ଓଡ଼ିଶାଲାଇଭ୍ ବ୍ୟୁରୋ

(ଭୁବନେଶ୍ୱର): ‘ବିଶ୍ୱ ଦକ୍ଷତା କେନ୍ଦ୍ର’ରେ ୨୦୨୪-୨୫ ବ୍ୟାଚରେ ନାମଲେଖା ଲାଗି ଆବଦେନ ପ୍ରକ୍ରିୟା ଜାରି ରହିଛି। ୨୦୨୪ ଫେବ୍ରୁଆରି ୬ରୁ ଆରମ୍ଭ ହୋଇଥିବା ଏହି ଆବେଦନ ପ୍ରକ୍ରିୟା ଫେବ୍ରୁଆରି ୨୯ ତାରିଖ ଯାଏଁ ଚାଲିବ।

‘ବିଶ୍ୱ ଦକ୍ଷତା କେନ୍ଦ୍ର’ ପକ୍ଷରୁ ଦିଆଯାଉଥିବା ବିଭିନ୍ନ ଅତ୍ୟାଧୁନିକ ବିଷୟରେ ନାମ ଲେଖାଇବା ପାଇଁ ଆଗ୍ରହୀ ପ୍ରାର୍ଥୀମାନେ ଅନଲାଇନ ମାଧ୍ୟମରେ ଆବେଦନ କରିପାରିବେ।

ପ୍ରାର୍ଥୀମାନେ ‘ବିଶ୍ୱ ଦକ୍ଷତା କେନ୍ଦ୍ରର’ ବସାଇଟରେ www.worldskillcenter.org/admissions ପ୍ରଥମେ ପଞ୍ଜୀକରଣ କରିବା ପରେ ନାମଲେଖା ପାଇଁ ଆବେଦନ କରିପାରିବେ। ନାମଲେଖା ବିଷୟରେ ଅଧିକ ସୂଚନା ପାଇଁ ପ୍ରାର୍ଥୀ ୧୮୦୦ ୨୬୬ ୬୦୦୨ରେ ଯୋଗାଯୋଗ କରିପାରିବେ।

‘ବିଶ୍ୱ ଦକ୍ଷତା କେନ୍ଦ୍ର’ର ସ୍କୁଲ ଅଫ୍ ଇଞ୍ଜିନିୟରିଂ ବିଭାଗରେ ମୋଟ ୫ଟି ଅତ୍ୟାଧୁନିକ ବିଷୟରେ ତାଲିମ ଦିଆଯାଉଛି। ତା’ ଭିତରେ ରହିଛି ମେକାଟ୍ରୋନିକ୍ସ, ମେକାନିକାଲ ଆଣ୍ଡ ଇଲେକ୍ଟ୍ରିକାଲ ସର୍ଭିସେସ୍, ଏୟାର କଣ୍ଡିସନିଂ ଆଣ୍ଡ ରେଫ୍ରିଜରେସନ୍, ଇଲେକ୍ଟ୍ରିକାଲ ଟେକ୍ନୋଲୋଜି ଏବଂ ଭର୍ଟିକାଲ ଟ୍ରାନ୍ସପୋର୍ଟେସନ (ଲିଫ୍ଟ ଟେକ୍ନୋଲୋଜି) ଭଳି ବିଷୟ।

ଏହି ବିଷୟରେ ତାଲିମ ପାଇଁ ପ୍ରାର୍ଥୀ ଓଡ଼ିଶାର କୌଣସି ସରକାରୀ ବା ଘରୋଇ ଶିଳ୍ପ ତାଲିମ କିମ୍ବା ବୈଷୟିକ ଶିକ୍ଷାନୁଷ୍ଠାନରୁ ୨ ବର୍ଷିଆ ଆଇଟିଆଇ/୩ ବର୍ଷିଆ ଡିପ୍ଲୋମା କରିଥିବା ଆବଶ୍ୟକ।

