ଓଡ଼ିଶାଲାଇଭ୍‌ ବ୍ୟୁରୋ

ଝାରସୁଗୁଡ଼ା ଏୟାରପୋର୍ଟକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି।

ଝାରସୁଗୁଡ଼ା ଏୟାରପୋର୍ଟରୁ ଏୟାର ଓଡ଼ିଶା କମ୍ପାନି ବିମାନ ଉଡ଼ାଣ ବନ୍ଦ ରଖିଛି। ଫଳରେ ଯାତ୍ରୀମାନେ ହନ୍ତସନ୍ତ ହେଉଛନ୍ତି। କୌଣସି ସଠିକ୍ କାରଣ ନଦର୍ଶାଇ ଏୟାର ଓଡ଼ିଶା ବିମାନ ଉଡ଼ାଣ ବନ୍ଦ ରଖିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି।

ଯାତ୍ରୀଙ୍କ ସୁବିଧା ପାଇଁ ଝାରସୁଗୁଡ଼ା ବିମାନବନ୍ଦରରୁ ତୁରନ୍ତ ଯେକୌଣସି ସଂସ୍ଥାର ବିମାନ ଉଡ଼ାଣ କରିବାକୁ ମୁଖ୍ୟମନ୍ତ୍ରୀ ଚିଠିରେ ଦର୍ଶାଇଛନ୍ତି। ଗତ ଅକ୍ଟୋବର ୬ ତାରିଖରୁ ଏୟାର ଓଡ଼ିଶା ବିମାନ ଉଡ଼ାଣ ବନ୍ଦ କରିଛି।

ମୁଖ୍ୟମନ୍ତ୍ରୀ ତାଙ୍କ ଚିଠିରେ ଝାରସୁଗୁଡ଼ା ବିମାନବନ୍ଦରର ନାଁ ବୀର ସୁରେନ୍ଦ୍ର ସାଏଙ୍କ ନାଁରେ ନାମିତ କରିବାକୁ ପୁଣି ଦୋହରାଇଛନ୍ତି। ସେ ଲେଖିଛନ୍ତି ଯେ ବୀର ସୁରେନ୍ଦ୍ର ସାଏଙ୍କ ନାଁରେ ଝାରସୁଗୁଡ଼ା ବିମାନବନ୍ଦରର ନାଁ ନାମିତ କରିବାକୁ କଥା ହୋଇଥିଲା। କିନ୍ତୁ ଏବେ ଯାଏଁ କେନ୍ଦ୍ର ପକ୍ଷରୁ କୌଣସି ବିଜ୍ଞପ୍ତି ପ୍ରକାଶ ପାଇଲା ନାହିଁ। ଏଣୁ ତୁରନ୍ତ ଏଥିପାଇଁ ବିଜ୍ଞପ୍ତି ପ୍ରକାଶ କରାଯାଉ।

ଗତ ସେପ୍ଟେମ୍ବର ୨୨ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଝାରସୁଗୁଡ଼ା ଏୟାରପୋର୍ଟ ଲୋକାର୍ପଣ କରିଥିଲେ। ଏହି ବିମାନବନ୍ଦରର ନାଁ ବୀର ସୁରେନ୍ଦ୍ର ସାଏଙ୍କ ନାଁରେ ନାମିତ କରାଯିବ ବୋଲି ମୋଦି ପ୍ରତିଶ୍ରୁତି ଦେଇଥିଲେ। ଏହାସହ ଉଡ଼ାଣ ଯୋଜନାରେ ଏହି ବିମାନବନ୍ଦରରୁ ଏୟାର ଓଡ଼ିଶା କମ୍ପାନି ବିମାନ ଚଳାଚଳ ଆରମ୍ଭ କରିଥିଲା।

କିନ୍ତୁ ଗତ ୨୪ ଦିନ ହେଲା ବିମାନ ଚଳାଚଳ ବନ୍ଦ ରହିଛି। ଏହାର ପ୍ରତିବାଦରେ ଝାରସୁଗୁଡ଼ା ବିଧାୟକ ନବ କିଶୋର ଦାସ ବିମାନବନ୍ଦରର ସମ୍ମୁଖରେ ଧାରଣା ଦେଇଥିଲେ। ବରିଷ୍ଠ ନାଗରିକମାନେ ମଧ୍ୟ ଏହାର ପ୍ରତିବାଦ କରିଥିଲେ।

ବିଧାୟକ ଶ୍ରୀ ଦାସ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ବିମାନ ଉଡ଼ାଣ ବନ୍ଦ ସମ୍ପର୍କରେ ଅବଗତ କରିଥିଲେ। ତୁରନ୍ତ ଝାରସୁଗୁଡ଼ା ଏୟାରପୋର୍ଟରୁ ବିମାନ ଉଡ଼ାଣ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରିଥିଲେ ସେ।

Comment