କପିଳାସ ଭୂୟାଁ

ସାର ଏଡୱିନ ଲ୍ୟୁଟ୍ୟେନଙ୍କ ଦ୍ଵାରା ସ୍ଥାପିତ ନୂଆଦିଲ୍ଲୀ ଏକାଧିକ ବୃତ୍ତାକାର ଜନବସତିର ସମାହାର ହୋଇଥିଲା ବେଳେ ଓଟୋ କୋଏନିଗ୍ସବର୍ଜ୍ଜର ଭୁବନେଶ୍ଵରକୁ ଆଇରନ ଗ୍ରୀଲ ବା ଚତୁର୍ଭୁଜାକାର ଜନବସତି ରୂପେ ଗଢ଼ି ତୋଳିଥିଲେ। ପଣ୍ଡିତ ଜବାହାରଲାଲ ନେହେରୁ ଭୁବନେଶ୍ଵରକୁ ଅତ୍ୟୁଚ ଅଟ୍ଟାଳିକାମୟ ସହରରେ ପରିଣତ କରିବାକୁ ଚାହୁଁ ନଥିଲେ, ଯାହା ଦ୍ୱାରା ଧନୀ ଓ ଗରିବଙ୍କ ମଧ୍ୟରେ ତାରତମ୍ୟ ବାରି ହେବ। ଏହାଛଡ଼ା, ସମାଜର ସବୁ ବର୍ଗର ଲୋକେ ଯେମିତି ଏକାଠି ଶାନ୍ତି ଓ ସଂହତି ସହ ବସବାସ କରି ପାରିବେ ସେଥିପ୍ରତି ମଧ୍ୟ ସେ ଯଥେଷ୍ଟ ଗୁରୁତ୍ଵ ଦେଇଥିଲେ।

ପଣ୍ଡିତ ନେହେରୁଙ୍କ ସେହି ଦୃଷ୍ଟିକୋଣକୁ  ଓଟୋ କୋଏନିଗ୍ସବର୍ଜ୍ଜର ନିଜ କାମରେ ସମ୍ପୂର୍ଣ୍ଣ ପ୍ରତିଫଳିତ କରିଥିଲେ। ଭୁବନେଶ୍ୱର ମାଷ୍ଟର ପ୍ଲାନରେ ସେ ସର୍ବ ପ୍ରଥମେ ଏକ ସୁଦୀର୍ଘ ସଡ଼କର ପରିକଳ୍ପନା କରିଥିଲେ ଯାହାକି ଆମେ ଦେଖୁଥିବା ରାଜଧାନୀର ରାଜ୍ୟପାଳଙ୍କ ଘରଠାରୁ କଳ୍ପନା ଛକ ଯାଏଁ ପ୍ରଲମ୍ବିତ। ଏହି ସଡ଼କର ଉଭୟ ପାର୍ଶ୍ଵରେ ସେ ଆତ୍ମନିର୍ଭରଶୀଳ ଗୋଟିଏ ଗୋଟିଏ ଜନପଦ ସ୍ଥାପନର ଯେଉଁ ପରିକଳ୍ପନା କରିଥିଲେ ତାହା ୟୁନିଟ ନାଁରେ ପରିଚିତ। ପ୍ରତ୍ୟେକ ୟୁନିଟରେ ସର୍ବାଧିକ ଚାରିରୁ ପାଞ୍ଚ ହଜାର ଲୋକ ରହିବା ବ୍ୟବସ୍ଥା କରିଥିଲେ। ଆତ୍ମନିର୍ଭରଶୀଳ ଜନପଦ କରିବା ପାଇଁ ପ୍ରତ୍ୟେକ ୟୁନିଟରେ ୟୁ.ପି.ସ୍କୁଲ ଓ ହାଇସ୍କୁଲ ଠାରୁ ଆରମ୍ଭ କରି ପାର୍କ, ଖେଳ ପଡ଼ିଆ, ପାଠାଗାର, ସ୍ୱାସ୍ଥ୍ୟ କେନ୍ଦ୍ର, ଛୋଟ ଛୋଟ ମାର୍କେଟ ଓ କମ୍ୟୁନିଟି ସେଣ୍ଟର ଆଦିର ବ୍ୟବସ୍ଥା ରଖିଥିଲେ। ଏହି ସମସ୍ତ ସ୍ଥାନକୁ ଲୋକମାନଙ୍କ ଘରଗୁଡ଼ିକ ଠାରୁ କମ ଦୂରତାରେ ରଖା ଯାଇଥିଲା, ଯାହା ଦ୍ଵାରା ସେଠାକୁ ପାଦରେ ଚାଲି ଯିବା ସହଜସାଧ୍ୟ ହେବ।

