ଓଡ଼ିଶାଲାଇଭ୍‌ ବ୍ୟୁରୋ

ଶିକ୍ଷକ ଆନ୍ଦୋଳନକୁ ସମର୍ଥନ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

“ଗାଁ ଗାଁରେ ରାଜ୍ୟ ସରକାର ବିଜୁ ଯୁବ ବାହିନୀ ଗଠନ କରିଛନ୍ତି। ଏଥିପାଇଁ ୪୦୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଯୋଜନା କରିଛନ୍ତି। କିନ୍ତୁ ପିଲାମାନଙ୍କ ଭବିଷ୍ୟତ ଗଢ଼ୁଥିବା ଶିକ୍ଷକଙ୍କ ସମସ୍ୟା ସମାଧାନ କରୁ ନାହାନ୍ତି। ଯଦି ବିଜୁ ଯୁବ ବାହିନୀ ଏବଂ ଆମ ଗାଁ ଆମ ବିକାଶରେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ତହାଲେ ଶିକ୍ଷକଙ୍କ ପାଇଁ କାହିଁକି ନାହିଁ”, ଶିକ୍ଷକ ଆନ୍ଦୋଳନକୁ ସମର୍ଥନ କରି ଆଜି ଏମିତି ବାଣ ମାରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଗତ ୨୩ ଦିନ ଧରି ବ୍ଲକଗ୍ରାଣ୍ଟ ଶିକ୍ଷକ କର୍ମଚାରୀମାନେ ଲୋୟର ପିଏମ୍‌ଜିରେ ଧାରଣାରେ ବସିଛନ୍ତି। ବ୍ଲକ ଗ୍ରାଣ୍ଟ ଉଚ୍ଛେଦ କରି ପୂର୍ଣ୍ଣ ଅନୁଦାନ ଦେବା ପାଇଁ ଶିକ୍ଷକମାନେ ଦାବି କରୁଛନ୍ତି। ହେଲେ ରାଜ୍ୟ ସରକାର ସେମାନଙ୍କ ଦାବି ପୂରଣ କରୁ ନାହାନ୍ତି। ଫଳରେ ଗୁରୁଦିବସକୁ ସେମାନେ କଳା ଦିବସ ଭାବେ ପାଳନ କରିଥିଲେ। କଳା ବ୍ୟାଜ୍ ବାନ୍ଧି ପ୍ରତିବାଦ କରିଥିଲେ। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଧାରଣାସ୍ଥଳକୁ ଆସି ଶିକ୍ଷକ ଆନ୍ଦୋଳନକୁ ସମର୍ଥନ କରିବା ପରେ ଆଜି ଧର୍ମେନ୍ଦ୍ର ଆସି ସମର୍ଥନ ଜଣାଇଛନ୍ତି। ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି।

“ସ୍କୁଲରେ ପାଠପଢ଼ା ଠପ୍ ହୋଇଯାଇଛି। ଶିକ୍ଷକଙ୍କ ସମସ୍ୟା ସମାଧାନ ନହେଲେ ୩୦ରୁ ୩୫ ଲକ୍ଷ ପିଲାଙ୍କ ଭବିଷ୍ୟତ ଅନ୍ଧକାର ହୋଇଯିବ। ଶିକ୍ଷକଙ୍କ ଦାବି ପୂରଣ ପାଇଁ ସରକାରଙ୍କୁ ୮୦୦ କୋଟି ଟଙ୍କା ବୋଝ ବୋହିବାକୁ ପଡ଼ିବ। ହେଲେ ଏଥିରେ ସେ ପଛଘୁଞ୍ଚା ଦିଅନ୍ତୁ ନାହିଁ”, କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ।

ଧର୍ମେନ୍ଦ୍ର କହିଛନ୍ତି ଯେ ଗ୍ରାଣ୍ଟ ଇନ୍ ଏଡ୍ ନାଁରେ ଶିକ୍ଷକମାନଙ୍କୁ ଧୋକା ଦିଆଯାଇଛି। ରାଜ୍ୟ ସରକାର ଶିକ୍ଷକମାନଙ୍କୁ ପ୍ରତାରିତ କରିଛନ୍ତି। କେନ୍ଦ୍ର ସରକାର ଚତୁର୍ଦ୍ଦଶ ଅର୍ଥ କମିଶନରେ ରାଜ୍ୟକୁ ଅଧିକ ଟଙ୍କା ଦେଇଛନ୍ତି। ପେଟ୍ରୋଲ ଓ ଡିଜେଲ ବାବଦରେ ଗତ ୪ ବର୍ଷରେ ୪ ହଜାର କୋଟିରୁ ଅଧିକ ଟଙ୍କା ଟିକସ ପାଇଛନ୍ତି। ସେ ଟଙ୍କା ଶିକ୍ଷକମାନଙ୍କ ପାଇଁ ଖର୍ଚ୍ଚ କରୁ ନାହାନ୍ତି କାହିଁକି?

Comment