ଓଡ଼ିଶାଲାଇଭ୍ ବ୍ୟୁରୋ

- କେନ୍ଦ୍ରାପଡ଼ାରେ ପୁଣି ପୋଲିସର ବର୍ବରତା
- ପଟାମୁଣ୍ଡାଇ ଥାନାରୁ ଖସିଗଲା ଆସାମୀ
- ଅନ୍ଧାରରେ ବାଡ଼ି ବୁଲାଉଛି ପୋଲିସ
- ନିର୍ଦ୍ଦୋଷୀକୁ ଥାନାକୁ ଆଣି ପିଟିଲା ପୋଲିସ
- ପୋଲିସ ମାଡ଼ରେ ଲହୁଲୁହାଣ ଯୁବକ
- ଏସ୍ପିଙ୍କୁ ଫେରାଦ ହେଲେ ଆହତ ଯୁବକ
- ତଦନ୍ତ ନିର୍ଦ୍ଦେଶ ଦେଲେ ଏସ୍ପି
ଥାନାରୁ ଆସାମୀ ଚମ୍ପଟ! ଗତ ୭ ତାରିଖରୁ ଲୁଚି ରହିଥିବା ପଟ୍ଟାମୁଣ୍ଡାଇ ଥାନାର ଏହି ଭିତିରି କଥା ଆଜି ପ୍ରଘଟ ହେବାରେ ଲାଗିଛି। ହେଲେ ଆସାମୀ ଚମ୍ପଟ ଘଟଣାରେ ନିଜର ଦୋଷ ଲୁଚାଇ ଜଣେ ନିରୀହ ଯୁବକକୁ ଥାନାକୁ ଆଣି ରାଗ ସୁଝାଇବାକୁ ଯାଇ ନିର୍ମମ ଭାବରେ ପିଟିଛି ପୋଲିସ।
ପୋଲିସ ମାଡ଼ରେ ଲହୁ ଲୁହାଣ ହୋଇଥିବା ଯୁବକ ଜଣକ ପଟ୍ଟାମୁଣ୍ଡାଇ ଡାକ୍ତରଖାନାରେ ଚିକିତ୍ସିତ ହେବା ସହିତ କେନ୍ଦ୍ରାପଡ଼ା ଏସ୍ପିଙ୍କ ନିକଟରେ ଫେରାଦ ହୋଇଛି। ଘଟଣାର ତଦନ୍ତ କରିବାକୁ ଏସ୍ପି ପଟ୍ଟାମୁଣ୍ଡାଇ ଏସ୍ଡିପିଓଙ୍କୁ ଆଦେଶ ଦେଇଛନ୍ତି।
କେନ୍ଦ୍ରାପଡ଼ା ଜିଲ୍ଲାରେ ପୁଣି ପୋଲିସର ବର୍ବରତା ଅଭିଯୋଗ ହୋଇଛି। ଜଣେ ନିର୍ଦ୍ଦୋଷୀକୁ ପୋଲିସ ଥାନାକୁ ନେଇ ଆସି ନିସ୍ତୁକ ପିଟିବା ସହିତ ଦୁଇଦିନ ଥାନାରେ ରଖି ଛାଡ଼ି ଦେଇଛି।
ଘଟଣା ଥିଲା ଗତ ୪ ଟାରିଖ ସନ୍ଧ୍ୟାର। ପଟ୍ଟାମୁଣ୍ଡାଇ ଥାନା ଦୋଷିଆ ଗାଁର ଚୈତନ୍ୟ ସ୍ୱାଇଁ ନାମକ ଜଣେ ଯୁବକଙ୍କର ସେହି ଗାଁର ଆଉ ଜଣେ ଯୁବକ ପ୍ରଦୀପ ନାୟକଙ୍କ ସହ ବଚସା ହୋଇଥିଲା। ପ୍ରଦୀପ ଏକ ମଦ ବୋତଲ ଭାଙ୍ଗି ଚୈତନ୍ୟଙ୍କୁ ଲହୁଲୁହାଣ କରି ଫେରାର ହୋଇ ଯାଇଥିଲା। ଗୁରୁତର ଚୈତନ୍ୟଙ୍କୁ ପ୍ରଥମେ ପଟ୍ଟାମୁଣ୍ଡାଇ ଓ ପରେ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି।