ମୂଳ ମାଷ୍ଟର ପ୍ଲାନ ଅନୁଯାୟୀ ସମୁଦାୟ ଚାରିରୁ ଛ’ଟି ୟୁନିଟ ତିଆରି ହେବାକୁ ପ୍ରାୟ ବାର ବର୍ଷ ସମୟ ଲାଗିଗଲା। ୧୯୬୧ ମସିହା ସୁଦ୍ଧା ଓଟୋ କୋଏନିଗ୍ସବର୍ଜ୍ଜର ଫେରିଗଲେ। ପରବର୍ତ୍ତୀ ସମୟରେ ଜୁଲିଅସ ଭାଜ ରାଜଧାନୀକୁ ସମୁଦାୟ ଏଗାରଟି ୟୁନିଟ କରିବାକୁ ଯୋଜନା କରିଥିଲେ। କିନ୍ତୁ ନଅଟି ୟୁନିଟ ହେବା ପରେ ଆମ ଯୋଜନା ପ୍ରଣୟନକାରୀମାନେ ଆଉ ୟୁନିଟ ତିଆରି କରିବା କଥା ସମ୍ପୂର୍ଣ୍ଣ ଭୁଲିଗଲେ।

ଅବଶ୍ୟ ପ୍ରତ୍ୟେକ ୟୁନିଟର ଅନ୍ୟ ଗୋଟିଏ ଗୋଟିଏ ନାଁ ଥିଲା, ଯେମିତି କି ଅଶୋକ ନଗର, ବାପୁଜୀ ନଗର, ଗଙ୍ଗ ନଗର, କେଶରୀ ନଗର, ଭୌମ ନଗର ଇତ୍ୟାଦି। ପରବର୍ତ୍ତୀ ସମୟରେ ୟୁନିଟ ବଦଳରେ କେବଳ ନଗର ବ୍ୟବହାର କରି ଜନବସତିଗୁଡ଼ିକର ନାମକରଣ କରାଗଲା, ଯେମିତି କି ବୁଦ୍ଧ ନଗର, ଗୌତମ ନଗର, ସହିଦ ନଗର ଇତ୍ୟାଦି। ତେବେ କାଳ କ୍ରମେ ସେହି ଧାରା ବଦଳି ଜନବସତି ଗୁଡ଼ିକର ନାଁ ‘ବିହାର’ ଯୁକ୍ତ ହେଲା, ଯେମିତିକି ଆଚାର୍ଯ୍ୟ ବିହାର, ଶୈଳଶ୍ରୀ ବିହାର, କଳିଙ୍ଗ ବିହାର ଇତ୍ୟାଦି। ଏବେ ଅବଶ୍ୟ ଦ୍ରୁତ ଗତିରେ ସମ୍ପ୍ରସାରିତ ହେଉଥିବା ଭୁବନେଶ୍ଵର ଏହାର ଚାରିପାଖରେ ଥିବା ଗାଁ ଗୁଡ଼ିକ ନାଁରେ ପରିଚିତ ହେଲାଣି।

