ଓଡ଼ିଶାଲାଇଭ୍‌ ବ୍ୟୁରୋ

୨୦୧୯ ନିର୍ବାଚନ ପୂର୍ବରୁ ବିଜେଡି ସଭାପତି ନବୀନ ପଟ୍ଟନାୟକ ୧୪ ଜଣଙ୍କୁ ମୁଖପାତ୍ର ଭାବେ ନିଯୁକ୍ତି ଦେଇଛନ୍ତି। ଏହି ମୁଖପାତ୍ରମାନେ ଏଣିକି ଦଳର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଗଣମାଧ୍ୟମରେ ମନ୍ତବ୍ୟ ରଖିବେ। ଏହି ୧୪ ଜଣିଆ ମୁଖପାତ୍ର ତାଲିକାରେ ବରିଷ୍ଠ ଏବଂ ଦଳରେ ନୂଆକରି ସାମିଲ ହୋଇଥିବା ନେତାମାନଙ୍କୁ ରଖାଯାଇଥିବା ବିଜେଡି ରାଜ୍ୟ ସମ୍ପାଦକ ବିଜୟ ନାୟକ ସୂଚନା ଦେଇଛନ୍ତି।

କିଏ ହେଲେ ମୁଖପାତ୍ର?

ରାଜ୍ୟ ସଭା ସାଂସଦ ତଥା ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କୁ ମୁଖପାତ୍ର ଭାବେ ନିଯୁକ୍ତି ଦିଆଯାଇଥିବା ବେଳେ ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର, ପ୍ରତାପ କେଶରୀ ଦେବ, ପ୍ରଶାନ୍ତ ନନ୍ଦ, ଦେବାଶିଷ ସାମନ୍ତରାୟ, ଡକ୍ଟର ଅରୁଣ କୁମାର ସାହୁ, ରବି ନାରାୟଣ ନନ୍ଦ, ସମୀର ରଞ୍ଜନ ଦାଶ, ଡକ୍ଟର ସସ୍ମିତ ପାତ୍ର, ସୁଲୋଚନା ଦାସଙ୍କୁ ମୁଖପାତ୍ର ଭାବେ ନିଯୁକ୍ତି ଦିଆଯାଇଛିଏମାନେ ପୂର୍ବରୁ ମଧ୍ୟ ମୁଖପାତ୍ର ରହିଥିଲେ।

ସେହିପରି ନୂଆକରି ବିଜେଡିରେ ସାମିଲ ହୋଇଥିବା ପୂର୍ବତନ ଏଜି ଡକ୍ଟର ଅମର ପଟ୍ଟନାୟକଙ୍କୁ ମୁଖପାତ୍ର କରିଛନ୍ତି ନବୀନ। ଗତ ଅଗଷ୍ଟ ୨୯ ତାରିଖରେ ସେ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଥିଲେ। ବିଜେଡିର ମିଡିଆ ପ୍ୟାନେଲିଷ୍ଟ ଥିବା ଦେବାଶିଷ ମାର୍ଣ୍ଡିଙ୍କୁ ମୁଖପାତ୍ର କରାଯାଇଛି

ଜଣେ ବାଦ୍‌ ପଡ଼ିଲେ, ଦୁଇ ଜଣ ଆସିଲେ

ପୂର୍ବରୁ ମୁଖପାତ୍ର ଥିବା ବଡ଼ଚଣା ବିଧାୟକ ତଥା ଶାସକ ଦଳର ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀଙ୍କୁ ମୁଖପାତ୍ର ତାଲିକାରୁ ବାଦ୍ ଦିଆଯାଇଛି। ଅମରଙ୍କୁ ବାଦ୍‌ ଦିଆଯାଇ ଅତନୁ ସବ୍ୟସାଚୀ ନାୟକ ଏବଂ ପୁଷ୍ପେନ୍ଦ୍ର ସିଂହଦେଓଙ୍କୁ ମୁଖପାତ୍ର କରାଯାଇଛି।

୨୦୧୯ ନିର୍ବାଚନକୁ ଦୃଷ୍ଟିରେ ରଖି ନବୀନ ଏବେଠାରୁ ରଣନୀତି ପ୍ରସ୍ତୁତ କରିଛନ୍ତି। ବିରୋଧୀ ଦଳଙ୍କୁ କଡ଼ା ଜବାବ ଦେବା ପାଇଁ ସେମାନଙ୍କ ସମାଲୋଚନାକୁ ଜବାବ ଦେବା ପାଇଁ ନବୀନ ମୁଖପାତ୍ର ତାଲିକାରେ ଅଦଳ ବଦଳ କରିଥିବା ଚର୍ଚ୍ଚା ହେଉଛି।

Comment