ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡର ମୁନ୍ନାଭାଇ ଓରଫ ସଞ୍ଜୟ ଦତ୍ତ ନିଜର କ୍ୟାରିଅରକୁ ନେଇ ନୂଆ ଯୋଜନା କରିଛନ୍ତି। ଜାଣନ୍ତୁ ସେ ସମ୍ପର୍କରେ…

 

ବଲିଉଡର ମୁନ୍ନାଭାଇ ଓରଫ ସଞ୍ଜୟ ଦତ୍ତ ଆଜିକାଲି ନିଜର କ୍ୟାରିଅରକୁ ନେଇ ଖୁବ୍ ସିରିଅସ୍ ଅଛନ୍ତି। ସେ ଏବେ ନିଜର ନୂଆ ମ୍ୟାନେଜର ଓ ପରାମର୍ଶଦାତାଙ୍କ ଟିମ୍‌ ପ୍ରସ୍ତୁତ କରୁଛନ୍ତି। ଏମାନେ ତାଙ୍କ ପାଇଁ ଭଲ କାହାଣୀ ଓ ହିଟ୍ ସିନେମାର ମନୋନୟନ କରିବେ।

ସଞ୍ଜୟ ଦତ୍ତଙ୍କ ହାତରେ ଏବେ ରହିଛି ଚାରିଟି ନୂଆ ହିନ୍ଦୀ ସିନେମା, ଯାହା ୨୦୧୯ରେ ଗୋଟିକ ପରେ ଗୋଟିଏ ରିଲିଜ୍‌ ହେବ। ଏହି ଫିଲ୍ମଗୁଡ଼ିକ ହେଲା କରଣ ଜୋହରଙ୍କ ‘କଳଙ୍କ’, ଆଶୁତୋଷ ଗୋୱାରିକରଙ୍କ ‘ପାନିପତ’ ସାଉଥ୍ ଫିଲ୍ମ ‘ପ୍ରସ୍ଥାନମ୍’ର ରିମେକ୍ ଓ ‘ତୋର୍‌ବାଜ୍‌’। ଏହାଛଡ଼ା ସେ ନିଜର ସୁପରହିଟ୍ ଫିଲ୍ମ ‘ସଡ଼କ’ର ସିକ୍ୱେଲ୍ ‘ସଡକ-୨’କୁ ମଧ୍ୟ ସବୁଜ ସଙ୍କେତ ଦେଇଛନ୍ତି। ଏ ଦୃଷ୍ଟିରୁ ୨୦୧୯ ହିଁ ସଞ୍ଜୟ ଦତ୍ତଙ୍କ ଭାଗ୍ୟ ନିର୍ଣ୍ଣୟ କରିବ।

ସଞ୍ଜୟ ଦତ୍ତ ଚାହୁଁଛନ୍ତି ତାଙ୍କର ଅପ୍‌କମିଂ ଫିଲ୍ମଗୁଡ଼ିକ ହିଟ୍ ହେଉ ଓ ତାଙ୍କ କ୍ୟାରିଅର୍ ପୁଣି ଚମକି ଉଠୁ ବଲିଉଡରେ। ସେ ନିଜର ଇମେଜ୍‌ ବି ବଦଳାଇବାକୁ ଚାହୁଁଛନ୍ତି। ଏହି କାରଣରୁ ସଞ୍ଜୁବାବା ପ୍ରଖ୍ୟାତ ନିର୍ଦ୍ଦେଶକ ଇନ୍ଦ୍ର କୁମାରଙ୍କ କମେଡି ଫିଲ୍ମ ‘ଟୋଟାଲ ଧମାଲ୍’ରେ କାମ କରିବାକୁ ମନା କରିଦେଲେ। ସେ ଆଉ ହାଲକା ଫୁଲକା ରୋଲ୍ କରିବାକୁ ଚାହୁଁନାହାନ୍ତି। ସିରିଅସ୍ ଫିଲ୍ମ କରିବେ।

୨୦୧୬ରେ ସଞ୍ଜୟ ଦତ୍ତ ଜେଲ୍‌ରୁ ମୁକୁଳିବା ପରେ ଚର୍ଚ୍ଚା ଜୋର ଧରିଥିଲା ଯେ ତାଙ୍କ ପତ୍ନୀ ମାନ୍ୟତା ସଞ୍ଜୁବାବାଙ୍କ କ୍ୟାରିଅରର ଦାୟିତ୍ୱ ନେବେ। ହେଲେ ମାନ୍ୟତା ସେହି ଦାୟିତ୍ୱ ନେବାରେ ଅକ୍ଷମ ହେଲେ।

