ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ଝାରସୁଗୁଡ଼ା, ତାଳଚେରରେ ଦୁଇଟି ସମାବେଶ କରି ୨୦୧୯ ନିର୍ବାଚନ ପାଇଁ ବିଗୁଲ ଫୁଙ୍କିଛନ୍ତି ମୋଦି। ନବୀନ ବି ସୁଯୋଗ ହାତଛଡ଼ା କରି ନାହାନ୍ତି।

ଦିନିକିଆ ଓଡ଼ିଶା ଗସ୍ତରେ ଆସିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଅବସର ଥିଲା ସରକାରୀ କାର୍ଯ୍ୟକ୍ରମ। ତାଳଚେର ସାର କାରଖାନାର ପୁନରୁଦ୍ଧାର ପାଇଁ ଶିଳାନ୍ୟାସ, ଝାରସୁଗୁଡ଼ା ଏୟାରପୋର୍ଟର ଲୋକାର୍ପଣ ଏବଂ ଏମ୍‌ସିଏଲର ନୂଆ ରେଳ ଲାଇନ ପ୍ରକଳ୍ପ ଉଦଘାଟନ କରି ମୋଦି ନିର୍ବାଚନ ବିଗୁଲ ଫଙ୍କିଛନ୍ତି। ଦୁଇଟି ଜନସମାବେଶରେ କର୍ମୀଙ୍କୁ ଉଦବୋଧନ ଦେଇ ୨୦୧୯ ପାଇଁ ପାଗ ଭିଡ଼ିଛନ୍ତି ମୋଦି।

ସବୁଠୁ ବଡ଼ କଥା ହେଉଛି ପ୍ରଧାନମନ୍ତ୍ରୀ ହେବା ପରେ ମୋଦି ୫ ଥର ଓଡ଼ିଶା ଗସ୍ତରେ ଆସିଥିଲେ। ହେଲେ କେବେ ସିଧାଳସଳଖ ନବୀନଙ୍କୁ ଆଟାକ୍ କରି ନଥିଲେ। କିନ୍ତୁ ଆଜି ତାଳଚେର ଏବଂ ଝାରସୁଗୁଡ଼ାଠାରେ ଦୁଇଟି ସମାବେଶ କରି ମୋଦି ନବୀନଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି। ନବୀନଙ୍କ ନେତୃତ୍ୱାଧୀନ ସରକାରକୁ ଦୁର୍ନୀତିଗ୍ରସ୍ତ ଏବଂ ‘ପିସି’ ସରକାର କହି ଆକ୍ଷେପ କରିବାକୁ ପଛାଇ ନାହାନ୍ତି ମୋଦି।

ସରକାରୀ କାର୍ଯ୍ୟକ୍ରମରେ ଆସି ଦଳୀୟ ସମାବେଶ କରି ମୋଦି ୨୦୧୯ ନିର୍ବାଚନ ପାଇଁ ଓଡ଼ିଶାରେ ବିଗୁଲ ଫୁଙ୍କି ଚାଲି ଯାଇଥିବା ରାଜନୀତି କରିଡ଼ରରେ ଚର୍ଚ୍ଚା ହେଉଛି।

ଜୟ ଜଗନ୍ନାଥ, ନୂଆଁଖାଇ ଜୁହାର

ତାଳଚେର ଏବଂ ଝାରସୁଗୁଡ଼ା ଗସ୍ତ ବେଳେ ମୋଦି ଓଡ଼ିଶାବାସୀଙ୍କ ମନ ଜିଣିବାକୁ ଚେଷ୍ଟା କରିଥିଲେ। ଦଳୀୟ ସମାବେଶରେ ସେ ଓଡ଼ିଆଙ୍କ ଆରାଧ୍ୟଦେବତା ‘ଜୟ ଜଗନ୍ନାଥ’ କହି ଭାଷଣ ଆରମ୍ଭ କରିଥିଲେ। ଖାଲି ସେତିକି ନୁହେଁ, ପଶ୍ଚିମ ଓଡ଼ିଶା ଭୋଟରଙ୍କ ମନ ଜିଣିବା ପାଇଁ ମୋଦି ମା’ ସମଲେଇ ଏବଂ ମା’ ହିଙ୍ଗୁଳାଙ୍କୁ ସ୍ମରଣ କରିବାକୁ ମଧ୍ୟ ଭୁଲି ନାହାନ୍ତି।

