ଓଡ଼ିଶାଲାଇଭ୍‌ ବ୍ୟୁରୋ

କୋଣାର୍କର କାରୁକାର୍ଯ୍ୟ ଉପରେ ଆପତ୍ତିଜନକ ଶବ୍ଦ ବ୍ୟବହାର କରି ବିବାଦରେ ବୈଜୟନ୍ତଙ୍କ ବନ୍ଧୁ ଅଭିଜିତ ଆୟର ମିତ୍ର!

ଓଡ଼ିଶାର ପରିଚୟ ହେଉଛି କୋଣାର୍କ ମନ୍ଦିର। କୋଣାର୍କର ସୁନ୍ଦର କାରୁକାର୍ଯ୍ୟ ଦେଶ ବିଦେଶର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ। ଜାତୀୟ ଏବଂ ଅନ୍ତର୍ଜାତୀ ସ୍ତରରେ ଓଡ଼ିଆମାନେ କୋଣାର୍କକୁ ନେଇ ଗର୍ବ ଅନୁଭବ କରିଥାନ୍ତି। କିନ୍ତୁ କୋଣାର୍କର କାରୂକାର୍ଯ୍ୟ ଉପରେ ଆଙ୍ଗୁଠି ଉଠାଇଛନ୍ତି ଅଭିଜିତ ଆୟର ମିତ୍ର।

ସେପ୍ଟେମ୍ବର ୧୬ ତାରିଖରେ ସୋସିଆଲ ମିଡିଆରେ ୩୮ ସେକେଣ୍ଡର ଭିଡିଓ ପୋଷ୍ଟ କରିଥିଲେ ଅଭିଜିତ। କୋଣାର୍କ ପରିସରରେ ନିଜେ ଅଭିଜିତ ଛିଡ଼ା ହୋଇ କାରୁକାର୍ଯ୍ୟ ଏବଂ କଳାକୃତି ଉପରେ ଆପତ୍ତିଜନକ ଶବ୍ଦ ବ୍ୟବହାର କରିଥିବା ଦେଖିବାକୁ ମିଳିଛି। କୋଣାର୍କ ପବିତ୍ର ସ୍ଥାନ ନୁହେଁ ବୋଲି ଭିଡିଓରେ କହିଛନ୍ତି ଅଭିଜିତ।

କୋଣାର୍କର କାରୁକାର୍ଯ୍ୟ ଉପରେ ଆଙ୍ଗୁଠି ଦେଖାଇ ଅଭିଜତ କହିଛନ୍ତି ଯେ ଏହା ପବିତ୍ର ସ୍ଥାନ ନୁହେଁ। ଏଠାରେ ଯେଉଁ ମୂର୍ତ୍ତିମାନ ରହିଛି ତାହା ହିନ୍ଦୁ ସମ୍ପ୍ରଦାୟର ବିରୋଧୀ। ମୁସଲମାନମାନେ ଷଡ଼ଯନ୍ତ୍ର କରି ଏଭଳି କାମ କରିଛନ୍ତି।

କୋଣାର୍କରେ ଯେଉଁପରି ଭାବେ ଅଶ୍ଲୀଳ ଚିତ୍ର ଖୋଦିତ ହୋଇଛି ଏହା କେବେ ପବିତ୍ର ସ୍ଥାନ ହୋଇପାରିବ ନାହିଁ ବୋଲି କହିଛନ୍ତି ଅଭିଜିତ।

ଏହି ଭିଡିଓକୁ ନେଇ ଏବେ ହୋ-ହଲ୍ଲା ଲାଗି ରହିଛି। ଓଡ଼ିଆଙ୍କ ଭାବନାକୁ ଆଘାତ କରିଥିବାରୁ ଅଭିଜିତଙ୍କୁ ଗିରଫ କରିବାକୁ ଦାବି କରିଛି ବିଜେଡି।

ଅଭିଜିତ କିଏ?

ଆଣବିକ ନିରାପତ୍ତା ଉପରେ ରିସର୍ଚ୍ଚ କରିଛନ୍ତି ଅଭିଜିତ। କୁହାଯାଉଛି ସେ ହେଉଛନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ବନ୍ଧୁ। ଗତ ୧୫ ତାରିଖରେ ବୈଜୟନ୍ତଙ୍କ ହେଲିକପ୍ଟରରେ ଅଭିଜିତ ଏବଂ ଆରତୀ ଟିକୋ ସିଂହ ଓଡ଼ିଶା ଭ୍ରମଣ କରିଥିବା ଜଣାପଡ଼ିଛି। ଏହି ଦୁଇ ବନ୍ଧୁଙ୍କୁ ନେଇ ବୈଜୟନ୍ତ ଚିଲିକାର ନୋ-ଫ୍ଲାଇଙ୍ଗ ଜୋନରେ ଚକ୍କା କାଟିଥିବା ସୋମବାର ଦିନ ପୁରୀ ଏସ୍‌ପି ସାର୍ଥକ ଷଡ଼ଙ୍ଗୀ ସୂଚନା ଦେଇଥିଲେ।

ଖାଲି ସେତିକି ନୁହେଁ, ପୁରୀ, କୋଣାର୍କ ମଧ୍ୟ ଅଭିଜିତ ବୁଲିଥିବା ଜଣାପଡ଼ିଛି। ୧୬ ତାରିଖରେ ଅଭିଜିତ କୋଣାର୍କ ପରିସରରେ ଛିଡ଼ା ହୋଇ ଭିଡିଓ ପୋଷ୍ଟ କରିବା ପରେ ଏକଥା ସ୍ପଷ୍ଟ ହୋଇଛି। ଓଡ଼ିଶାର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ତଥା ବିଶ୍ୱ ଐତିହ୍ୟ କୋଣାର୍କର କାରୁକାର୍ଯ୍ୟ ଉପରେ ଆଙ୍ଗୁଠି ଉଠାଇ ଅଭିଜିତ ବିବାଦରେ ପଡ଼ିଛନ୍ତି। ବୈଜୟନ୍ତଙ୍କ ସମେତ ଅଭିଜିତଙ୍କୁ ଗିରଫ କରିବାକୁ ବିଜେଡି ବିଧାୟକମାନେ ଦାବି କରିଛନ୍ତି।

Comment