ଗତ ୫ ତାରିଖରେ ଏହି ଗଣ୍ଡଗୋଳ ଓ ମରଣାନ୍ତକ ଆକ୍ରମଣ ସମ୍ପର୍କରେ ଚୈତନ୍ୟଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରାଯିବା ପରେ ପୋଲିସ ଦୋଷିଆ ଗାଁରେ ପହଞ୍ଚି ୬ ତାରିଖରେ ଅଭିଯୁକ୍ତ ପ୍ରଦୀପ ନାୟକକୁ ଗିରଫ କରି ଥାନାକୁ ଆଣିଥିଲା। ହେଲେ ଅଭିଯୁକ୍ତ ପ୍ରଦୀପ ପୋଲିସ ଆଖିରେ ଧୁଳି ଦେଇ ଗତ ୭ ତାରିଖ ସକାଳେ ଥାନାରୁ ଚମ୍ପଟ ମାରି ଫେରାର ହୋଇଯାଇଛି।
ଏବେ ପୋଲିସ ପ୍ରଦୀପକୁ ପୁଣି ଗିରଫ କରିବାକୁ ଚାରିଆଡ଼େ ଖୋଜୁଛି। ହେଲେ ପ୍ରଦୀପର ଟେର୍ ପାଉନି। ପ୍ରଦୀପକୁ ନପାଇ ଗତ ୮ ତାରିଖରେ ପଟ୍ଟାମୁଣ୍ଡାଇ ଥାନା ଏଏସ୍ଆଇ ପ୍ରଫୁଲ୍ଲ ବେହେରା ଦୋସିଆ ଗାଁରେ ଚଢାଉ କରି ରାତି ପ୍ରାୟ ସାଢ଼େ ୧ଟା ବେଳେ ପ୍ରଦୀପର ସାଙ୍ଗ ପ୍ରଫୁଲ୍ଲକୁ ଥାନାକୁ ନେଇ ଆସିଥିଲା। ଥାନା ହାଜତରେ ପୂରାଇ ପ୍ରଫୁଲ୍ଲକୁ ଏକ ପ୍ଲାଷ୍ଟିକ ପାଇପରେ ନିସ୍ତୁକ ପିଟିପିଟି ପ୍ରଦୀପ କୁଆଡ଼େ ଫେରାର ହୋଇଗଲା ବୋଲି ପଚାରିଥିଲା। ତେବେ କ’ଣ ପାଇଁ ଫେରାର ଅଭିଯୁକ୍ତ ପ୍ରଦୀପର ଠିକଣା ପ୍ରଫୁଲ୍ଲକୁ ମାଗି ନିସ୍ତୁକ ପିଟିଲା ପୋଲିସ ତାହା ଜଣାପଡ଼ିନି। ଥାନାରେ ଦୁଇ ଦିନ ପ୍ରଫୁଲକୁ ରଖି ବିନା କାରଣରେ ପିଟିପିଟି ଗୁରୁତର ଆହତ କରି ଆଜି ଛାଡ଼ି ଦେଇଛି ପୋଲିସ।
ଥାନାରୁ ଖଲାସ ହୋଇ ଆହତ ପ୍ରଫୁଲ୍ଲ ଆଜି କେନ୍ଦ୍ରାପଡ଼ା ଏସ୍ପି ନୀତି ଶେଖରଙ୍କୁ ଭେଟି ଏହି ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଏସ୍ପି ଗୁରୁତର ଭାବେ ଗ୍ରହଣ କରିଛନ୍ତି। ଘଟଣାର ତଦନ୍ତ କରି ତୁରନ୍ତ ତଦନ୍ତ ରିପୋର୍ଟ ଦେବାକୁ ଏସ୍ପି ପଟ୍ଟାମୁଣ୍ଡାଇ ଏସ୍ଡିପିଓ ଉମାଶଙ୍କର ମହାରଣାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପୋଲିସର ଏହି ବର୍ବରତାକୁ ସାରା ଜିଲ୍ଲାରେ ନିନ୍ଦା କରାଯାଇଛି।


