କାହିଁକି ନେଲେ ଏଭଳି ନିଷ୍ପତ୍ତି

ସଞ୍ଜୟ ଦତ୍ତ ଜେଲରୁ ଫେରିବା ପରେ ଯେଉଁ ଦୁଇଟି ହିନ୍ଦୀ ସିନେମାରେ କାମ କରିଥିଲେ, ତାହା ଫ୍ଲପ୍ ହୋଇଛି। ଏହି ଫିଲ୍ମ ହେଲା ‘ଭୂମି’ ଏବଂ ‘ସାହେବ ବିବି ଔର୍ ଗ୍ୟାଙ୍ଗଷ୍ଟାର-୩’। ଏଥିମଧ୍ୟରୁ ‘ଭୂମି’ର ନିର୍ଦ୍ଦେଶକ ଥିଲେ ସମଙ୍ଗ କୁମାର ଓ ‘ସାହେବ ବିବି ଔର୍‌ ଗ୍ୟାଙ୍ଗଷ୍ଟାର-୩’ର ନିର୍ଦ୍ଦେଶନା ଦେଇଥିଲେ ତିଗ୍‌ମାଂଶୁ ଧୂଲିଆ। ଦୁହେଁ ବେଶ୍‌ ସଫଳ ନିର୍ଦ୍ଦେଶକ। ହେଲେ ସେ ଦୁହେଁ ସଞ୍ଜୟ ଦତ୍ତଙ୍କୁ ନେଇ ହିଟ୍ ଫିଲ୍ମ ତିଆରି କରି ପାରିନାହାନ୍ତି।

ସଞ୍ଜୟ ଦତ୍ତ ଏବେ ନିଷ୍ପତ୍ତି ନେଇଛନ୍ତି ଯେ, ସେ ଏବେ କେବଳ ଯୁବ ନିର୍ଦ୍ଦେଶକଙ୍କ ସହିତ କାମ କରିବେ। ସଞ୍ଜୟ ଦତ୍ତ ଆଉ ଓମଙ୍ଗ କୁମାର ବା ତିଗ୍‌ମାଂଶୁଙ୍କ ସହିତ କାମ ନ କରିବାର ନିଷ୍ପତ୍ତି ନେଇଛନ୍ତି। ‘ଭୂମି’ ପରେ ଓମଙ୍ଗ କୁମାର ‘ମହାରାଜା’ ଟାଇଟଲ୍‌ରେ ଏକ ହିନ୍ଦୀ ସିନେମାର ନିର୍ମାଣ କରିବାକୁ ବାହାରି ଥିଲେ। ଯେଉଁଥିରେ ସଞ୍ଜୟ ଦତ୍ତ ମୁଖ୍ୟ ଭୂମିକାରେ ଅଭିନୟ କରିଥାନ୍ତେ।

ଏହି ଫିଲ୍ମର ପୋଷ୍ଟର ମଧ୍ୟ ରିଲିଜ୍‌ କରାଯାଇଥିଲା। ଏହା ଏକ ପିରିଅଡ୍ ଫିଲ୍ମ ଥିଲା, ଯାହା ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଜାମନଗରର ମହାରାଜାଙ୍କ ଉପରେ ଆଧାରିତ। ହେଲେ ‘ଭୂମି’ ଫ୍ଲପ୍ ହେବା ପରେ ସଞ୍ଜୁବାବା ଆଉ ‘ମହାରାଜା’ରେ କାମ କରିବେ ନାହିଁ ବୋଲି ଜଣାଯାଇଛି।

ତେଣେ ନିର୍ଦ୍ଦେଶକ ତିଗମାଂଶୁ ଧୂଲିଆଙ୍କ ସହିତ କାମ କରି ସଞ୍ଜୟ ଦତ୍ତ ଖୁବ୍ ଖୁସି ଥିଲେ। ହେଲେ ‘ସାହେବ ବିବି ଔର ଗ୍ୟାଙ୍ଗଷ୍ଟର-୩’ର ପୋଷ୍ଟ ପ୍ରଡକ୍ସନ୍ ସମୟରେ ଫିଲ୍ମକୁ ନେଇ ସନ୍ତୁଷ୍ଟ ନ ଥିଲେ ସଞ୍ଜୁବାବା। ଏହାପରେ ତିଗମାଂଶୁ ଅନ୍ୟ ଏକ ଫିଲ୍ମରେ ସଞ୍ଜୟ ଦତ୍ତଙ୍କୁ ନେବାକୁ ଚାହୁଁଥିଲେ ହେଲେ ସଞ୍ଜୁବାବା ରୋକଠୋକ୍‌ ଭାବେ ମନା କରିଦେଇଥିବା ଜଣାଯାଇଛି।

Comment