ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ବହୁ ବାଦବିବାଦ ପରେ ମୁହଁ ଖୋଲି ଚିଲିକା ଉପରେ ହେଲିକପ୍ଟର ଉଡ଼ାଇବା ଚର୍ଚ୍ଚାକୁ ସ୍ୱୀକାର କରିଛନ୍ତି ବୈଜୟନ୍ତ ପଣ୍ଡା। କିନ୍ତୁ ସେ ପ୍ରଶାସନକୁ ପାଲଟା ଆକ୍ରମଣ କରିଛନ୍ତି।

“ହଁ, ଗତ ୧୫ ତାରିଖ ଦିନ ମୁଁ ହେଲିକପ୍ଟର ଉଡ଼ାଇଛି। ବାହାରୁ ଆସିଥିବା ଦୁଇ ଜଣ ଜାତୀୟ ସ୍ତରର ସାମ୍ବାଦିକଙ୍କୁ ନେଇ ମୁଁ ଚିଲିକାର ରାଜହଂସ, ପୁରୀ, କୋଣାର୍କ, କେନ୍ଦ୍ରାପଡ଼ା ଦେଇ ଭୁବନେଶ୍ୱର ଫେରି ଆସିଥିଲି” ଏକଥା ସ୍ପଷ୍ଟ କରିଛନ୍ତି ପୂର୍ବତନ ବିଜେଡି ସାଂସଦ ବୈଜୟନ୍ତ ପଣ୍ଡା।

ତେବେ ସେ କହିଛନ୍ତି ଯେ ଚିଲିକାର ନୋ ଫ୍ଲାଇଙ୍ଗ ଜୋନରେ ହେଲିକପ୍ଟର ଉଡ଼ାଇବା ଅଭିଯୋଗର କୌଣସି ଯଥାର୍ଥତା ନାହିଁ। “ମୁଁ ଯାହା କରିଛି ତାହା ବେଆଇନ କାର୍ଯ୍ୟ ନୁହେଁ। ବରଂ ଆଇନକୁ ବେଆଇନ ବୋଲି ଦର୍ଶାଇ ଅଯଥାରେ ମତେ ଫସାଇବା ପାଇଁ ପ୍ରଶାସନ ଉଦ୍ୟମ କରୁଛି”, ସୋସିଆଲ ମିଡିଆରେ ଏହି ସ୍ପଷ୍ଟୀକରଣ ଦେଇଛନ୍ତି ବୈଜୟନ୍ତ।

ତିନି ଦିନର ଘଣ୍ଟାଚକଟା ଏବଂ ଛକାପଞ୍ଝା ପରେ ବୈଜୟନ୍ତ ସୋସିଆଲ ମିଡିଆରେ ଭିଡିଓ ଜାରି କରି ଏହି ସ୍ପଷ୍ଟୀକରଣ ଦେଇଛନ୍ତି। ଗତ ଦୁଇଦିନ ଧରି ସୋସିଆଲ ମିଡିଆରେ ପ୍ରଶାସନକୁ ବୈଜୟନ୍ତ ଜବାବ ଦେଇଥିଲେ ମଧ୍ୟ ସେ ନିଜେ ହେଲିକପ୍ଟର ଉଡ଼ାଇବା ପ୍ରସଙ୍ଗରେ ସିଧାସଳଖ କହି ନଥିଲେ। ତେବେ ବୁଧବାର ଦିନ ସେ ସ୍ପଷ୍ଟ କରିଦେଇଛନ୍ତି ଯେ ସେ ନିଜେ ତାଙ୍କ କମ୍ପାନିର ହେଲିକପ୍ଟର ଚଳାଇ ପୁରୀ, କୋଣାର୍କ ଓ ଚିଲିକା ଆଦି ସ୍ଥାନ ବୁଲିଥିଲେ। ଏହି ଉଡ଼ାଣ କୌଣସି ପ୍ରକାର ଆଇନତଃ ଅପରାଧ ନୁହେଁ ବୋଲି ବୈଜୟନ୍ତ ଖୋଲାଖୋଲି ଭାବେ ପ୍ରଶାସନକୁ ଚାଲେଞ୍ଜ କରିଛନ୍ତି।

