ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ସିଜ୍ ହେଲା ବୈଜୟନ୍ତଙ୍କ ହେଲିକପ୍ଟର
  • ଇମ୍ଫା ପାର୍କିଂ ଅଞ୍ଚଳରୁ ସିଜ୍ କଲା ପୋଲିସ
  • ପୁରୀ ମେରାଇନ୍ ଥାନାରେ ଏତଲା ଦେଇଥିଲା ସିଡିଏ
  • ୧୫ ତାରିଖରେ ଚିଲିକା ନୋ ଫ୍ଲାଇଙ୍ଗ ଜୋନରେ ଉଡ଼ୁଥିଲା ହେଲିକପ୍ଟର
  • ତୃତୀୟ ମହଲାକୁ ତୀର ମାରିଲେ ବୈଜୟନ୍ତ
  • ବୈଜୟନ୍ତ କହିଲେ, “ମତେ ଫସାଇବା ପାଇଁ ଉଦ୍ୟମ କରୁଛନ୍ତି ଅଫିସର”

ପୁଣି ଏକ ବିବାଦରେ ଫସିଲେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା। ଚିଲିକାର ନୋ ଫ୍ଲାଇଙ୍ଗ ଜୋନରେ ହେଲିକପ୍ଟର ଉଡ଼ାଇବା ଅଭିଯୋଗରେ ପୋଲିସ ଆଜି ତାଙ୍କ ହେଲିକପ୍ଟର ସିଜ୍ କରିଛି। ଏହି ଅଭିଯୋଗକୁ ମିଥ୍ୟା କହିବା ସହ ସୋସିଆଲ ମିଡିଆରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବୈଜୟନ୍ତ।

ଗତ ୧୫ ତାରିଖର ଘଟଣା। ଏହିଦିନ ଚିଲିକାର ନୋ ଫ୍ଲାଇଙ୍ଗ ଜୋନରେ ଏକ ଧଳା ରଙ୍ଗର ହେଲିକପ୍ଟର ଉଡ଼ୁଥିବା ଅଭିଯୋଗ ହୋଇଥିଲା। ଏପରିକି ଏହି ଅଞ୍ଚଳରେ ହେଲିପ୍ଟରକୁ ଅବତରଣ କରିବା ପାଇଁ ପାଇଲଟ୍ ଚେଷ୍ଟା କରୁଥିବା କୁହାଯାଇଥିଲା। ତେବେ ଏହି ହେଲିକପ୍ଟରଟି କାହାର ଏବଂ କେଉଁ ଉଦ୍ଦେଶ୍ୟରେ ଉଡ଼ୁଥିଲା ତାର କେହି ଟେର୍ ପାଇ ନଥିଲେ। ଏହାକୁ ନେଇ ଗତ ଦୁଇ ଦିନ ହେଲା ତନଘନା ଚାଲିଥିଲା।

ସୋମବାର ସନ୍ଧ୍ୟାରେ ହେଲ ନୋ ଫ୍ଲାଇଙ୍ଗି ଇକୋ ସେନ୍‌ସିଟିଭି ଏରିଆରେ ହେଲିକପ୍ଟର ଉଡ଼ିବା ସମ୍ପର୍କରେ ପୁରୀ ମେରାଇନ ଥାନାରେ ଏତଲା ଦେଇଥିଲେ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ। ଏତଲା ଦେବାର ମାତ୍ର ୩ ଘଣ୍ଟା ଭିତରେ ପୋଲିସ ବୈଜୟନ୍ତଙ୍କ ହେଲିକପ୍ଟର ସିଜ୍ କରିଥିବା ପୁରୀ ଏସ୍‌ପି ସାର୍ଥକ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି।

ପୁରୀ ଏସ୍‌ପି କହିଛନ୍ତି ଯେ ଚିଲିକାର ନୋ ଫ୍ଲାଇଙ୍ଗ ଜୋନରେ ହେଲିକପ୍ଟର ଉଡ଼ିବା ଖବର ପାଇବା ପରେ ଡିଜିସିଏ ତଦନ୍ତ କରିଥିଲା। ଏହାସହ ସିଡିଏ ପକ୍ଷରୁ ଆଜି ପୁରୀ ମେରାଇନ ଥାନାରେ ଏତଲା ଦିଆଯାଇଥିଲା। ଏତଲା ଏବହ ଡିଜିସିଏର ତଦନ୍ତ ରିପୋର୍ଟକୁ ଆଧାର କରି ବୈଜୟନ୍ତଙ୍କ ହେଲିକପ୍ଟରକୁ ସିଜ୍ କରାଯାଇଛି। ହେଲିକପ୍ଟରରେ ଯେଉଁମାନେ ଥିଲେ ସେମାନଙ୍କ ବୟାନ ରେକର୍ଡ କରାଯିବ।

“ହେଲିକପ୍ଟର ଚଳାଉଥିଲେ ବୈଜୟନ୍ତ। ଏଥିରେ ଦୁଇ ଜଣ ଯାତ୍ରୀ ଥିଲେ। ସେମାନେ ହେଲେ ଆରତୀ ଟିକୋ ସିଂହ ଏବଂ ଅଭିଜିତ ଆୟର ମିତ୍ର”, କହିଛନ୍ତି ସାର୍ଥକ ଷଡ଼ଙ୍ଗୀ।

ଇମ୍ଫାର ପାର୍କିଂ ଅଞ୍ଚଳରୁ ପୋଲିସ ହେଲିକପ୍ଟର ସିଜ୍ କରିବା ପରେ ବୈଜୟନ୍ତ ଟୁଇଟର୍‌ରେ ରାଜ୍ୟ ସରକାରଙ୍କୁ ତୀର ମାରିଛନ୍ତି। ତୃତୀୟ ମହଲାର ନିର୍ଦ୍ଦେଶରେ ହେଲିକପ୍ଟର ସିଜ୍ କରାଯାଇଥିବା ବୈଜୟନ୍ତ କହିଛନ୍ତି।

“୧୫ ତାରିଖରେ ଚିଲିକାରେ ସିପ୍ଲେନ୍ ଅବତରଣ କରିଥିବା ଖବର ମୁଁ ଆଜି ଗଣମାଧ୍ୟମରୁ ଜାଣିବାକୁ ପାଇଲି। ତେବେ ସତ୍ୟକୁ ଢାଙ୍କି ମତେ ମିଥ୍ୟା ମାମଲାରେ ଫସାଇବା ପାଇଁ ରାଜ୍ୟ ସରକାରଙ୍କ ଅଧିକାରୀମାନେ ଉଦ୍ୟମ କରୁଛନ୍ତି”, କହିଛନ୍ତି ବୈଜୟନ୍ତ।

LEAVE A REPLY

Please enter your comment!
Please enter your name here