‘ନୂଆଁଖାଇ ଜୁହାର’ କହିବା ସହ ସମ୍ବଲପୁରୀ ଭାଷାରେ ଦୁଇ ପଦ ଭାଷଣ ଦେଇ ମୋଦି ଲୋକଙ୍କୁ ଆକର୍ଷଣ କରିଥିଲେ। ମୋଦି ଏଭଳି ଭାଷଣ ଦେଇ ୨୦୧୯ ପାଇଁ କାର୍ଡ ଖେଳିଥିବା ଆଲୋଚନା ହେଉଛି।

ବରପୂତ୍ରଙ୍କୁ ମନେପକାଇଲେ, ପରିବର୍ତ୍ତନର କଥା କହିଲେ

ଝାରସୁଗୁଡ଼ା ସଭାରେ ମୋଦି ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ପଶ୍ଚିମ ଓଡ଼ିଶାର ବିଶିଷ୍ଟ ବରପୂତ୍ରମାନଙ୍କୁ ସ୍ମରଣ କରିଥିଲେ। ବୀର ସୁରେନ୍ଦ୍ର ସାଏ, ସ୍ୱଭାବ କବି ଗଙ୍ଗାଧର ମେହେର, ଛବିଳ ସାଏ, ଉଦନ୍ତ ସାଏ, ମାଧ ସିଂ, ମିଟୁ କୁଆଁର, ନରସିଂହ ଗୁରୁ, ପାର୍ବତୀ ଗିରି, ଚନ୍ଦ୍ରଶେଖର ବେହେରାଙ୍କ ନାଁ ନେଇଥିଲେ।

ସମାବେଶରେ ଉପସ୍ଥିତ ଥିବା ଜନସାଧାରଣଙ୍କୁ କହିଥିଲେ ଯେ ଏହି ବରପୂତ୍ରମାନେ ହେଉଛନ୍ତି ଏ ମାଟି ଏବଂ ଜାତିର ଗୌରବ। ଏହି ମାଟିରେ ବୀର ସୁରେନ୍ଦ୍ର ସାଏ ବିମାନବନ୍ଦର ଏବଂ ଗର୍ଜନବାହାଲ କୋଇଲା ଖଣି ଲୋକାର୍ପଣ କରିବାର ସୁଯୋଗ ତାଙ୍କୁ ମିଳିଥିବାରୁ ସେ ଧନ୍ୟ ବୋଲି ମୋଦି କହିଥିଲେ। ସମାବେଶରେ ବିପୁଳ ଜନସମାଗମକୁ ଦେଖି ଓଡ଼ିଶାରେ ପରିବର୍ତ୍ତନର ସଙ୍କେତ ମିଳୁଛି ବୋଲି ମୋଦି କହିଥିଲେ। ଏହି ମାଟିରୁ ପରିବର୍ତ୍ତନ ଆରମ୍ଭ ହେବ କହି ମୋଦି ନିର୍ବାଚନୀ ଷ୍ଟ୍ରୋକ ମାରିଥିଲେ।