ତିନି ଦିନର ଘଣ୍ଟାଚକଟା

ଗତ ୧୫ ତାରିଖର ଘଟଣା। ଚର୍ଚ୍ଚା ହେଲା ଚିଲିକାର ନୋ ଫ୍ଲାଇଙ୍ଗ ଜୋନରେ ଏକ ସି ପ୍ଲେନ ଅବତରଣ କରିଥିଲା। କିଛି ସମୟ ପରେ ତାହା ପୁଣି ଉଡ଼ି ଚାଲି ଯାଇଥିଲା। ତେବେ ଏହି ସି ପ୍ଲେନ କାହାର ଥିଲା ସେନେଇ କିଛି ପତ୍ତା ମିଳି ନଥିଲା। ଏହି ଘଟଣା ଅପରାହ୍ଣ ସାଢ଼େ ଗୋଟାଏ ବେଳେ ଘଟିଥିବା ଚର୍ଚ୍ଚା ହୋଇଥିଲା।

୧୬ ତାରିଖରେ ଏନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ୧୭ ତାରିଖରେ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ (ସିଡିଏ) ପୁରୀ ମେରାଇନ ଥାନାରେ ଏତଲା ଦେଇଥିଲେ। ଏତଲାରେ ଦର୍ଶାଯାଇଥିଲା ଯେ ଧଳା ରଙ୍ଗର ଏକ ହେଲିକପ୍ଟର ୧୫ ତାରିଖ ସାଢ଼େ ୧ଟାରେ ଚିଲିକାର ନୋ ଫ୍ଲାଇଙ୍ଗ ଜୋନରେ ଲ୍ୟାଣ୍ଡ କରିଥିଲା।

ଏହି ଅଭିଯୋଗକୁ ଆଧାରକରି ପୁରୀ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଏହାର କିଛି ଘଣ୍ଟା ମଧ୍ୟରେ ପୋଲିସ ଭୁବନେଶ୍ୱର ବିମାନବନ୍ଦରରେ ଥିବା ଇମ୍ଫା ହ୍ୟାଙ୍ଗରରେ ପାର୍କିଂ କରିଥିବା ବୈଜୟନ୍ତ ମାଲିକାନାରେ ଥିବା ହେଲିକପ୍ଟରକୁ ସିଜ୍ କରିଥିଲା।

ଏହାସହ ବୈଜୟନ୍ତଙ୍କୁ ପୋଲିସ ଥାନାରେ ହାଜର ହୋଇ ପକ୍ଷ ରଖିବାକୁ ନୋଟିସ କରିଥିଲା। ଏହି ହେଲିକପ୍ଟରରେ ସେଦିନ ବୈଜୟନ୍ତଙ୍କ ସାଥୀରେ ଯାଇଥିବା ଦୁଇ ଅତିଥି ସାମ୍ବାଦିକ ଅଭିଜିତ ଆୟାର ମିତ୍ର ଏବଂ ଆରତୀ ଟିକୋ ସିଂହଙ୍କୁ ମଧ୍ୟ ନୋଟିସ ଦେଇଥିଲା। ଏହାକୁ ନେଇ ରାଜନୀତିକ ଝଡ଼ ଆରମ୍ଭ ହୋଇଥିଲା।

ଘଟଣାକୁ ନେଇ ବୈଜୟନ୍ତ ଏବଂ ପ୍ରଶାସନ ମୁହାଁମୁହିଁ ହୋଇଥିଲେ। ଅଭିଯୋଗର ତିନି ଦିନ ପରେ ଭିଡିଓ ଜାରି କରି ବୈଜୟନ୍ତ ସ୍ପଷ୍ଟୀକରଣ ରଖିଛନ୍ତି। କେବଳ ସେତିକି ନୁହେଁ ବିଜେଡି ଏବଂ ରାଜ୍ୟ ସରକାରଙ୍କୁ ପାଲଟା ତୀର ମାରିଛନ୍ତି ବୈଜୟନ୍ତ।

