ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡ଼ିଶାକୁ ଏହା ଥିଲା ସମ୍ଭବତଃ ଶେଷ ସରକାରୀ ଗସ୍ତ। ସୁନିଆବାସୀ ଦିନ ଛଅ ଛଅଟି ପ୍ରକଳ୍ପକୁ ସୁଇଚ ଟିପି ଲୋକାର୍ପଣ କରିବା ଭିତରେ ଓଡ଼ିଶାକୁ ଯାହା ଦେବାର ଥିଲା ଏକରକମ ମୋଦି ତାହା ଦେଇସାରିଛନ୍ତି। ଏବେ ଦେଖିବା କଥା ଏହିସବୁ ଭିତ୍ତିପ୍ରସ୍ତର/ଉଦଘାଟନର ରାଜନୈତିକ ଫାଇଦା ତାଙ୍କ ଦଳ ୨୦୧୯ରେ କେତେ ମାତ୍ରାରେ ଉଠାଇପାରୁଛି।

ମୋଦିଙ୍କ ସେପ୍ଟେମ୍ବର ୨୨ ଓଡ଼ିଶା ଗସ୍ତ କିନ୍ତୁ ବିଜେପି ଓ ବିଜେଡି ମଧ୍ୟରେ ଏକ ନୂଆ କାନ୍ଥ ଛିଡ଼ା କରିଛି ବୋଲି ବୁଝିବାକୁ ହେବ। ସଂସଦରେ ବିଗତ କିଛି ଦିନ ଭିତରେ ବିଭିନ୍ନ ପ୍ରସଙ୍ଗରେ ଏନଡିଏ ସରକାରକୁ ବିଜେଡିର ଅକୁଣ୍ଠ ସମର୍ଥନ ପରେ ରାଜନୈତିକ ମହଲରେ ଆକଳନ କରାଯାଉଥିଲା ଯେ ନବୀନ ପଟ୍ଟନାୟକଙ୍କ ବହୁ ଚର୍ଚ୍ଚିତ ‘କଂଗ୍ରେସ ଓ ବିଜେପିଠାରୁ ସମାନ ଦୂରତା ରଖିବା’ ନୀତିର ଦୃଢୋକ୍ତି ସତ୍ତ୍ୱେ ବିଜେଡି କ୍ରମଶଃ ବିଜେପି ଆଡ଼କୁ ଢ଼ଳୁଛି।

ଆଉ କେହି କହୁ କି ନକହୁ ପିସିସି ସଭାପତି ନିରଞ୍ଜନ ପଟନାୟକ କିନ୍ତୁ ଏହି ଥିଓରିର ଜଣେ ବଡ଼ ପ୍ରବର୍ତ୍ତକ ଥିଲେ। ଆଜିର ଘଟଣା ପରେ କିନ୍ତୁ ବିଜେପି ଓ ବିଜେଡି ମଧ୍ୟରେ ଯେଉଁ ପ୍ରାଚୀରଟି ଛିଡ଼ା ହେଲା ତାହା ୨୦୧୯ ଭୋଟକୁ ବିପୁଳ ପରିମାଣରେ ପ୍ରଭାବିତ କରିବ ଏଥିରେ ଦ୍ୱିମତ ନାହିଁ। ଅନ୍ୟ ଭାବରେ କହିଲେ,ଆଗାମୀ ଦିନରେ ଉଭୟ ଦଳ ଭିତରେ ଲଢ଼େଇ ଜୋରଦାର ହେବ ଏହାର ସ୍ପଷ୍ଟ ସଂକେତ ମିଳୁଛି।

ଶନିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନବୀନ ପଟ୍ଟନାୟକଙ୍କ ସରକାର ଉପରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଯେଉଁଭଳି ବର୍ଷିଲେ ତାହା ଅତୀତରେ କେବେ ବି ଦେଖାଯାଇନଥିଲା। ଅବଶ୍ୟ ବିଜେପି ସଭାପତି ଅମିତ ଶାହ ଅତୀତରେ ନବୀନଙ୍କ ସରକାର ପ୍ରତି ‘ପୋଡ଼ା ଟ୍ରାନ୍ସଫର୍ମର’ ଭଳି ଶବ୍ଦ ବ୍ୟବହାର କରିଛନ୍ତି। ତେବେ ଗୋଟିଏ ଦଳର ସଭାପତିଙ୍କ ତାତ୍ସଲ୍ୟ ଓ ଦେଶର ପ୍ରଧାନମନ୍ତ୍ରୀଙ୍କସ ତାତ୍ସଲ୍ୟ ଓ କଟୁ ସମାଲୋଚନା ଭିତରେ ଢେର ତଫାତ ରହିଛି। ପ୍ରଧାନମନ୍ତ୍ରୀ ମୋଦି ତାଳଚେର ଓ ଝାରସୁଗୁଡ଼ା ସାଧାରଣ ସଭାରେ ନବୀନ ସରକାରଙ୍କ କାର୍ଯ୍ୟକଳାପ ନେଇ ଯେଉଁ କେତୋଟି ଟିପ୍ପଣୀ କରିଥିଲେ ସେଥିଭିତରୁ ଗୋଟିଏ ସାଙ୍ଘାତିକ ମନ୍ତବ୍ୟ ହେଉଛି ବିଜେଡି ସରକାରକୁ ପିସି ସରକାର ବୋଲି ଘୋଷଣା କରିବା।

