ଓଡ଼ିଶାଲଇଭ୍ ବ୍ୟୁରୋ
ନବରଙ୍ଗପୁର ମିଶନ ଶକ୍ତି ବୈଠକ ଗୃହରେ ଓଡ଼ିଶା ମହିଳା କମିଶନ ଅଧ୍ୟକ୍ଷା ଲୋପାମୁଦ୍ରା ବକ୍ସିପାତ୍ରଙ୍କ ଅଧ୍ୟକ୍ଷତାରେ ପୋଲିସ ଓ ବିଭିନ୍ନ ବିଭାଗକୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଜିଲ୍ଲାରେ ଚେଙ୍କ ଚିକିତ୍ସାକୁ ନେଇ ସଚେତନତା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ୪ ହଜାର ୪ଶହ ଦିଶାରୀଙ୍କୁ ଜ୍ୟୋତି ସଚେତନ କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନ କରାଯିବା ସହ ବ୍ଲକ ଓ ପଞ୍ଚାୟତ ସ୍ତରରେ ଆଞ୍ଚଳିକ ଭାଷାରେ ସଚେତନ କରାଯିବା ସହ ବିଭିନ୍ନ ଭିଡିଓ ମାଧ୍ୟମରେ ମଧ୍ୟ ସଚେତନ କରାଯାଇଛି ବୋଲି ସୂଚନା ଦେଇଥିଲେ।
ଦୁଷ୍କର୍ମ ଘଟଣାରେ ପୀଡ଼ିତାଙ୍କୁ ପୂର୍ବରୁ ୩ ଲକ୍ଷ ଟଙ୍କା ରହିଥିଲା। କିନ୍ତୁ ବର୍ତ୍ତମାନ ତାହାକୁ ୧୦ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି ବୋଲି କହିଥିଲେ। ଜିଲ୍ଲାରେ ଚଳିତ ବର୍ଷ ୫୦ ହଜାର ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ସେମାନଙ୍କୁ ଦକ୍ଷତା ତାଲିମ ଦିଆଯିବ ବୋଲି ବୈଠକରେ ଆଲୋଚନା ହୋଇଥିଲା। ପ୍ରଶାସନ ପକ୍ଷରୁ ଏହି ବ୍ୟବସ୍ଥା ଗ୍ରହଣ କରାଯାଇଥିବା ସୂଚନା ଦେଇଛନ୍ତି। କନ୍ୟାଶ୍ରମରେ ଛାତ୍ରୀ ଦୁଷ୍କର୍ମ, ଗର୍ଭବତୀ ଭଳି ଅନେକ ଘଟଣା ଲୋକ ଲୋଚନକୁ ଆସୁଛି। ସେଥିପାଇଁ ବିଦ୍ୟାଳୟ ମହା ବିଦ୍ୟାଳୟ ମାନଙ୍କରେ ସଚେତନ କରାଯିବାକୁ ପରାମର୍ଶ ଦେଇଛନ୍ତି ମହିଳା କମିଶନ।
ନବରଙ୍ଗପୁର ସ୍ୱଧାର ଗୃହରେ ବର୍ତ୍ତମାନ ୧୬ ନିର୍ଯାତିତ ପୀଡ଼ିତ।ଙ୍କୁ ଥଇଥାନ କରାଯାଇଥିବା ସୂଚନା ଦିଆଯାଇଥିଲା। ସମାଜ କଲ୍ୟାଣ ଅଧିକାରୀ, ଶିଶୁ ସୁରକ୍ଷା ଅଧିକାରୀ ଓ ଶିଶୁ ମଙ୍ଗଳ କମିଟି, ପୋଲିସ ପକ୍ଷରୁ ନିୟମିତ ଭାବରେ ତାହାର ତଦାରଖ କରାଯିବା ସହ ପରିଦର୍ଶନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଭୁବନେଶ୍ୱର ଆମ ଅଞ୍ଚଳରୁ ବହୁ ଦୂର ହେଉଥିବାରୁ ଏହି ଅଂଚଳରେ କ୍ୟାମ୍ପ କୋର୍ଟ କରି ମାମଲାର ଫଇସଲା କରାଯାଉ ବୋଲି ଏସ୍ଡିପିଓ କହିଥିଲେ। କୋରାପୁଟରେ ୭ଟି, ମାଲକାନଗିରିରେ ୨ଟି ଏବଂ ନବରଙ୍ଗପୁରରେ ୪ଟି ମାମଲାର ଫଇସଲା ପାଇଁ ଆସିଥିବା ଅଧ୍ୟକ୍ଷା କହିଥିଲେ। ବୈଠକ ଶେଷରେ ୪ଟି ମାମଲାର ବିଚାର କରିଥିଲେ।
ଏହି ବୈଠକରେ ନବରଙ୍ଗପୁର ଜିଲ୍ଲାପାଳ ଡକ୍ଟର ଅଜିତ କୁମାର ମିଶ୍ର, ଏସ୍ପି ବିବେକାନନ୍ଦ ଶର୍ମା, ମହିଳା କମିଶନ ସଭ୍ୟା ସ୍ନେହଞ୍ଜଳି ମହାନ୍ତି, ତିଳତମା ନାୟକ, ଏସ୍ଡିପିଓ ବିମଳକାନ୍ତ ବ୍ରହ୍ମା, ନବରଙ୍ଗପୁର ଥାନା ଅଧିକାରୀ ଭୀମସେନ ନାୟକ, ଜିଲ୍ଲା ମଙ୍ଗଳ ଅଧିକାରୀ ପବିତ୍ର ମୋହନ ପ୍ରଧାନ, ଶିଶୁ କଲ୍ୟାଣ କମିଟି ଅଧ୍ୟକ୍ଷ ବିଜୟ କୁମାର ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ।