“ମୁଁ ଜଣେ ପାଇଲଟ। ଯେତେବେଳେ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରୁ ବିଶିଷ୍ଟ ବ୍ୟକ୍ତିମାନେ ଓଡ଼ିଶାକୁ ଆସନ୍ତି ମୁଁ ସେମାନଙ୍କୁ ଅନେକ ସମୟରେ ହେଲିକପ୍ଟରରେ ନେଇ ଓଡ଼ିଶାର ସୌନ୍ଦର୍ଯ୍ୟମୟ ସ୍ଥାନକୁ ଦେଖାଇଥାଏ। ୧୫ ତାରିଖ ଦିନ ମୁଁ ଦୁଇ ଜଣ ଜାତୀୟ ସ୍ତରର ସାମ୍ବାଦିକଙ୍କୁ ନେଇ ଚିଲିକା, ପୁରୀ, କୋଣାର୍କ ଆଦି ସ୍ଥାନ ଯାଇଥିଲି। ଏହି ଉଡ଼ାଣ ବେଳେ ଆମେ କୌଣସି ଆଇନର ଉଲ୍ଲଂଘନ କରିନାହୁଁ। ହେଲେ ଯେଉଁ ଦଳରେ ମୁଁ ଦୀର୍ଘ ବର୍ଷ ଧରି ରହିଥିଲି ସେହି ଦଳର କର୍ମୀ ମୋ ବିରୋଧରେ ଅପପ୍ରଚାର ଚଳାଇଛନ୍ତି। ମତେ ବଦନାମ କରିବା ପାଇଁ ମୋ କୁଶପୁତ୍ତଳିକା ଦାହ କରିଛନ୍ତି”, କହିଛନ୍ତି ବୈଜୟନ୍ତ।

ନୋ ଫ୍ଲାଇଙ୍ଗ ଜୋନକୁ ନେଇ ପ୍ରଶ୍ନ

ଚିଲିକାର ନୋ ଫ୍ଲାଇଙ୍ଗ ଜୋନରେ ବୈଜୟନ୍ତ ହେଲିକପ୍ଟର ଉଡ଼ାଇବାକୁ ନେଇ ଉଠିଛି ଝଡ଼। ହେଲେ ଆଜି ଜାରି କରିଥିବା ଭିଡିଓରେ ବୈଜୟନ୍ତ ସ୍ପଷ୍ଟ କରିଛନ୍ତି ଯେ ଚିଲିକା, ପୁରୀ ବା କୋଣାର୍କ ବାସ୍ତବିକ ନୋ ଫ୍ଲାଇଙ୍ଗ ଜୋନ ଅନ୍ତର୍ଭୁକ୍ତ ନୁହେଁ। ଭାରତରେ ଯେଉଁ ନୋ ଫ୍ଲାଇଙ୍ଗ ଜୋନର ତାଲିକା କରାଯାଇଛି ସେଥିରେ ଏହି ସ୍ଥାନଗୁଡ଼ିକ ନାହିଁ। ଅନ୍ୟପକ୍ଷରେ ବୈଜୟନ୍ତ କହିଛନ୍ତି ଯେ ମୂଳ ଏତଲା ଏବଂ ପୋଲିସର ବକ୍ତବ୍ୟ ମଧ୍ୟରେ ତାଳମେଳ ରହୁନାହିଁ। “ପ୍ରଥମେ ନୋ ଫ୍ଲାଇଙ୍ଗ ଜୋନ ବୋଲି କହି ପୋଲିସ ମୋ ବିରୋଧରେ ଅଭିଯୋଗର ଫର୍ଦ୍ଦ ତିଆରି କରୁଥିଲା। କିନ୍ତୁ ପରେ ନୋ ଫ୍ଲାଇଙ୍ଗ ଜୋନ ବଦଳି ଲୋ ଫ୍ଲାଇଙ୍ଗ କଥା ଉଠିଛି। ତେବେ ମୁଁ କୌଣସି ପ୍ରକାର ଲୋ ଫ୍ଲାଇଙ୍ଗ ମଧ୍ୟ କରିନାହିଁ”, କହିଛନ୍ତି ବୈଜୟନ୍ତ।

ଅନ୍ୟପକ୍ଷରେ ପୁରୀ ଏବଂ କୋଣାର୍କ ମନ୍ଦିର ଉପରେ ବୈଜୟନ୍ତ ସେଦିନ ହେଲିକପ୍ଟର ଉଡ଼ାଇଥିବା ପ୍ରସଙ୍ଗରେ ମଧ୍ୟ ଚର୍ଚ୍ଚା ହେଉଛି।

