ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ଡାକ୍ତର ଦାମୋଦର ରାଉତ ବିଜେଡିର ବହିଷ୍କୃତ ହେବା ପରେ ନୂଆ ଆଞ୍ଚଳିକ ଦଳ ଗଠନ ନେଇ ଜୋର୍ ଧରିଛି ଚର୍ଚ୍ଚା।

ଓଡ଼ିଶାରେ ଆଉ ଏକ ଆଞ୍ଚଳିକ ଦଳ ଗଠନ ହେବାକୁ ଯାଉଛି। ଏହି ସଙ୍କେତ ଦେଇଛନ୍ତି ବିଜେଡିରୁ ବହିଷ୍କୃତ ନେତା ତଥା ପାରାଦୀପ ବିଧାୟକ ଡାକ୍ତର ଦାମୋଦର ରାଉତ। ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ଅନୁଗତ ଯେଉଁମାନଙ୍କୁ ନବୀନ ପଟ୍ଟନାୟକ ଦଳରୁ ବିଦା କରିଦେଇଛନ୍ତି ସେ ସମସ୍ତେ ଏହି ଦଳରେ ସାମିଲ ହେବାର ସମ୍ଭାବନା ରହିଛି। ୨୦୧୯ ବିଧାନସଭା ଓ ଲୋକସଭା ନିର୍ବାଚନ ପୂର୍ବରୁ ଏହି ଦଳ ଗଠନ ହୋଇଯାଇପାରେ ବୋଲି ଆକଳନ କରାଯାଉଛି।

ଦାମ ରାଉତଙ୍କ କହିବା ଅନୁଯାୟୀ ଡ଼ଜନେ ପାଖାପାଖି ନେତା ଗୋଟିଏ ମଞ୍ଚରେ ଏକତ୍ରିତ ହେବେ। ଏମାନେ ହେଉଛନ୍ତି ବିଜୟ ମହାପାତ୍ର, ଦିଲ୍ଲୀପ ରାୟ, ଜୟରାମ ପାଙ୍ଗି, ପ୍ରଫୁଲ୍ଲ ଘଡ଼ାଇ, ବୈଜୟନ୍ତ ପଣ୍ଡା, ପଞ୍ଚାନନ କାନୁନଗୋ ଏବଂ ବ୍ରଜ କିଶୋର ତ୍ରିପାଠୀ।

ଏମାନଙ୍କ ମଧ୍ୟରୁ ଅନେକେ ଏବେ ବିଜେପିରେ ଅଛନ୍ତି। ବ୍ରଜ ତ୍ରିପାଠୀ ନିଜେ ସମତା କ୍ରାନ୍ତି ଦଳ ଗଠନ କରି ତାର ସଭାପତି ଅଛନ୍ତି। ଯଦି ଏମାନେ ସମସ୍ତେ ଏକ ମନ ଏକ ପ୍ରାଣ ଦେଇ ଦଳ ଗଠନ କରନ୍ତି ତେବେ ସେ ସେମାନଙ୍କ ସହ ରହିବେ ଓ ବିଜୁ ପଟ୍ଟନାୟକଙ୍କ ରାଜନୈତିକ ଆଦର୍ଶକୁ ପ୍ରଚାର ଓ ପ୍ରସାର କରିବା ପାଇଁ ଅଣ୍ଟା ଭିଡ଼ିବେ ବୋଲି ଦାମ କହିଛନ୍ତି।

ଦାମ ଏକଥା ମଧ୍ୟ କହିଛନ୍ତି ଯେ ଅଠର ବର୍ଷ ଧରି ଶାସନ କରିବା ଭିତରେ ନବୀନ ପ୍ରାୟ ୪୦ ଜଣ ବରିଷ୍ଠ ନେତାଙ୍କୁ ଦଳରୁ ବାହାର କରିଦେଇଛନ୍ତି।