ଓଟୋ କୋଏନିଗ୍ସବର୍ଜ୍ଜରଙ୍କ ଆଇରନ ଗ୍ରୀଲ ବା ଚତୁର୍ଭୁଜାକାର ଜନବସତି ଅନ୍ତର୍ଗତ ୟୁନିଟଗୁଡ଼ିକର ବିଶେଷତ୍ତ୍ୱ ଏହା ଥିଲା ଯେ ସେଗୁଡ଼ିକର ଚାରିପାଖରେ ଥିବା ମୁଖ୍ୟ ରାସ୍ତାରେ ଯାନବାହାନ ଚଳାଚଳ ଓ ଗହଳଚହଳ ଲାଗି ରହିଥିଲେ ବି ଭିତରେ ଥିବା ରାସ୍ତାଗୁଡ଼ିକରେ ତାହାର କୌଣସି ପ୍ରଭାବ ବାରି ହେବ ନାହିଁ। ଏବେ ବି ୟୁନିଟଗୁଡ଼ିକ ମଧ୍ୟରେ ଅଧିକାଂଶରେ ସେହି ଶାନ୍ତ ବାତାବରଣ ଅନୁଭବ କରିହୁଏ।

ରାଜ୍ୟପାଳଙ୍କ ଘରଠାରୁ କଳ୍ପନା ଛକ ଯାଏଁ ରହିଥିବା ସଡ଼କଟି ପଶ୍ଚିମରୁ ପୂର୍ବକୁ ମୁହଁ କରି ରହିଛି। ରାଜଧାନୀର ପଶ୍ଚିମ ପଟ ପଥୁରିଆ ଓ ଉଚ୍ଚା ହୋଇଥିବା ବେଳେ ପୂର୍ବ ପଟ ଗଡ଼ାଣିଆ ଓ ନିମ୍ନ ଭୂମି। ଏହି ମୁଖ୍ୟ ସଡ଼କଟିର ମଝିରେ ରହିଥିବା ରେଳ ଲାଇନ ସହରକୁ ଦୁଇଭାଗ କରୁଥିଲା ବେଳେ ଉତ୍ତର-ଦକ୍ଷିଣ ହୋଇ ରହିଥିବା ଚାରିଟି ରାସ୍ତା ସମୁଦାୟ ସହରକୁ ସଂଯୁକ୍ତ କରେ। ସେଗୁଡ଼ିକ ହେଲା କଟକ ରୋଡ, ଜନପଥ, ରାଜପଥ ଓ ବିଦ୍ୟୁତ ମାର୍ଗ।

ଭୁବନେଶ୍ଵର ସହରର ଏହିସବୁ ମୁଖ୍ୟ ସଡ଼କଗୁଡ଼ିକର ଉଭୟ ପାର୍ଶ୍ଵରେ ମଧ୍ୟ-ସତୁରୀ ଦଶକ ଯାଏଁ ଜଳ ନିଷ୍କାସନ ପାଇଁ ଇଟା ଯୋଡେଇ ସୁନ୍ଦର ନାଳ ବ୍ୟବସ୍ଥା ରହିଥିଲା। ଏପରିକି ସେହିସବୁ ନାଳଗୁଡ଼ିକ ଉପରେ ସିମେଣ୍ଟ ସ୍ଲାବ ପକାଇ ସୁନ୍ଦର ଫୁଟ୍‌ ପାଥ୍ ମଧ୍ୟ ରହିଥିଲା। ସହର ସଂପ୍ରସାରଣ ସହ ସେଗୁଡ଼ିକ କୁଆଡ଼େ ଉଭେଇ ଗଲା କେଜାଣି!