“ଏହା ସତ ନୁହେଁ। ସେଦିନ ପୁରୀ ଏବଂ କୋଣାର୍କ ମନ୍ଦିରର ୩ କିଲୋମିଟର ଦୂରତାରେ ଆମ ହେଲିକପ୍ଟର ଉଡ଼ିଥିଲା। ନିୟମ ଅନୁଯାୟୀ ଯେତିକି ଉଚ୍ଚତାରେ ଉଡ଼ିବା କଥା ତାହା ମଧ୍ୟ ଆମେ ପାଳନ କରିଛୁ। ତେଣୁ ମୁଁ କୌଣସି ପ୍ରକାର ବେଆଇନ କାମ କରିନାହିଁ”, ସମସ୍ତ ଅଭିଯୋଗକୁ ଖଣ୍ଡନ କରି ଏକଥା କହିଛନ୍ତି ବୈଜୟନ୍ତ।

ବୈଜୟନ୍ତଙ୍କ ଏହି ଭିଡିଓ ତାଙ୍କ ସପକ୍ଷରେ ମତ ସୃଷ୍ଟି କରିବ। ଅନ୍ୟପକ୍ଷରେ ପ୍ରଶାସନ ଅନ୍ଧାରରେ ବାଡ଼ି ବୁଲାଇବା ସହ ନିୟମ କ’ଣ ନଜାଣି ତାଙ୍କୁ ଆଙ୍ଗୁଠି ଦେଖାଇଛି ବୋଲି ସରକାରଙ୍କୁ ଚାଲେଞ୍ଜ କରିଛନ୍ତି। ତେଣୁ ଆଗକୁ ପୁରୀ ପୋଲିସ, ବୈଜୟନ୍ତ ଏବଂ ତାଙ୍କ ସହଯାତ୍ରୀମାନଙ୍କୁ କିଭଳି ଭାବେ ଘେରିବ ତାହା ଏକ ପ୍ରଶ୍ନ। ପୁରୀ ସମୁଦ୍ରକୂଳ ଥାନା ପକ୍ଷରୁ ଆସିଥିବା ନୋଟିସକୁ ଗ୍ରହଣ କରି ଆଜି ବୈଜୟନ୍ତଙ୍କ କମ୍ପାନିର କିଛି ଅଧିକାରୀ ତାଙ୍କ ପକ୍ଷରୁ ଜବାବ ରଖିଛନ୍ତି। ସେମାନେ ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ସେଦିନ ହେଲିକପ୍ଟର ଉଡ଼ାଣ ନେଇ ବୈଜୟନ୍ତ କୌଣସି ଭୁଲ୍ କରି ନାହାନ୍ତି। ତେଣୁ ଏହି ଘଟଣାକୁ ନେଇ ଇମ୍ଫା କମ୍ପାନିକୁ କୌଣସି ପ୍ରକାର ଦାୟୀ କରିବା ଉଚିତ ନୁହେଁ।

ବନ୍ଧୁଙ୍କ ପାଇଁ ନାକ କଟିଲା

ବୈଜୟନ୍ତ ଯେଉଁ ବନ୍ଧୁମାନଙ୍କୁ ନେଇ ସେଦିନ ହେଲିକପ୍ଟରରେ ଓଡ଼ିଶା ବୁଲି ଦେଖାଇଥିଲେ ତାଙ୍କ ଭିତରୁ ଜଣେ ଓଡ଼ିଶା ମୁହଁରେ ଚୂନ ବୋଳିବାକୁ ଉଦ୍ୟମ କରିଛନ୍ତି। ଏହି ଘଟଣାରେ ଅପଦସ୍ତ ହୋଇଛନ୍ତି ବୈଜୟନ୍ତ।

ଅଭିଜିତ ଆୟର ମିତ୍ର ନାମକ ବୈଜୟନ୍ତଙ୍କ ସାମ୍ବାଦିକ ବନ୍ଧୁ ବିଶ୍ୱ ଐତିହ୍ୟ କ୍ଷେତ୍ର କୋଣାର୍କ ମନ୍ଦିରର କାରୁକାର୍ଯ୍ୟ ଉପରେ ଆଙ୍ଗୁଠି ଉଠାଇଛନ୍ତି। ସୋସିଆଲ ମିଡିଆରେ ଅଭିଜିତ ଯେଉଁ ଭିଡିଓ ପୋଷ୍ଟ କରିଛନ୍ତି ସେଥିରେ ସେ କୋଣାର୍କର କାରୁକାର୍ଯ୍ୟରେ ଥିବା ଅଶ୍ଲୀଳ ଚିତ୍ର ସମ୍ପର୍କରେ କଟୁ ମନ୍ତବ୍ୟ ଦେଇଛନ୍ତି। କୋଣାର୍କ ମନ୍ଦିର ଭିତରେ ଠିଆ ହୋଇ ମୋବାଇଲ ଫୋନରେ ନିଜର ବକ୍ତବ୍ୟ ରେକର୍ଡ କରି ତାକୁ ଟୁଇଟର୍‌ରେ ପୋଷ୍ଟ କରିଛନ୍ତି ଅଭିଜିତ।

