼ିଆ ଯୁବକଙ୍କ ପାଇଁ ଦେଶ ଆଜି ସମୃଦ୍ଧ ହୋଇଛି। ଏବେ ଓଡ଼ିଶାକୁ ନୂଆକରି ବନାଇବା ପାଇଁ ସମୟ ଆସିଛି।

ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ହର୍ଷ ସଙ୍ଘବୀ, ଅଭିନେତ୍ରୀ ଅପରାଜିତା ମହାନ୍ତି, ଅଭିନେତା ମିହିର ଦାସ୍, ଶ୍ରୀତମ ଦାସ, ହରିହର ମହାପାତ୍ର, ପିଙ୍କି ପ୍ରଧାନ, ସଂଗୀତ ନିର୍ଦ୍ଦେଶକ ମନ୍ମଥ ମିଶ୍ର, ଗୀତିକାର ପଞ୍ଚାନନ ନାୟକ ଏବଂ ସମାଜସେବୀ ସୁରମା ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ।

ଓଡ଼ିଆ ସମାଜର ସଭାପତି ସିଦ୍ଧାର୍ଥ ପ୍ରଧାନ ଏହି ଅବସରରେ କହିଥିଲେ ଯେ ଏହି ଦୁଇ ଦିନିଆ ଓଡ଼ିଶା ପର୍ବରେ ଲକ୍ଷାଧିକ ଦର୍ଶକଙ୍କ ଉପସ୍ଥିତି ଆମର ଏହି ଉତ୍ସବକୁ ସଫଳ କରିଛି। ନୂଆଦିଲ୍ଲୀଠାରେ ଓଡ଼ିଶା ପର୍ବର ଦୁଇଟି ସଂସ୍କରଣର ଅଦ୍ଭୂତପୂର୍ବ ସଫଳତା ପରେ ଆମେ ସୁରଟଠାରେ ଆହୁରି ଅଧିକା ଅନୁଭୂତି ପ୍ରଦାନ କରିବା ପାଇଁ ଲକ୍ଷ୍ୟ ରଖିଥିଲୁ ଏବଂ ଏହି ବିଶାଳ ଜନସମାଗମ ହେଉଛି ଆମ କଠିନ ପରିଶ୍ରମ ଏବଂ ପ୍ରତିବଦ୍ଧତାର ପରିଚାୟକ।

ଓଡ଼ିଶା ପର୍ବର ଦ୍ୱିତୀୟ ଦିନରେ ଅଭିଜିତ୍ ମଜୁମଦାର, ବାବୁ ପାଣିଗ୍ରାହୀ ଏବଂ ସୋହିନୀ ମିଶ୍ରଙ୍କ ସଙ୍ଗୀତରେ ଦର୍ଶକ ଝୁମିଥିଲେ।

ଗଞ୍ଜାମର ଭାରତ ଲୀଲାଙ୍କ ଦ୍ୱାରା ପ୍ରସ୍ତୁତ ଗାହାଣ, ପଶୁମୁଖା ନୃତ୍ୟ, ବଣ୍ଡାନୃତ୍ୟ, ଓଡ଼ିଶାର ଶାସ୍ତ୍ରୀୟ ନୃତ୍ୟ ଓ ଗୁଜୁରାଟର ଗର୍ବା ନୃତ୍ୟର ଫ୍ୟୁଜନ୍ ଉପସ୍ଥିତ ଜନତାଙ୍କ ମନ ମୋହିଥିଲା। ସମ୍ବଲପୁରୀ ନୃତ୍ୟ ମଧ୍ୟ ପରିବେଷଣ କରାଯାଇଥିଲା। ପାଇକ ନୃତ୍ୟାଭିନୟ, ଭଞ୍ଜନଗରର ମଙ୍ଗଳାଘାଟ ନୃତ୍ୟ ମଧ୍ୟ ଅନ୍ୟତମ ଆକର୍ଷଣ ହୋଇଥିଲା।

Comment