ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଜେଡିରୁ ବିଦା ହେଲେ ଡାକ୍ତର ଦାମୋଦର ରାଉତ। ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଦାମଙ୍କୁ ଦଳରୁ ବହିଷ୍କାର କରାଯାଇଛି।ଏ ସମ୍ପର୍କରେ ବିଜେଡି ସମ୍ପାଦକ ବିଜୟ ନାୟକ ପ୍ରେସ୍‌ ବିଜ୍ଞପ୍ତି ମାଧ୍ୟମରେ ସୂଚନା ଦେଇଛନ୍ତି।

ଦାମ ଦଳ ବିରୋଧୀ କାମ କରୁଛନ୍ତି ବୋଲି ଜଗତସିଂହପୁର ଜିଲ୍ଲାର ବିଜେଡି କର୍ମୀ ଏବଂ ନେତା ନବୀନ ନିବାସରେ ନବୀନ ପଟ୍ଟନାୟକଙ୍କୁ ଭେଟି ଅଭିଯୋଗ କରିଥିଲେ। ଏହି ଅଭିଯୋଗପତ୍ରକୁ ନବୀନ ଗ୍ରହଣ କରି ବିଚାର କରିବେ ବୋଲି କହିଥିଲେ।

ଗତ କିଛିଦିନ ହେଲା ଦାମ ଦଳ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଥିଲେ। ବିଭିନ୍ନ ବିଭାଗର ଦୁର୍ନୀତି ପେଡ଼ି ଖୋଲିଥିଲେ। ଏପରିକି ବିଜେଡି ଗଡଫାଦରଙ୍କ ଇସାରାରେ ସବୁ ଚାଲିଛି ବୋଲି କହିଥିଲେ। ବିଜେଡିକୁ ଜଣେ ଆଇଏଏସ୍ ଅଫିସର ଏବଂ ତିନି ଜଣ ବିଧାୟ ଚଳାଉଛନ୍ତି ବୋଲି ଦାମ କହିଥିଲେ।

ସୋମବାର ଦିନ ଜଗତସିଂହପୁର ଜିଲ୍ଲା ବିଜେଡି ସଭାପତି ବିଷ୍ଣୁ ଦାସ ଏବଂ ଏରସମା-ବାଲିକୁଦା ବିଧାୟକ ପ୍ରଶାନ୍ତ ମୁଦୁଲି ନବୀନଙ୍କୁ ଭେଟି ଦାମଙ୍କ ବିରୋଧରେ ଫେରାଦ ହୋଇଥିଲେ।

“ବହିଷ୍କାରର କାରଣ ସମ୍ପର୍କରେ ମୁଁ ଜାଣିନାହିଁ। ମୋ ସହ ଦଳର କୌଣସି ନେତା ସମ୍ପର୍କରେ ନଥିଲେ। ମତେ ମନ୍ତ୍ରିମଣ୍ଡଳରୁ ବିଦା କରାଯାଇଥିଲ। ଉପ-ସଭାପତି ଏବଂ ଜିଲ୍ଲାର ପର୍ଯ୍ୟବେକ୍ଷକ ପଦରୁ ହଟାଇ ଦିଆଯାଇଥିଲା। ଏବେ ମନ୍ତ୍ରୀ ପଦରୁ ମତେ ବହିଷ୍କାର କରାଯାଇଛି। ମୋର କାହା ବିରୋଧରେ କିଛି କହିବାର ନାହିଁ”, କହିଛନ୍ତି ଡାକ୍ତର ଦାମୋଦର ରାଉତ।

Comment