ଅଭିଜିତ ଯାହା କହିଛନ୍ତି ତା’ର ମୋଟାମୋଟି ଅର୍ଥ ହେଉଛି ଯେ କୋଣାର୍କ ମନ୍ଦିର ପର୍ଯ୍ୟଟକମାନଙ୍କ ମନରେ ଯୌନ ଉଦ୍ଦୀପନା ସୃଷ୍ଟି କରୁଛି। ଏହା ହିନ୍ଦୁ ଧର୍ମ ବିରୋଧୀ। କେବଳ ସେତିକି ନୁହେଁ ମନ୍ଦିର ଗାତ୍ରରେ ଏହି ଚିତ୍ର ଖୋଦନ ପଛରେ ମୁସଲମାନ ସମ୍ପ୍ରଦାୟର ଷଡ଼ଯନ୍ତ୍ର ରହିଛି ବୋଲି ପ୍ରଶ୍ନ ସେ ପ୍ରଶ୍ନ ଉଠାଇଛନ୍ତି।

ସାମ୍ବାଦିକ ଅଭିଜିତଙ୍କ ଏହି ଆପତ୍ତିଜନକ ମନ୍ତବ୍ୟ ଓଡ଼ିଶା ପ୍ରତି ଚରମ ଅପମାନ। ତେଣୁ ଏହାକୁ ନେଇ ସାରା ଓଡ଼ିଶାରେ ପ୍ରତିକ୍ରିୟା ଦେଖିବାକୁ ମିଳିଛି। ଏହି ଭିଡିଓ ବୈଜୟନ୍ତଙ୍କ ପାଇଁ ଅଡ଼ୁଆ ସୃଷ୍ଟି କରିଛି। ତେବେ ଏହି ବିବାଦରୁ ନିଜକୁ ମୁକ୍ତ ରଖିବା ପାଇଁ ବୈଜୟନ୍ତ ଆଜି ଘଟଣାର ନିନ୍ଦା କରିଛନ୍ତି।

ବୁଧବାର ଦିନ ବୈଜୟନ୍ତ ଜାରି କରିଥିବା ସୋସିଆଲ ମିଡିଆ ଭିଡିଓରେ କୋଣାର୍କ ମନ୍ଦିର ଭଳି ଅନ୍ତର୍ଜାତୀୟ ସ୍ଥାପତ୍ୟ ଏବଂ କୌଣସି ଧାର୍ମିକ କ୍ଷେତ୍ର ସମ୍ପର୍କରେ ଏଭଳି ମନ୍ତବ୍ୟ ଦେବା ଉଚିତ ନୁହେଁ।

ଗୋଟିଏପଟେ ହେଲିକପ୍ଟର ଉଡ଼ାଇବା ଘଟଣାରେ ପ୍ରଶାସନକୁ କଡ଼ା ଜବାବ ଦେଇଥିବା ବେଳେ କୋଣାର୍କ ମନ୍ଦିର ଘଟଣାରେ ବୈଜୟନ୍ତଙ୍କ ସ୍ୱର ଓଲଟି ଯାଇଛି। ନିଜ ଉପରୁ ଦୋଷ ଛଡ଼ାଇବାକୁ ଯାଇ ବୈଜୟନ୍ତ କହିଛନ୍ତି, “ଅଭିଜିତ କୋଣାର୍କ ପରିସରରେ ଛିଡ଼ା ହୋଇ ଯେଉଁ ଭିଡିଓ ଛାଡ଼ିଥିବା କୁହାଯାଉଛି ତାହା ସେଦିନର ନୁହେଁ। ଏହି ଭିଡିଓ ସମ୍ପର୍କରେ ମୁଁ ଜାଣିନାହିଁ। ଆମ ସଂସ୍କୃତି, ପରମ୍ପରା ଏବଂ ଧାର୍ମିକ ସ୍ଥାନ ଉପରେ କୌଣସି ଆପତ୍ତିଜନକ ମନ୍ତବ୍ୟ ଗ୍ରହଣୀୟ ନୁହେଁ। ଏସବୁ ସ୍ଥାନରେ ବ୍ୟଙ୍ଗାତ୍ମକ ଟିପ୍ପଣୀ ଦେବା ସମୀଚିନ ନୁହେଁ। ମୁଁ ଏହାକୁ ନିନ୍ଦା କରୁଛି।”

