ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଭୁବନେଶ୍ୱର ଫେରିବା ପରେ ମୋଦିଙ୍କୁ ଜବାବ
  • ଉଜ୍ଜଳା ସ୍କାମ କଥା ଚିନ୍ତା କର
  • ପେଟ୍ରୋଲ-ଡିଜେଲ ଦର ବିଷୟରେ ଚିନ୍ତା କର

ଝାରସୁଗୁଡ଼ା ସମାବେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ। ଓଡ଼ିଶାରେ ପିସି ନଦେଲେ କାମ ହୁଏନି ବୋଲି ଅଭିଯୋଗ କରିଥିଲେ। ମୋଦିଙ୍କ ‘ପିସି’ କାରବାର ମନ୍ତବ୍ୟର ଜବାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଝାରସୁଗୁଡ଼ାରୁ ଭୁବନେଶ୍ୱରରେ ପହଞ୍ଚିବା ପରେ ନବୀନ ମୋଦିଙ୍କୁ ଟାର୍ଗେଟ କରିଛନ୍ତି।

“ଓଡ଼ିଶା ସରକାରଙ୍କୁ ସମାଲୋଚନା କରିବା ପୂର୍ବରୁ ମୋଦି ପ୍ରଥମେ ନିଜ ଯୋଜନାକୁ ଦେଖନ୍ତୁ। କେନ୍ଦ୍ରର ସ୍କିଲ୍ ମିଶନ ଏବଂ ଉଜ୍ଜଳା ସ୍କାମ କଥା ଚିନ୍ତା କରନ୍ତୁ। ପେଟ୍ରାଲ ଓ ଡିଜେଲ ଦର ରକେଟ ଭଳି ବୃଦ୍ଧି ପାଉଛି। ଏହା ସାରା ଦେଶ ପାଇଁ ଉଦ୍‌ବେଗଜନକ। ମୋଦି ସେ ବିଷୟରେ ଗମ୍ଭୀର ଭାବେ ଚିନ୍ତା କରିବା ଦରକାର”, କହିଛନ୍ତି ନବୀନ ପଟ୍ଟନାୟକ।

ଏହାସହ ନବୀନ ଆହୁରି କହିଛନ୍ତି, “ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ନାମରେ ଝାରସୁଗୁଡ଼ା ବିମାନବନ୍ଦରର ନାଁ ନାମିତ କରିବାକୁ ମୁଁ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଦାବି କରିଥିଲି। ପରେ ସେ ଉଦଘାଟନସ୍ଥଳରେ ଏହା ଘୋଷଣା କରିଥିଲେ। ଏହାସହ ଉଡ଼ାଣ ଯୋଜନାରେ ଏୟାର ଇଣ୍ଡିଆର ଗୋଟିଏ ବିମାନକୁ ସାମିଲ କରିବା ପାଇଁ ମୁଁ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛି।”

ତାଳଚେର ସାର କାରଖାନା କାର୍ଯ୍ୟକ୍ଷମ ହେବା ପରେ ଏଠାରୁ କେମିତି ୫୦ ପ୍ରତିଶତରୁ ଅଧିକ ୟୁରିଆ ଉତ୍ପାଦନ ହୋଇପାରିବ ଏବଂ ଓଡ଼ିଶାର ଚାଷୀ କିପରି ଉପକୃତ ହେବେ ସେଥିପ୍ରତି ଧ୍ୟାନ ଦେବାକୁ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିବା ନବୀନ କହିଛନ୍ତି।

ଆୟୁଷ୍ମାନ ଭାରତ ଯୋଜନାକୁ ମୋଦି ସମାଲୋଚନା କରିଥିଲେ। ଏ ସମ୍ପର୍କରେ ନବୀନ କହିଛନ୍ତି ଯେ ରାଜ୍ୟ ସରକାର ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନା ଶୁଭାରମ୍ଭ କରିଛନ୍ତି। ଏହି ଯୋଜନାରେ ଅଧିକ ୫୦ ଲକ୍ଷ ହିତାଧିକାରୀ ଉପକୃତ ହେବେ। କେନ୍ଦ୍ର ଯୋଜନାରେ ଏତେ ସଂଖ୍ୟକ ଲୋକ ଓଡ଼ିଶାର ଉପକୃତ ହୋଇପାରି ନଥାନ୍ତେ। ଏହି ଯୋଜନାରେ ମହିଳାମାନଙ୍କୁ ୭ ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା ମିଳିପାରିବ।

ଓଡ଼ିଶାରେ କୋଇଲା ଉତ୍ପାଦନ ଅଧିକ ହେଉଛି। କୋଇଲା ରୟାଲିଟି ବଢ଼ାଇବା ପାଇଁ ପ୍ରଧାନମନ୍ତ୍ରୀଙ୍କ ନକିଟରେ ଦାବି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ।

ମୋଦି ଆଜି ତାଳଚେର ଏବଂ ଝାରସୁଗୁଡ଼ାଠାରେ ସିଧାସଳଖ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି। ୧ ଟଙ୍କିଆ ଚାଉଳ, ସ୍ୱଚ୍ଛତା ମିଶନ, ପିସି କାରବାର ନେଇ ନବୀନଙ୍କ ଉପରେ ବର୍ଷିଥିଲେ ମୋଦି।

Comment