ସାଢ଼େ ତିନି ମାସ ପରେ ପୁଣି ଓଡ଼ିଶା

ସାଢ଼େ ତିନି ମାସ ପରେ ନରେନ୍ଦ୍ର ମୋଦି ପୁଣି ଓଡ଼ିଶା ଆସିଛନ୍ତି। ଗତ ମେ’୨୬ରେ ମୋଦି କଟକ ଆସିଥିଲେ। କେନ୍ଦ୍ର ସରକାରଙ୍କର ଚାରି ବର୍ଷ ପୂର୍ତ୍ତି ଉପଲକ୍ଷେ ମୋଦି କଟକର ବାଲିଯାତ୍ରା ପଡ଼ିଆରେ ଆୟୋଜିତ ସମାବେଶରେ ଉଦବୋଧନ ଦେଇଥିଲେ। ଚାରି ବର୍ଷର ସଫଳ ଯୋଜନା ସମ୍ପର୍କରେ କହିବା ସହ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ। କିନ୍ତୁ ଏହି ଆକ୍ରମଣ ଏତେ ଶାଣିତ ନଥିଲା। ଆଜି ତାଳଚେର ଏବଂ ଝାରସୁଗୁଡ଼ା ସଭାରେ ମୋଦି ଯେମିତି ଢଙ୍ଗରେ ଭାଷଣ ଆରମ୍ଭରୁ ନବୀନଙ୍କ ନାଁ ନେଇ ରାଜ୍ୟ ସରକାରଙ୍କ ଗୁମର ଖୋଲିଥିଲେ ତାହା କେବେ ଦେଖିବାକୁ ମିଳି ନଥିଲା। ନିର୍ବାଚନ ପୂର୍ବରୁ ବିଜେପି କର୍ମୀଙ୍କ ମନରେ ଜୋସ୍ ଭରିବା ପାଇଁ ମୋଦି ଆଜି ରାଜ୍ୟ ସରକାରଙ୍କ ଦୁର୍ନୀତିକୁ ଅସ୍ତ୍ର କରିଥିବା କୁହାଯାଉଛି।

ଆଉ ୬ ମାସ ପରେ ଲୋକସଭା ଏବଂ ଓଡ଼ିଶା ବିଧାନସଭା ନିର୍ବାଚନ ହେବ। ଏଥିପାଇଁ ସବୁ ଦଳ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ରାଜ୍ୟ ବିଜେପି ବିଜେଡିର ଦୋଷ ଦୁର୍ବଳତାକୁ ନେଇ ଅନେକ ସମୟରେ ରାଜରାସ୍ତାକୁ ଓହ୍ଲାଉଛି। ଏହି ସମୟରେ ମୋଦି ଓଡ଼ିଶା ଆସି ସିଧା ରାଜ୍ୟ ସରକାରଙ୍କୁ ଆଟାକ୍ କରିବା ଘଟଣାକୁ ନେଇ ରାଜନୀତି ଉଠୁଛି ପଡ଼ୁଛି। ସାଢ଼େ ତିନି ମାସ ପରେ ମୋଦି ଓଡ଼ିଶା ଗସ୍ତରେ ଆସି ନିର୍ବାଚନ ବାଜା ବଜାଇଥିବା ଚର୍ଚ୍ଚା ହେଉଛି।

ପଶ୍ଚିମ ଓଡ଼ିଶା ଉପରେ ନଜର

ସାଧାରଣ ନିର୍ବାଚନ ପାଖେଇ ଆସୁଛି। ଏହାକୁ ନେଇ ରାଜନୀତି ବଜାର ସରଗରମ୍। ହେଲେ ବିଜେପି ପଶ୍ଚିମ ଓଡ଼ିଶା ଉପରେ ଫୋକସ୍ କରିବା ଆରମ୍ଭ କରିଛି। ୨୦୦୨ ମସିହାରୁ ବନ୍ଦ ହୋଇପଡ଼ିଥିବା ତାଳଚେର ସାର କାରଖାନାର ପୁନରୁଦ୍ଧାର ପାଇଁ ଶିଳାନ୍ୟାସ ଏବଂ ଝାରସୁଗୁଡ଼ା ଏୟାରପୋର୍ଟକୁ ଲୋକାର୍ପଣ କରି ମୋଦି ଭୋଟରଙ୍କ ନିକଟତର ହେବା ପାଇଁ ପ୍ରୟାସ କରିଛନ୍ତି।

ପଶ୍ଚିମ ଓଡ଼ିଶା ହେଉଛି ବିଜେପିର ଗଡ଼। ୨୦୧୪ରେ ଯେଉଁ ୧୦ ଜଣ ବିଧାୟକ ବିଜେପିର ନିର୍ବାଚିତ ହୋଇଛନ୍ତି ସେମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ପଶ୍ଚିମ ଓଡ଼ିଶାର। ହେଲେ ଗତ ବିଜେପୁର ଉପ-ନିର୍ବାଚନରେ ବିଜେପି ଏଠାରେ ପରାଜିତ ହୋଇଥିଲା। ଏହାପରଠୁ ବିଜେପି ପଶ୍ଚିମ ଓଡ଼ିଶାରେ ସଙ୍ଗଠନ ସଜାଡ଼ିବା ଆରମ୍ଭ କରିଛି। ଗତ ଜୁନ ମାସରେ ବିଜେପି ରାଷ୍ଟ୍ରିୟ ସଭାପତି ଅମିତ ଶାହ ଭବାନୀପାଟଣା ଏବଂ ବଲାଙ୍ଗିରରେ ଦୁଇଟି ସମାବେଶ କରିବା ପରେ ଆଜି ମୋଦି ତାଳଚେର ଏବଂ ଝାରସୁଗୁଡ଼ାରେ ଦୁଇଟି ସଭାରେ ଉଦବୋଧନ ଦେଇଛନ୍ତି।