ସେହିପରି ସ୍କୁଲ ଅଫ୍ ସର୍ଭିସେସ୍ ବିଭାଗ ଅଧୀନରେ ‘ହେୟାର ଫ୍ୟାସନ ଆଣ୍ଡ୍ ଡିଜାଇନ’ ଏବଂ ‘ବ୍ୟୁଟି ଓ୍ଵେଲନେସ୍ ଆଣ୍ଡ ସ୍ପା’ ଆଦି ବିଷୟ ରହିଛି। ଏଥିପାଇଁ ପ୍ରାର୍ଥୀ +୨ କିମ୍ବା କୌଣସି ବିଷୟରେ ଡିପ୍ଲୋମା କରିଥିବା ଆବଶ୍ୟକ। ବ୍ୟୁଟି ଓ୍ଵେଲନେସ୍ ଆଣ୍ଡ ସ୍ପା ବିଷୟରେ ତାଲିମ ପାଇଁ କେବଳ ଛାତ୍ରୀମାନେ ଆବେଦନ କରିପାରିବେ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍କିଲ୍ଡ ଇନ ଓଡ଼ିଶା ପରିକଳ୍ପନାରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଅଧୀନରେ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ପକ୍ଷରୁ ବିଶ୍ୱ ଦକ୍ଷତା କେନ୍ଦ୍ର ସ୍ଥାପନ କରାଯାଇଛି। ଏହି କେନ୍ଦ୍ରରେ ଅନ୍ତର୍ଜାତୀୟ ଢାଞ୍ଚାର ପାଠ୍ୟକ୍ରମ ସହ ଆବଶ୍ୟକ ଭିତ୍ତିଭୂମି, ଅତ୍ୟାଧୁନିକ ଲାବୋରେଟୋରି ଏବଂ ବିଶ୍ୱସ୍ତରୀୟ ବିଭିନ୍ନ ଯନ୍ତ୍ରପାତି ରହିଛି। ଏହି କେନ୍ଦ୍ରରେ ଫିନିସିଙ୍ଗ ସ୍କୁଲ ଢାଞ୍ଚାରେ ଯୁବକ ଯୁବତୀମାନଙ୍କୁ ଆବଶ୍ୟକ ଶିକ୍ଷା ଓ ତାଲିମ ଦିଆଯାଇ ସେମାନଙ୍କୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ଶିଳ୍ପ ଓ ସେବା କ୍ଷେତ୍ର ଲାଗି ପ୍ରସ୍ତୁତ କରାଯାଉଛି।

ବିଶ୍ୱ ଦକ୍ଷତା କେନ୍ଦ୍ରରେ ଦିଆଯାଉଥିବା ବିଭିନ୍ନ ବିଷୟରେ ତାଲିମ ପାଇଁ ପ୍ରାର୍ଥୀମାନଙ୍କଠାରୁ କୋର୍ସ ଫି’ ବାବଦରେ ୨୦ ହଜାର ଟଙ୍କା ନିଆଯାଉଛି। ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି, ପଛୁଆ ବର୍ଗ ଛାତ୍ରଛାତ୍ରୀଙ୍କ ପାଇଁ କୋର୍ସ ଫି’ ମାଗଣା ରହିଛି। ସେହିପରି ରାଜ୍ୟ ସରକାରଙ୍କ ‘ସୁଦକ୍ଷା’ ଯୋଜନା ଅଧୀନରେ ଛାତ୍ରୀମାନଙ୍କ ପାଇଁ ଏହି କୋର୍ସ ଫି’ ସମ୍ପୂର୍ଣ୍ଣ ମାଗଣା ରହିଛି। ସେମାନଙ୍କ ଲାଗି ହଷ୍ଟେଲ ସୁବିଧା, ଖାଇବା, ୟୁନିଫର୍ମ ଏବଂ ଯିବା ଆସିବା ଲାଗି ବସ୍ ସୁବିଧା ଆଦି ରାଜ୍ୟ ସରକାରଙ୍କ ପକ୍ଷରୁ ମାଗଣାରେ ଯୋଗାଇ ଦିଆଯାଉଛି।

ବିଶ୍ୱ ଦକ୍ଷତା କେନ୍ଦ୍ରରେ ଛାତ୍ରଛାତ୍ରୀମାନଙ୍କୁ ବିଦେଶରେ ଯାଇ ବିଶେଷ ଅନୁଭୂତି ହାସଲ କରିବା ପାଇଁ ସୁଯୋଗ ଦିଆଯାଉଛି। ଏହି ପାଠ୍ୟକ୍ରମ ଅଧୀନରେ କେନ୍ଦ୍ରର ୪୦ ଜଣ ଛାତ୍ରଛାତ୍ରୀଙ୍କୁ ବଛାଯାଇ ଦୁଇ ସପ୍ତାହ ଲାଗି ‘ଷ୍ଟୁଡେଣ୍ଟ ଏକ୍ସଚେଞ୍ଜ’ କାର୍ଯ୍ୟକ୍ରମରେ ସିଙ୍ଗାପୁର ପଠାଯାଉଛି। ସେହିପରି ପ୍ରତିବର୍ଷ ୨୪ ଜଣ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇ ସିଙ୍ଗାପୁରର ବିଭିନ୍ନ କମ୍ପାନିରେ ପେଡ୍ ଇଣ୍ଟର୍ଣ୍ଣସିପ୍ କରିବାର ସୁଯୋଗ ଦିଆଯାଉଛି।

ଶିକ୍ଷା ଓ ତାଲିମ ଶେଷ ହେବା ପରେ ଛାତ୍ରଛାତ୍ରୀମାନେ କିପରି ଦେଶ ବିଦେଶର ବିଭିନ୍ନ ପ୍ରମୁଖ ସଂସ୍ଥାରେ ନିଯୁକ୍ତି ପାଇପାରିବେ ସେଥିପାଇଁ ‘ପ୍ଲେସମେଣ୍ଟ’ ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି।

Tags: #WorldSkillCenter #WSC #Admission #OnlineApplication #Education #Odisha #Career

Comment