ମୋଟାମୋଟି ଭାବେ ଅଭିଜିତଙ୍କ କାମ ପାଇଁ ବୈଜୟନ୍ତଙ୍କ ନାକ କଟିବା ଭଳି ଘଟଣା ଘଟିଛି। ଏହି ଘଟଣା ବୈଜୟନ୍ତଙ୍କ ପାଇଁ ନୂଆ ଅଡ଼ୁଆ ହୋଇପାରେ।

ମତେ କେହି ରୋକି ପାରିବେନି

ବୈଜୟନ୍ତ ଆହୁରି କହିଛନ୍ତି ଯେ ତାଙ୍କ ଲୋକପ୍ରିୟତାକୁ ରାଜନୀତିକ ସ୍ତରରେ ଏବଂ ପ୍ରଶାସନରେ କିଛି ଲୋକ ସହିପାରୁ ନାହାନ୍ତି। ସେମାନେ ତାଙ୍କୁ ରୋକିବା ପାଇଁ ବାରମ୍ବାର ଉଦ୍ୟମ କରୁଛନ୍ତି। ”

“ମୁଁ ହେଲିକପ୍ଟରରେ, ବାଇକରେ, ଡଙ୍ଗାରେ ବୁଲେ। ମୁଁ ଲୋକଙ୍କ ସହିତ ଥିଲି ଏବଂ ରହିବି। ମତେ କେହି ରୋକି ପାରିବେ ନାହିଁ”, ଆଜି ନିଜ ବିରୋଧୀଙ୍କୁ ଏଭଳି କଡ଼ା ବାର୍ତ୍ତା ଦେବାକୁ ଭୁଲି ନାହାନ୍ତି ବୈଜୟନ୍ତ।

ବୈଜୟନ୍ତ କହିଛନ୍ତି ଯେ କିଛିଦିନ ହେଲା ‘ହେଇଯାଉ’ କାର୍ଯ୍ୟକ୍ରମ ମାଧ୍ୟମରେ ତାଙ୍କୁ ଅଧିକ ଲୋକଙ୍କ ସମର୍ଥନ ମିଳିଛି। ଏଣୁ ତାଙ୍କୁ ହଇରାଣ କରିବା ପାଇଁ ସରକାରର କିଛି ଲୋକ ଏବଂ ତାଙ୍କର ପୂର୍ବତନ ବନ୍ଧୁମାନେ ଉଦ୍ୟମ କରୁଛନ୍ତି।

ଚିଲିକା ଉପରେ ହେଲିକପ୍ଟର ଉଡ଼ାଇବା ମାମଲାରେ ବୈଜୟନ୍ତଙ୍କୁ ଛନ୍ଦିବା ପାଇଁ ପ୍ରଶାସନ ଯେଉଁ ଜାଲ ପକାଇଛି ବୈଜୟନ୍ତ ତାକୁ ଛିଣ୍ଡାଇ ଫୋପାଡ଼ି ଦେବାକୁ ଏକ ପ୍ରକାରର ଘୋଷଣା କରିଛନ୍ତି। ତେଣୁ ଏହି ମାମଲାରେ ତାଙ୍କୁ ବାନ୍ଧିବା ପାଇଁ ଯେଉଁ ପୋଲିସ ପ୍ରକ୍ରିୟା ଆରମ୍ଭ ହୋଇଛି ତାହା ଆଗକୁ କେତେବାଟ ଯିବ ତା’ଉପରେ ପ୍ରଶାସନର ମାନ ମହତ ଯୋଡ଼ି ହୋଇ ରହିଛି।

Comment