ସହର ସଂପ୍ରସାରଣ ସହ ରାସ୍ତାଘାଟ ସମ୍ପ୍ରସାରିତ ହେଲା। ରାସ୍ତାର ଉଭୟ ପାର୍ଶ୍ଵରେ ସୁଦୃଶ୍ୟ ଫୁଟ୍ ପାଥ୍ ତିଆରି କରାଗଲା, କିନ୍ତୁ ଜଳ ନିଷ୍କାସନ ବ୍ୟବସ୍ଥା କରିବା କଥା ଆମେ ଭୁଲିଗଲେ। ଚେତା ପଶିଲା ପରେ ଏବେ ସହର ସାରା ଖୋଳତାଡ଼ ଚାଲିଛି। ଆଗକୁ ଦଶହରା ଆସୁଛି, କିନ୍ତୁ ସହର ଦିଶୁଛି ଶ୍ରୀହୀନ। କାମ କରୁଥିବା କଣ୍ଟ୍ରାକ୍ଟରମାନଙ୍କୁ ସରକାରଙ୍କ ପକ୍ଷରୁ ଚେତାବନୀ ଦିଆଯାଇଛି ‘ଶୀଘ୍ର କାମ ସାର’। ଏଭଳି ନିର୍ଦ୍ଦେଶ ପାଇ ସେମାନେ ହୁଏତ ଅଧାପନ୍ତରିଆ କାମ କରି କାମ ସାରିଦେବେ ଓ ସେମାନଙ୍କ ବିଲ୍ ପାସ କରାଇନେବେ। ଏପରିସ୍ଥଳେ କିଛି ଦିନ ପରେ ଯେ ପୁଣି ଖୋଳତାଡ଼ ନହେବ କିଏ କହିବ! ସରକାରୀ ତହବିଲରୁ ସାଧାରଣ ଲୋକଙ୍କ ପଇସାକୁ ଏପରି ବରବାଦ କରିବା ପାଇଁ କତିପୟ ଠିକାଦାର ଓ ଇଞ୍ଜିନିୟର ସେମାନଙ୍କ ରାଜନୈତିକ ପୃଷ୍ଠପୋଷକମାନଙ୍କ ସଲାସୁତୁରାରେ ଯେଉଁଭଳି  କାରସାଦି ଚଲାଇଛନ୍ତି, ତାହାର ବିରୋଧ କିଏ କରିବ?

ପଶ୍ଚିମ ପଟ ଉଚ୍ଚା ଓ ପୂର୍ବ ପଟ ନିମ୍ନ ଭୂମି ହୋଇଥିବାରୁ ବର୍ଷା ଜଳ ନିଷ୍କାସନ ପାଇଁ ଭୁବନଶ୍ଵରରେ ସମୁଦାୟ ଦଶଟି ପ୍ରାକୃତିକ ପ୍ରଣାଳୀ ରହିଛି। ମୂଳ ମାଷ୍ଟର ପ୍ଲାନରେ ସେଗୁଡ଼ିକର ଗତିପଥକୁ ସୁଗମ ରଖାଯାଇଥିଲା। କିନ୍ତୁ କାଳକ୍ରମେ ସେହିସବୁ ପ୍ରାକୃତିକ ନିଷ୍କାସନ ପ୍ରଣାଳୀର ଗତିପଥକୁ ଅବରୋଧ କରି ବେନିୟମ ଭାବେ କୋଠାବାଡ଼ି ନିର୍ମାଣ କରିବାରୁ ଏବେ ବର୍ଷା ଦିନେ ସହରର ଅନେକ ଅଞ୍ଚଳ ପାଣିରେ ଉବୁଟୁବୁ ହେଉଛି। ସେଥିରୁ ରକ୍ଷା ପାଇବାର ଉପାୟ କିଛି ନଥିଲା ପରି ଲାଗୁଛି ।

ତେବେ ଆମ ରାଜଧାନୀ ଭୁବନେଶ୍ଵର ସ୍ମାର୍ଟ ସିଟି କେମିତି ହେବ?

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ତଥା ଜାତୀୟ ପୁରସ୍କାରପ୍ରାପ୍ତ ଚଳଚିତ୍ର ନିର୍ଦ୍ଦେଶକ) 

Comment