ଦାମଙ୍କୁ ଏବେ ୭୫ ବର୍ଷ। ଏହାସତ୍ତ୍ୱେ ସେ ସକ୍ରିୟ ରାଜନୀତିରେ ରହିବା ପାଇଁ ଇଛୁକ। ପୁଣି ଥରେ ପାରାଦୀପରୁ ବିଧାନସଭା ପାଇଁ ପ୍ରାର୍ଥୀ ହେବେ ବୋଲି ଦାମ ବହିଷ୍କୃତ ହେବା ପରେ ପରେ ହିଁ ଘୋଷଣା କରିଥିଲେ।

ପରିବର୍ତ୍ତିତ ପରିସ୍ଥିତିରେ ବିଜୁ ପଟ୍ଟନାୟକଙ୍କ ଅନୁଗତମାନେ ଏକାଠି ହୋଇ ଅନ୍ୟ ଏକ ଦଳ ଗଢ଼ିଲେ ତାହା ଭୋଟରଙ୍କ ଉପରେ କେତେ ପ୍ରଭାବ ବିସ୍ତାର କରିପାରିବ ତାହା ବର୍ତ୍ତମାନଠାରୁ କହିବା କଷ୍ଟ। ଏହି ପ୍ରସଙ୍ଗରେ ଯେତେବେଳେ ପ୍ରଶ୍ନ ହେଲା ନିଜେ ମୁଖ୍ୟମନ୍ତ୍ରୀ ନବୀନ କହିଲେ ଯେ ଅଲଗା ଦଳ ହେଲେ ଏହା ବିଜେଡ଼ି ଉପରେ କିଛି ପ୍ରଭାବ ପକାଇବ ନାହିଁ। ପୂର୍ବତନ ଗଣଶିକ୍ଷା ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର ଆଉ ଟିକିଏ ଆଗକୁ ଯାଇ କହିଛନ୍ତି ଯେ ଓଡ଼ିଶାର ଲୋକେ ନବୀନ ପଟ୍ଟନାୟକଙ୍କୁ ସେମାନଙ୍କ ନେତା ବୋଲି ସ୍ଵୀକାର କରିସାରିଛନ୍ତି। ଅନ୍ୟ କେହି ସେହିଭଳି ଗ୍ରହଣୀୟ ହେବା ସମ୍ଭବ ନୁହେଁ ବୋଲି ଦେବୀ ଦୃଢ଼ତାର ସହିତ କହିଛନ୍ତି।

ରାଜନୈତିକ ମହଲରେ ହେଉଥିବା ଆଲୋଚନା ଅନୁସାରେ ଯେଉଁମାନଙ୍କୁ ନେଇ ନୂଆ ଦଳ ଗଠନ କରିବା କଥା କୁହାଯାଉଛି ତାହା ଏତେ ସହଜ ନୁହେଁ। ପରସ୍ପର ମଧ୍ୟରେ ସମସ୍ୟା ଯାହା ଥାଉନା କାହିଁକି ଗୋଟିଏ ନୂଆ ଦଳ ଗଠନ କରି ନିର୍ବାଚନ ମଇଦାନକୁ ଓହ୍ଲାଇବା ପାଇଁ ସମୟ ବି ବହୁତ ନାହିଁ। ତା ଛଡ଼ା ନବୀନଙ୍କ ରାଜନୈତିକ ଏକଚାଟିଆପଣକୁ ଭାଙ୍ଗିବା ଏତେ ସହଜ ନୁହେଁ। ଯେଉଁ ସବୁ କାର୍ଯ୍ୟକ୍ରମ ଜରିଆରେ ଦୀର୍ଘ ଅଠର ବର୍ଷ ଧରି ନବୀନ ଶାସନ କରି ଆସୁଛନ୍ତି ତାହାକୁ ଲୋକେ ଏତେ ଶୀଘ୍ର ଭୁଲିଯିବେ ଏହା ଅସମ୍ଭବ।

Comment