ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗଞ୍ଜାମ ଓ ଯାଜପୁର ଜିଲ୍ଲାରେ ବ୍ୟାପକ ଚଢ଼ାଉ। ଜୁଆଖେଳରେ ସମ୍ପୃକ୍ତ ଥିବା ୫୦୦ରୁ ଅଧିକ ଲୋକଙ୍କୁ ପୋଲିସ ଗିରଫ କରିଛି। ବିଭିନ୍ନ ସ୍ଥାନରେ ଚଢ଼ାଉ କରିବା ସହିତ ଜୁଆ ଖେଳାଳିଙ୍କଠାରୁ ବିପୁଳ ପରିମାଣର ଅର୍ଥ ମଧ୍ୟ ଜବତ କରାଯାଇଛି। ଖବର ଅନୁଯାୟୀ ଏହି ଦୁଇ ଜିଲ୍ଲାରେ କୁମାର ପୂର୍ଣ୍ଣମୀ ଅବସରରେ ବ୍ୟାପକ ଜୁଆଖେଳ ଚାଲିଥିବା ଖବରପାଇ ପୋଲିସ ପକ୍ଷରୁ ଚଢ଼ାଉ କରାଯାଇଥିଲା।

ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ଜୁଆ ଖେଳାଳିଙ୍କ ଠାରୁ ୬ ଲକ୍ଷ ଟଙ୍କା ଜବତ ହୋଇଥିବା ବିଷୟ ପୋଲିସ ପକ୍ଷରୁ କୁହାଯାଇଛି।

ସେହିଭଳି ଯାଜପୁର ଜିଲ୍ଲାରେ ମଧ୍ୟ ଜୁଆ ଖେଳାଳିଙ୍କୁ ପୋଲିସ ଧରିଛି। ଯାଜପୁର ଭରତପୁର ଅଞ୍ଚଳରେ ଜୁଆ ଖେଳ ଚାଲିଥିବା ବେଳେ ପୋଲିସ ପହଞ୍ଚି ତିନୋଟି ବାଇକ, ୬ଟି ମୋବାଇଲ ଓ ନଗଦ ୫୩୨୫ ଟଙ୍କା ଜବତ କରିଛି।

ବାଲିଚନ୍ଦ୍ରପୁର ଥାନା ଅଧିକାରୀ ରାକେଶ ତ୍ରିପାଠୀ କହିଛନ୍ତି, “ମଙ୍ଗଳବାର ରାତିରେ ଜୁଆ ଖେଳୁଥିବା ବେଳେ ୧୧ ଜଣ ଧରା ପଡ଼ିଛନ୍ତି।”

ସାଧାରଣତଃ କୁମାର ପୂର୍ଣ୍ଣମୀ ଓ ଲକ୍ଷ୍ମୀ ପୂଜା ଦିନଠାରୁ ବିଭିନ୍ନ ସ୍ଥାନରେ ଜୁଆ ଖେଳ ହୁଏ। ବିଶେଷକରି ଗଞ୍ଜାମ ଜିଲ୍ଲାରେ ଦୀର୍ଘ ଦିନ ଧରି ଏହା ଚାଲେ। ଓଡ଼ିଶାରେ କୁମାର ପୂର୍ଣ୍ଣିମା ଉତ୍ସବର ଏକ ଅଂଶ ବିଶେଷ ଭାବରେ ଜୁଆ ଖେଳକୁ ଧରାଯାଏ। କିନ୍ତୁ ଖୋଲାଖୋଲି ଭାବେ ଜୁଆ ଖେଳିବା ଆଇନ ଅନୁସାରେ ଏକ ଦଣ୍ଡନୀୟ ଅପରାଧ।

Comment