ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

୨୦୧୯ ସରିଗଲା। ଚୟନ ହୋଇ ପାରିଲାନି ରାଜ୍ୟ ବିଜେପି ସଭାପତି।

୨୦୧୯ ଶେଷ ସୁଦ୍ଧା ରାଜ୍ୟ ବିଜେପି ତାର ନୂଆ ମଙ୍ଗୁଆଳ ପାଇବ ବୋଲି ବିଜେପି ଶିବିରରୁ ଖବର ଆସିଥିଲା। ଏନେଇ ଜୋରଦାର ପ୍ରସ୍ତୁତି ପର୍ବ ମଧ୍ୟ ଆଗେଇ ଚାଲିଥିଲା। ହେଲେ ୨୦୧୯ ଶେଷ ହୋଇଗଲା ପଛେ ବିଜେପି ତାର ନୂଆ ସଭାପତି ଚୟନ କରି ପାରିଲା ନାହିଁ। ମୁଖ୍ୟ କଥା ହେଉଛି ସଭାପତି ପଦକୁ ନେଇ ବିଜେପି ମହଲରେ କେଁ ଲାଗି ରହିଥିବା କୁହାଯାଉଛି। ସଭାପତି ପଦ ପଶ୍ଚିମ ନା ଉପକୂଳ ନେତାଙ୍କ ପାଖକୁ ଯିବ ସେନେଇ ଭାଗବଣ୍ଟା ଛିଣ୍ଡୁ ନଥିବାରୁ ନେତାଙ୍କ ଚିନ୍ତା ବଢ଼ିଥିବା ଚର୍ଚ୍ଚା ହେଉଛି।

ସହମତି ଭିତ୍ତିରେ ସଭାପତି ଚୟନ କରିବାକୁ ବିଜେପିର ଶୀର୍ଷ ନେତୃବୃନ୍ଦ ଜୋର୍‌ ଦେଉଛନ୍ତି। ଏନେଇ ଡିସେମ୍ବର ୩୧ରେ କେନ୍ଦ୍ର ପର୍ଯ୍ୟବେକ୍ଷକ ତଥା ରାଜ୍ୟସଭା ସାଂସଦ ବିନୟ ସହସ୍ରବୁଦ୍ଧେ ଓଡ଼ିଶା ଆସିଥିଲେ। ଭୁବନେଶ୍ୱର ରାଜ୍ୟ କାର୍ଯ୍ୟାଳୟରେ ବିଜେପି ନେତାମାନଙ୍କୁ ଭେଟି ଆଲୋଚନା କରି ଦିଲ୍ଲୀ ଫେରି ଯାଇଥିଲେ ମଧ୍ୟ ଅଡୁଆ ତୁଟି ପାରୁନି।

ପଶ୍ଚିମ ଓଡ଼ିଶାରେ ବିଜେପିର ସଙ୍ଗଠନ ସୁଦୃଢ଼ ରହିଥିବାରୁ ଉପକୂଳ ଓଡ଼ିଶାର ନେତା ରାଜ୍ୟ ବିଜେପିର ମଙ୍ଗ ଧରନ୍ତୁ ବୋଲି କେନ୍ଦ୍ର ନେତାମାନେ ଚାହୁଁଛନ୍ତି। ହେଲେ ଏଥିରେ ପଶ୍ଚିମ ଓଡ଼ିଶାର କିଛି ନେତା ସହମତ ହେଉ ନଥିବା କୁହାଯାଉଛି। ଫଳରେ ସଭାପତି ପଦକୁ ନେଇ ଅଡୁଆ ବଢୁଛି।

ପଶ୍ଚିମ ଓଡ଼ିଶାରେ ଥିବା ପାଞ୍ଚଟି ଲୋକସଭା ଆସନ – ବରଗଡ଼, ବଲାଙ୍ଗିର, ସମ୍ବଲପୁର, ସୁନ୍ଦରଗଡ଼, କଳାହାଣ୍ଡିରେ ଏଥର ବିଜେପି ଖାତାକୁ ଆସିଛି। ହେଲେ ଉପକୂଳ ଓଡ଼ିଶାରେ ବିଜେପି ଫେଲ୍‌ ମାରିଥିଲା। ପଶ୍ଚିମ ଓଡ଼ିଶାରେ ଅଧିକ ଆସନ ପାଇଥିବାରୁ ସଭାପତି ପଦ ନେବାକୁ ସେଠାକାର ନେତା ଦାବି କରୁଛନ୍ତି। ଅନ୍ୟପଟେ ଉପକୂଳ ଓଡ଼ିଶାରେ ସଙ୍ଗଠନ ସୁଦୃଢ଼ କରିବା ପାଇଁ ସଭାପତି ପଦ ଉପକୂଳିଆ ନେତାଙ୍କୁ ଦେବା ପାଇଁ ଆଉ କିଛି ନେତା ଦାବି କରୁଛନ୍ତି।

