ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦିଲ୍ଲୀରୁ ଫେରିବା ପରେ ନବୀନ ଦାମଙ୍କ ବହିଷ୍କାରର କାରଣ କହିଛନ୍ତି।

ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତଙ୍କୁ ବହିଷ୍କାର କରିବା ପ୍ରସଙ୍ଗରେ ଆଜି ପ୍ରତିକ୍ରିୟା ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଦିଲ୍ଲୀରୁ ଫେରିବା ପରେ ନବୀନ ଦାମଙ୍କୁ କାହିଁକି ବହିଷ୍କାର କରାଗଲା ତାର କାରଣ କହିବା ସହ ତାଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି।

“ଦଳ ବିରୋଧୀ କାର୍ଯ୍ୟ ଯୋଗୁଁ ତାଙ୍କୁ ଦଳରୁ ବହିଷ୍କାର କରାଯାଇଛି। ସେ ସବୁବେଳେ ଦାୟିତ୍ୱହୀନ ମନ୍ତବ୍ୟ ଦିଅନ୍ତି। ତାଙ୍କ ଅଭିଯୋଗ ସବୁବେଳେ ହାସ୍ୟାସ୍ପଦ”, କହିଛନ୍ତି ନବୀନ ପଟ୍ଟନାୟକ।

ବିଜୁ ଅନୁଗତ ନୂଆ ଦଳ ଗଠନ କରିବେ ପ୍ରଶ୍ନର ଉତ୍ତରରେ ନବୀନ କହିଛନ୍ତି ଯେ ଏହାର କୌଣସି ପ୍ରଭାବ ବିଜେଡି ଉପରେ ପଡ଼ିବ ନାହିଁ।

ବରିଷ୍ଠ ନେତା ତଥା ପାରାଦୀପ ବିଧାୟକ ଡାକ୍ତର ଦାମୋଦର ରାଉତଙ୍କୁ ବିଜେଡିରୁ ବହିଷ୍କାର କରାଯାଇଥିଲା। ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଆଦେଶ କ୍ରମେ ଦାମଙ୍କୁ ବିଜେଡିରୁ ବହିଷ୍କାର କରାଯାଇଥିବା ଦଳର ସମ୍ପାଦକ ବିଜୟ ନାୟକ ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ଜଣାଇଥିଲେ। ହେଲେ ବହିଷ୍କାରର କାରଣ ଜଣାପଡ଼ି ନଥିଲା। ଆଜି ନବୀନ ଦିଲ୍ଲୀରୁ ଫେରିବା ପରେ କାରଣ ସ୍ପଷ୍ଟ କରିଛନ୍ତି।

ଦାମ ଦଳ ବିରୋଧୀ କାମ କରୁଛନ୍ତି ବୋଲି ଜଗତସିଂହପୁର ଜିଲ୍ଲା ବିଜେଡି ନେତା ଓ କର୍ମୀ ନବୀନ ନିବାସରେ ନବୀନଙ୍କୁ ଭେଟି ଅଭିଯୋଗ କରିଥିଲେ। ଅଭିଯୋଗପତ୍ରକୁ ଗ୍ରହଣ କରିଥିଲେ ନବୀନ। ଏ ସମ୍ପର୍କରେ ବିଚାର କରିବେ କହି ନବୀନ ଇନଭେଷ୍ଟର୍ସ ମିଟ୍‌ରେ ଯୋଗଦେବା ପାଇଁ ଦିଲ୍ଲୀ ଯାଇଥିଲେ।

୧୨ ତାରିଖରେ ନବୀନ ଦିଲ୍ଲୀରେ ଶିଳ୍ପପତିମାନଙ୍କୁ ଓଡ଼ିଶାରେ ପୁଞ୍ଜି ନିବେଶ କରିବା ପାଇଁ ଆହ୍ୱାନ ଦେଇଥିଲେ। ହେଲେ ସେହି ସନ୍ଧ୍ୟାରେ ଦାମଙ୍କୁ ଦଳରୁ ବହିଷ୍କାର କରିଥିଲେ।

ଏପଟେ ଦାମ ବି ନବୀନଙ୍କୁ ସିଧାସଳଖ ହମ୍‌ଲା କରିଛନ୍ତି।

ଦାମ କହିଛନ୍ତି, “ବିଜୁ ବାବୁଙ୍କ ନାଁ ବିକି କିଛି ଲୋକ ଓଡ଼ିଶାକୁ ଲୁଟ୍ କରୁଛନ୍ତି। ବିଜେଡିରେ ବିଜୁ ଅନୁଗତଙ୍କ ସ୍ଥାନ ନାହିଁ। ନବୀନ ବିଜୁ ଆଦର୍ଶବାଦୀର ପରିପନ୍ଥୀ।”

Comment