‘ପିସି’ ଓ ନିଷ୍ପତ୍ତିରେ ବିଳମ୍ବ ହିଁ ଏହି ସରକାରର ପରିଚୟ ଭଳି କଡ଼ା ଟିପ୍ପଣୀ ସିଧାସଳଖ ପ୍ରଧାନମନ୍ତ୍ରୀଙ୍କଠାରୁ ଆସିବା ଏକ ଅସ୍ୱାଭାବିକ ଘଟଣାକ୍ରମ। ଏଥିରୁ ୨ଟି ନିଷ୍କର୍ଷ ବାହାରୁଛି। ପ୍ରଥମ, ମୋଦି ବିଜେଡି ଓ ନବୀନଙ୍କଠାରୁ ଭବିଷ୍ୟତରେ ଆଉ କୌଣସି ସାହାଯ୍ୟ ଚାହୁଁ ନାହାନ୍ତି। ଦ୍ୱିତୀୟ କଥା ହେଉଛି ବିଜେପି ପାଇଁ ଓଡ଼ିଶାରେ ଧସେଇ ପଶିବାର ଏହା ହେଉଛି ପ୍ରକୃଷ୍ଟ ସମୟ। ମୋଦି ଶନିବାର ଦିନ ଯେଉଁସବୁ ଅଭିଯୋଗ ନବୀନଙ୍କ ସରକାର ଉପରେ ଆଣିଲେ ତାହା ଢେର ଦିନ ପର୍ଯ୍ୟନ୍ତ ଗୁଞ୍ଜରିତ ହେବା ସୁନିଶ୍ଚିତ। ଆଉ ନବୀନଙ୍କ ବିରୋଧୀଙ୍କ ହାତରେ ଏହା ଏକ ଅମୋଘ ଅସ୍ତ୍ର ଭଳି କାମ କରିବ।

ଦିନରେ ପ୍ରଧାନମନ୍ତ୍ରୀ ଯେଉଁ ସବୁ ଅଭିଯୋଗ ଆଣିଥିଲେ ତାହାକୁ ଅବଶ୍ୟ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଗୋଟି ଗୋଟି କରି ଖଣ୍ଡନ କରିଛନ୍ତି। ନବୀନ ଜବାବରେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଯେଉଁ ସବୁ କଥା ତାଙ୍କ ବିରୋଧରେ କହିଲେ ତାହା କେବଳ ବିଜେପିର କର୍ମୀଙ୍କୁ ଉତ୍ସାହିତ କରିବା ପାଇଁ ଉଦ୍ଦିଷ୍ଟ ଥିଲା। ମୋଦିଙ୍କ ଆକ୍ଷେପର ଜବାବ ରଖିବାକୁ ଯାଇ ନବୀନ ପଟ୍ଟନାୟକ ‘ଗୋଦରୀ ଲୋ ତୋ ଗୋଡ଼କୁ ଅନା’ ଢଙ୍ଗରେ ଏ କଥା ମଧ୍ୟ କହିଲେ ଯେ ଉଜ୍ଜ୍ଵଳା ଓ ସ୍କିଲ ମିଶନ କାର୍ଯ୍ୟକ୍ରମରେ ଯେଉଁ ଦୁର୍ନୀତି ଅଭିଯୋଗ ଆସିଛି ସେଥିପ୍ରତି ଆଗେ ଧ୍ୟାନ ଦିଅନ୍ତୁ। ସେହିଭଳି କେନ୍ଦ୍ରର ଅୟୁଷ୍ମ।ନ ଯୋଜନା ତୁଳନାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଢେର ଭଲ ବୋଲି ନବୀନ ଯୁକ୍ତି ବାଢିଥିଲେ।

ମଜା କଥା ହେଲା ହଜାର ହଜାର କୋଟି ଟଙ୍କାର ଯେଉଁ କେତୋଟି ଭଲ ପ୍ରକଳ୍ପ ଶନିବାର ଦିନ ପ୍ରଧାନମନ୍ତ୍ରୀ ଓଡ଼ିଶାରେ ଆରମ୍ଭ କଲେ ସେ ଗୁଡିକ ନବୀନ – ଆକ୍ଷେପ ଯୋଗୁଁ ପାଣିଚିଆ ହୋଇପଡ଼ିଲା। ନବୀନ ପଟ୍ଟନାୟକ ସରକାର ଉପରେ ପ୍ରଧାନମନ୍ତ୍ରୀ ମୋଦି ଯେଉଁଭଳି ବର୍ଷିଲେ ତାହା ଅବଶ୍ୟ ଧର୍ମେନ୍ଦ୍ର ପ୍ରଧାନ ଓ ତାଙ୍କ ସହଯୋଗୀମାନଙ୍କୁ ଅଧିକ ଉତ୍ସାହ ଯୋଗାଇବ। କିନ୍ତୁ ବିଜେପି ଓ ବିଜେଡି ଭିତରେ ଏହି କଥା କଟାକଟି ପରେ କ୍ଷୀର କ୍ଷୀର ଓ ପାଣି ପାଣି ଅଲଗା ହୋଇଗଲା ବୋଲି ଧରିନେବାକୁ ହେବ।

ମୋଦି-ନବୀନ ତଡ଼ାତଡ଼ିରେ ପ୍ରକୃତରେ କାହାର ଫାଇଦା ହେବ ଓ କିଏ କାହାକୁ କାଠଗଡ଼ାରେ ଠିଆ କରାଇଲା ତାହା ପରବର୍ତ୍ତୀ ସମୟରେ ଜଣାପଡ଼ିବ।

Comment