ରାଜ୍ୟ ବିଜେପିର ମଙ୍ଗ ଅଧିକାଂଶ ସମୟ ପଶ୍ଚିମ ଓଡ଼ିଶା ନେତାଙ୍କ କବଳରେ ରହି ଆସିଛି। ଜୁଏଲ ଓରାମ, ସୁରେଶ ପୂଜାରୀ, କନକ ବର୍ଦ୍ଧନ ସିଂହଦେଓ, ବସନ୍ତ ପଣ୍ଡା ୨୦୦୪ରୁ ପର୍ଯ୍ୟାୟକ୍ରମେ ବିଜେପି ସଭାପତି ହୋଇଛନ୍ତି। ସେହିପରି ବିଧାନସଭାରେ ବିଜେପି ବିଧାୟକ ଦଳ ନେତା ପଦ ବି ପଶ୍ଚିମ ଓଡ଼ିଶାକୁ ଯାଇଛି। କେଭି ସିଂହଦେଓ ବିଜେପି ବିଧାୟକ ଦଳ ନେତା ରହିଥିବା ବେଳେ ଏବେ ବିରୋଧୀ ଦଳ ନେତା ପଦ ଭବାନିପାଟଣା ବିଧାୟକ ପ୍ରଦୀପ୍ତ ନାଏକଙ୍କ ପାଖକୁ ଯାଇଛି।

କେବଳ ମନମୋହନ ସାମଲ ଉପକୂଳ ଓଡ଼ିଶାର ନେତା ଭାବେ କିଛି ସମୟ ପାଇଁ ବିଜେପିର ମଙ୍ଗ ଧରିଥିଲେ। କିନ୍ତୁ ୨୦୦୮-୦୯ରେ ସେ ବିଜେପି-ବିଜେଡି ମେଣ୍ଟ ସରକାରରେ ମନ୍ତ୍ରୀ ଥିବା ବେଳେ ବିବାଦୀୟ ହୋଇ ମନ୍ତ୍ରୀ ପଦ ହରାଇବା ସହ ସଭାପତି ପଦରୁ ଯାଇଥିଲେ।

କୁହାଯାଉଛି ବିଜେପି ଉପକୂଳ ଓଡ଼ିଶା ଅପେକ୍ଷା ପଶ୍ଚିମ ଓଡ଼ିଶାକୁ ଅଧିକ ଗୁରୁତ୍ୱ ଦେଇ ଆସୁଥିଲା। ଏଣୁ ପଶ୍ଚିମରେ ଦଳର ସଙ୍ଗଠନ ସୁଦୃଢ଼ ହୋଇଛି। ଉପକୂଳ ନେତା ବିଜେପି ମଙ୍ଗ ଧରି ନଥିବାରୁ ସଙ୍ଗଠନ ଏଠାରେ ସୁଦୃଢ଼ ହୋଇପାରିନି। ବିଜେପି ବିଜେଡିକୁ ଟକ୍କର ଦେବାକୁ ଚାହୁଁଛି। ଏଣୁ ଉପକୂଳ ଓଡ଼ିଶାର ନେତା ବିଜେପି ମଙ୍ଗୁଆଳ ହେଲେ ଯାଇ ବିଜେଡିକୁ ଟକ୍କର ଦେବା ସହଜ ହେବ ବୋଲି ବିଜେପିର କେନ୍ଦ୍ର ନେତାମାନେ ଗଣିତ କଷିଛନ୍ତି। ଏଣୁ ଉପକୂଳ ଓଡ଼ିଶା ଉପରେ ଏଥର ଫୋକସ୍‌ ଦେଉଛନ୍ତି କେନ୍ଦ୍ର ନେତା।

ସଭାପତି ହେବା ପାଇଁ ଉପକୂଳ ଓଡ଼ିଶାରେ ନେତାଙ୍କ ତାଲିକା କିଛି କମ୍‌ ନୁହେଁ। ମନମୋହନ ସାମଲ ପୁଣି ସଭାପତି ହେବା ପାଇଁ ରେସ୍‌ରେ ରହିଥିବା ବେଳେ ପୂର୍ବତନ ମନ୍ତ୍ରୀ ସମୀର ଦେଙ୍କୁ ନେଇ ଚର୍ଚ୍ଚା ହେଉଛି। ଏପଟେ ରାଜ୍ୟ ବିଜେପି ଉପସଭାପତି ସମୀର ମହାନ୍ତି, ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନଙ୍କ ନାଁ ବି ରେସ୍‌ରେ ରହିଛି। ବରିଷ୍ଠ ନେତା ବିଜୟ ମହାପାତ୍ର, ବୈଜୟନ୍ତ ପଣ୍ଡାଙ୍କ ନାଁ ବି ସଭାପତି ପଦ ଲାଗି ଚର୍ଚ୍ଚା ହେଉଛି। ତେବେ ବିଜେପି କେନ୍ଦ୍ର ନେତୃବୃନ୍ଦ କାହା ନାଁରେ ସଭାପତି ପଦ ପାଇଁ ମୋହର ମାରୁଛନ୍ତି ତାହା ଦେଖିବାକୁ ବାକି ରହିଲା।

Comment