ଓଡ଼ିଶାଲାଇଭ୍‌ ବ୍ୟୁରୋ

ବୈଜୟନ୍ତଙ୍କ ଗିରଫ ଦାବିରେ ବିଧାନସଭାରେ ହଙ୍ଗାମା କରିଛନ୍ତି ବିଜେଡି ସଭ୍ୟ।

ଚିଲିକାର ନୋ-ଫ୍ଲାଇଙ୍ଗ ଜୋନରେ ହେଲିକପ୍ଟର ଉଡ଼ାଇବା ଅଭିଯୋଗରେ ଅଡ଼ୁଆରେ ପଡ଼ିଛନ୍ତି ବୈଜୟନ୍ତ ପଣ୍ଡା। ଏହି ପ୍ରସଙ୍ଗକୁ କେନ୍ଦ୍ର କରି ଆଜି ଉଠିଛି ପଡ଼ିଛି ବିଧାନସଭା। ବୈଜୟନ୍ତଙ୍କ ଗିରଫ ଦାବିରେ ବିଜେଡି ସଭ୍ୟ ବିଧାନସଭାକୁ ତତାଇଛନ୍ତି। ଗୃହ ଭିତରେ ହଟ୍ଟଗୋଳ କରିବା ସହ ଗୃହ ବାହାରେ ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତ୍ତି ତଳେ ଧାରଣା ଦେଇଛନ୍ତି।

ସେପ୍ଟେମ୍ବର ୧୫ ତାରିଖରେ ଚିଲିକାର ନୋ ଫ୍ଲାଇଙ୍ଗ ଜୋନରେ ହେଲିକପ୍ଟର ଉଡ଼ୁଥିବା ଅଭିଯୋଗ ହୋଇଥିଲା। ଏପରିକି ହେଲିକପ୍ଟରକୁ ପାଇଲଟ ଅବତରଣ କରିବା ପାଇଁ ଉଦ୍ୟମ କରୁଥିବା ସ୍ଥାନୀୟ ଲୋକେ କହିଥିଲେ। ଏହାକୁ ତନାଘନା ଆରମ୍ଭ ହୋଇଥିଲା। କିନ୍ତୁ ହେଲିକପ୍ଟରଟି କାହାର ସେନେଇ କୌଣସି ଟେର୍ ମିଳିନଥିଲା।

ଏନେଇ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ପୁରୀ ମେରାଇନ ଥାନାରେ ୧୭ ତାରିଖ ସନ୍ଧ୍ୟାରେ ଏତଲା ଦିଆଯାଇଥିଲା। ଏତଲା ଦେବାର କିଛି ସମୟ ପରେ ପୋଲିସ ଇମ୍ଫା ପାର୍କିଂ ଅଞ୍ଚଳରୁ ବୈଜୟନ୍ତ ପଣ୍ଡାଙ୍କ ହେଲିକପ୍ଟର ସିଜ୍ କରିଥିଲା।

ଏହି ପ୍ରସଙ୍ଗକୁ ନେଇ ଆଜି ବିଧାନସଭାରେ ହଙ୍ଗାମା କରିଛନ୍ତି ଶାସକ ବିଜେଡି ବିଧାୟକ। ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିଜେଡି ବିଧାୟକ ପ୍ଲାକାର୍ଡ ଦେଖାଇ ହୋ-ହଲ୍ଲା କରିଥିଲେ। ନିୟମ ଉଲ୍ଲଂଘନ କରି ଚିଲିକାର ନୋ-ଫ୍ଲାଇଙ୍ଗ ଜୋନରେ ହେଲିକପ୍ଟର ଉଡ଼ାଇ ଥିବାରୁ ବୈଜୟନ୍ତଙ୍କ ଗିରଫ ଦାବି କରିଥିଲେ।

ବୈଜୟନ୍ତଙ୍କ ସହ ହେଲିକପ୍ଟରରେ ଥିବା ଅଭିଜିତ ଆୟର ମିତ୍ରଙ୍କ ଗିରଫ ଦାବି କରିଛନ୍ତି ବିଜେଡି ବିଧାୟକ।

ବୈଜୟନ୍ତଙ୍କ ବନ୍ଧୁ ଆୟର କୋଣାର୍କ ସୂର୍ଯ୍ୟ ମନ୍ଦିର ସମ୍ପର୍କରେ ଟୁଇଟରରେ ଆପତ୍ତିଜନକ ଶବ୍ଦ ବ୍ୟବହାର କରିଥିବାରୁ ବିଜେଡି ଏହାର ଦୃଢ଼ ନିନ୍ଦା କରିଛି। ଆୟର ସେପ୍ଟେମ୍ବର ୧୬ରେ ଟୁଇଟର୍‌ରେ ଦୁଇଟି ଭିଡିଓ ପୋଷ୍ଟ କରି ବିବାଦୀୟ ମନ୍ତବ୍ୟ ଦେଇଥିବା ବିଜେଡି ଅଭିଯୋଗ କରିଛି।

ଏପଟେ ପୋଲିସ ବୈଜୟନ୍ତଙ୍କ ହେଲିକପ୍ଟର ସିଜ୍ କରି ଆଇପିସି ଧାରା ୨୭୭, ୨୭୮, ୩୩୬, ୪୩୧ ଏବଂ ୧୯୩୪ ଏୟାରକ୍ରାଫ୍ଟ ଧାରା ୧୧ରେ ମାମଲା ରୁଜୁ କରିଛି।

ଅଧିକ ପଢ଼ନ୍ତୁ :- ଚିଲିକା ଉପରେ ଉଡ଼ୁଥିଲା ବୈଜନ୍ତଙ୍କ ହେଲିକପ୍ଟର!

Comment