ଖୋଲିଲେ ଦୁର୍ନୀତି ଗୁମର

ଲୋକସଭାରେ ଆସିଥିବା ଅନାସ୍ଥା ଭୋଟ ଏବଂ ରାଜ୍ୟସଭା ଉପାଧ୍ୟକ୍ଷ ଭୋଟରେ ବିଜେଡି ବିଜେପିକୁ ସମର୍ଥନ କରିଥିଲା। ରାଜ୍ୟସଭା ଉପ-ସଭାପତି ଭୋଟ ବେଳେ ଅମିତ ଶାହ ଏବହ ମୋଦି ବିଜେଡିର ସମର୍ଥନ ଲୋଡ଼ିଥିଲେ। ଆଉ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସମର୍ଥନ ଦେବାରେ ପଛାଇ ନଥିଲେ। ଏହି ଘଟଣାକୁ ନେଇ ଚର୍ଚ୍ଚା ହେଲା ଯେ ବିଜେପି ଏବଂ ବିଜେଡି ଭିତରେ ବୁଝାମଣା ହୋଇଯାଇଛି। କିନ୍ତୁ ଆଜି ମୋଦି ଓଡ଼ିଶା ଆସି ନବୀନଙ୍କ ନାଁ ନେଇ ରାଜ୍ୟ ସରକାରଙ୍କ ଦୁର୍ନୀତି ପେଡ଼ି ଖୋଲିଛନ୍ତି।

ନବୀନ ସରକାରଙ୍କୁ ଭଷ୍ଟ୍ରାଚାରର ସରକାର କହିବା ସହ ଏଠି ପିସି ନଦେଲେ ଲୋକଙ୍କ କାମ ହେଉନି ବୋଲି ମୋଦି କହିଛନ୍ତି। ଚାରା ଘୋଟାଲା, ପଲିଥିନ କିଣାକୁ ନେଇ ମଧ୍ୟ ମୋଦି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଏହାସହ ଓଡ଼ିଶାର ବିକାଶ ପାଇଁ ରାଜ୍ୟ ସରକାର ଆଦୌ ଚିନ୍ତିତ ନୁହନ୍ତି ବୋଲି ମୋଦି କହି ରାଜନୀତିକୁ ହଲ୍‌ଚଲ୍ କରିଛନ୍ତି।

ନବୀନ ମାରିଲେ ଷ୍ଟ୍ରୋକ

ଝାରସୁଗୁଡ଼ା ବିମାନବନ୍ଦର ଏବଂ ତାଳଚେର ସାରକାରଖାନାରୁ ବିଜେପି ରାଜନୀତି ଫାଇଦା ଉଠାଇବା ନେଇ ଚର୍ଚ୍ଚା ହେଉଥିଲା। କିନ୍ତୁ ନବୀନ ଏଥିରେ ପଛରେ ପଡ଼ି ନାହାନ୍ତି। ଲୋକାର୍ପଣ ଉତ୍ସବରେ ନବୀନ ଷ୍ଟ୍ରୋକ ମାରିଛନ୍ତି। ଝାରସୁଗୁଡ଼ା ବିମାନବନ୍ଦର ପାଇଁ ରାଜ୍ୟ ସରକାର ବିନା ମୂଲ୍ୟରେ ୧୨୦ ଏକର ଜମି ଯୋଗାଇ ଦେଇଥିବା କହିଛନ୍ତି। ଏହାସହ ରାଜ୍ୟ ରାଜକୋଷରୁ ୭୫ କୋଟି ଟଙ୍କା ଦିଆଯାଇଥିବା ନବୀନ କହି ଶଙ୍ଖ ଫୁଙ୍କିଛନ୍ତି।

