ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ରାଜ୍ୟରେ ମୋଟ ୨୭୭୦.୨୮ କୋଟି ଟଙ୍କାର କ୍ଷତି
  • ଏନ୍‌ଡିଆର୍‌ଏଫ୍ ଫଣ୍ଡରୁ ୨୦୧୪.୦୯ କୋଟି ଟଙ୍କା ଦାବି
  • ମଧ୍ୟବର୍ତ୍ତିକାଳୀନ ସହାୟତା ପାଇଁ ୧୦୦୦ କୋଟି
  • ୬୦.୧୧ ଲକ୍ଷ ଲୋକ ପ୍ରଭାବିତ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଲେଖିଛନ୍ତି ଚିଠି। ଏହି ଚିଠିରେ ସେ ତିତ୍‌ଲି ପାଇଁ କ୍ଷତିପୂରଣ ମାଗିଛନ୍ତି। ପ୍ରଥମ ପର୍ଯ୍ୟାୟରେ ହଜାରେ କୋଟି ଟଙ୍କା ଦେବାକୁ ନବୀନ ମୋଦିଙ୍କୁ ଚିଠିରେ ଦର୍ଶାଇଛନ୍ତି।

ପ୍ରାଥମିକ ପର୍ଯ୍ୟାୟରେ ରାଜ୍ୟରେ ମୋଟ ୨୭୭୦.୨୮ କୋଟି ଟଙ୍କାର କ୍ଷତି ହୋଇଥିବା ସରକାର ଆକଳନ କରିଛନ୍ତି। ଏନ୍‌ଡିଆର୍‌ଏଫ୍ ଫଣ୍ଡରୁ ୨୦୧୪.୦୯ କୋଟି ଟଙ୍କା ଦାବି କରିଛନ୍ତି ନବୀନ। ଏହାସହ ମଧ୍ୟବର୍ତ୍ତିକାଳୀନ ସହାୟତା ପାଇଁ ୧୦୦୦ କୋଟି ଟଙ୍କା ମାଗିଛନ୍ତି ମୁଖ୍ୟମନ୍ତ୍ରୀ।

ବାତ୍ୟାରେ ୫୭, ୧୩୧ଟି ଘର ଭାଙ୍ଗିଛି। ଏଥିପାଇଁ ସ୍ୱତନ୍ତ୍ର ଅନୁଦାନ ଦାବି କରିଛନ୍ତି ନବୀନ। ଭାଙ୍ଗିଥିବା ଘରକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରିବାକୁ ମୁଖ୍ୟମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି।

ଗଞ୍ଜାମ ଏବଂ ଗଜପତି ଜିଲ୍ଲାରେ ରାସ୍ତା ଅଧିକ କ୍ଷତିଗ୍ରସ୍ତ ହୋଇଛି। ଏସବୁ ମରାମତି ପାଇଁ ତୁରନ୍ତ ଟଙ୍କା ଦେବାକୁ ମୁଖ୍ୟମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି।

ତିତ୍‌ଲି ପ୍ରଭାବରେ ରାଜ୍ୟରେ ୫୭ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୧୦ ଜଣ ନିଖୋଜ ଅଛନ୍ତି। ୧୭ଟି ଜିଲ୍ଲାରେ ୬୦.୧୧ ଲକ୍ଷ ଲୋକ ପ୍ରଭାବିତ ହୋଇଥିବା ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରିଛନ୍ତି ନବୀନ।

ଏପଟେ ଗଜପତି ଜିଲ୍ଲାର କଇଁପୁର ଗସ୍ତ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି। ତିତ୍‌ଲି ପ୍ରଭାବିତ ଲୋକଙ୍କ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଜଣାଇବେ ବୋଲି ଧର୍ମେନ୍ଦ୍ର କହିଛନ୍ତି।

Comment