ମୋଦିଙ୍କ ପିସି କାରବାର ଅଭିଯୋଗର ବି ନବୀନ ଜବାବ ଦେଇଛନ୍ତି।

“ଓଡ଼ିଶା ସରକାରଙ୍କୁ ସମାଲୋଚନା କରିବା ପୂର୍ବରୁ ମୋଦି ପ୍ରଥମେ ନିଜ ଯୋଜନାକୁ ଦେଖନ୍ତୁ। କେନ୍ଦ୍ରର ସ୍କିଲ୍ ମିଶନ ଏବଂ ଉଜ୍ଜଳା ସ୍କାମ କଥା ଚିନ୍ତା କରନ୍ତୁ। ପେଟ୍ରାଲ ଓ ଡିଜେଲ ଦର ରକେଟ ଭଳି ବୃଦ୍ଧି ପାଉଛି। ଏହା ସାରା ଦେଶ ପାଇଁ ଉଦ୍‌ବେଗଜନକ। ମୋଦି ସେ ବିଷୟରେ ଗମ୍ଭୀର ଭାବେ ଚିନ୍ତା କରିବା ଦରକାର”, କହିଛନ୍ତି ନବୀନ ପଟ୍ଟନାୟକ।

ଧର୍ମେନ୍ଦ୍ର ଦେଲେ ଜବାବ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍କିଲ ଏବଂ ଉଜ୍ଜଳା ସ୍କାମ କଥା କହିବାର ଘଣ୍ଟାଏ ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମ୍ବାଦିକ ସମ୍ମିଳନୀ କରି ଜବାବ ଦେଇଛନ୍ତି।

“ଦେଶର ପାଞ୍ଚ କୋଟି ଓ ରାଜ୍ୟର ୩୪ ଲକ୍ଷ ଗରୀବ ମହିଳାଙ୍କ ଘରେ ଉଜ୍ଜଳା ଯୋଜନାରେ ଗ୍ୟାସ ପହଞ୍ଚିଛି। ମୁଖ୍ୟମନ୍ତ୍ରୀ କୁହନ୍ତୁ ସେ ରାଜ୍ୟ କେଉଁ ଗାଁକୁ ଯିବେ? ଉଜ୍ଜଳା ଯୋଜନାରେ ଗ୍ୟାସ ପାଇ ହିତାଧିକାରୀମାନେ କ’ଣ କହୁଛନ୍ତି ତାହା ନିଜେ ମୁଖ୍ୟମନ୍ତ୍ରୀ ପଚାରି ବୁଝନ୍ତୁ। ଏହାପରେ ମୁଖ୍ୟମନ୍ତ୍ରୀ ଜାଣିପାରିବେ ଯେ ଉଜ୍ଜଳା ଯୋଜନାରେ ସ୍କାମ ହୋଇଛି କି ନାହିଁ”, କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ।

ତାଳଚେର ଏବଂ ଝାରସୁଗୁଡ଼ା ସମାବେଶ ପରେ ଗୋଟିଏ କଥା ସ୍ପଷ୍ଟ ହୋଇଛି ଯେ ବିଜେଡି ଏବଂ ବିଜେପି ୨୦୧୯ ପାଇଁ ସୁଯୋଗକୁ ହାତଛଡ଼ା କରିବାକୁ ଚାହୁଁ ନାହାନ୍ତି। ପରସ୍ପର ପରସ୍ପରର ବିଫଳତାକୁ ଲୋକଙ୍କ ସାମ୍ନାରେ ପହଞ୍ଚାଇବା ପାଇଁ କସରତ କରୁଛନ୍ତି। ମୋଦି, ନବୀନ ଏବଂ ଧର୍ମେନ୍ଦ୍ରଙ୍କ ମନ୍ତବ୍ୟ ସ୍ପଷ୍ଟ କରୁଛି ଯେ ୨୦୧୯ରେ ରାଜନୀତି ପାଣିପାଗ ବଡ଼ ଜଟିଳ ହେବ। ଏବେଠାରୁ ଏହି ଦୁଇ ପ୍ରମୁଖ ଦଳ ଲୋକଙ୍କ ନିକଟତର ହେବାକୁ ଚେଷ୍ଟା ଚଳାଇଛନ୍ତି।

Comment