ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶାର ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେବାରେ କେନ୍ଦ୍ର ସରକାର ବିଫଳ ହୋଇଛନ୍ତି। ୨୦୧୪ ନିର୍ବାଚନ ବେଳେ ନରେନ୍ଦ୍ର ମୋଦି ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା ସେ ରକ୍ଷା କରି ନାହାନ୍ତି। ଏହାର ପ୍ରତିବାଦରେ ସୋମବାର ଦକ୍ଷିଣାଞ୍ଚଳ ଆରଡିସି ଜୋନରେ ଥିବା ରାଷ୍ଟ୍ରାୟତ ଉଦ୍ୟୋଗ ଅଫିସ ଘେରିଛି ବିଜେଡି।

ଯୁବ ଓ ଛାତ୍ର ବିଜେଡି କର୍ମୀ ବିଭିନ୍ନ ରାଷ୍ଟ୍ରାୟତ ଉଦ୍ୟୋଗ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

ଦିନ ୧୦ଟାରୁ ୧୨ ପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଳା ଅନ୍ତର୍ଗତ ଛତ୍ରପୁରସ୍ଥିତ ଭାରତୀୟ ବିରଳ ମୃର୍ତ୍ତିକା କେନ୍ଦ୍ର, ଜଗନ୍ନାଥପୁରସ୍ଥିତ ଏଫ୍‍ସିଆଇ କାର୍ଯ୍ୟାଳୟ ଓ କେରାପୁଟ ଜିଲ୍ଲାରେ ଥିବା ନାଲ୍‍କୋ ଏବଂ ହାଲ୍‍ କାର୍ଯ୍ୟାଳୟ ସମ୍ମୁଖରେ ଶହ ଶହ ବିଜୁ ଯୁବ-ଛାତ୍ର ଜନତା ଦଳର ସଭ୍ୟ, ବିଧାୟକ, ସାଂସଦ ଧାରଣା ଦେଇଥିଲେ।

ବିଜେଡି ଅଭିଯୋଗ କରିଛି ଯେ ଓଡ଼ିଶାରେ ୩୦ରୁ ଅଧିକ କେନ୍ଦ୍ରୀୟ ପିଏସ୍‍ୟୁ ସଂସ୍ଥା ରହିଛି। ହେଲେ ଏଠାରେ ଓଡ଼ିଆ ଯୁବକଯୁବତୀଙ୍କୁ ନିଯୁକ୍ତି ମିଳୁନାହିଁ। ୨୦୧୭-୧୮ ଆର୍ଥିକ ବର୍ଷରେ ଆଇଓସିଏଲ୍‍, ବିପିସିଏଲ୍‍ ଓ ଏଚ୍‍ପିସିଏଲ୍‍ ପ୍ରଚୁର ଲାଭ କରିଥିଲା ବେଳେ ଓଡ଼ିଆ ଯୁବକ ଯୁବତୀଙ୍କୁ ନିଯୁକ୍ତି ଦିଆ ନଯିବା କେନ୍ଦ୍ର ସରକାରଙ୍କ ଯୁବଶକ୍ତି ବିରୋଧୀ ଆଭିମୁଖ୍ୟକୁ ସ୍ପଷ୍ଟ ସୂଚାଇ ଦେଉଛି।

କୋରାପୁଟ ଜିଲ୍ଲାରେ ହୋଇଥିବା ବିକ୍ଷୋଭ ଏବଂ ଧାରଣାରେ ବିଜେଡି ଜିଲ୍ଲା ସଭାପତି ଈଶ୍ୱର ପାଣିଗ୍ରାହୀ, ବିଧାୟକ ପ୍ରଫୁଲ୍ଲ ପାଙ୍ଗୀ, ପୂର୍ବତନ ବିଧାୟକ ରଘୁରାମ ପାଡାଲ, ରବି ନାରାୟଣ ନନ୍ଦ, ବିଧାୟକ ପ୍ରାର୍ଥୀ ରଘୁରାମ ମାଛ, ଯୁବ ବିଜେଡି ଜିଲ୍ଲା ସଭାପତି ଅମିତ ଅଗ୍ରୱାଲ, ଛାତ୍ର ବିଜେଡିର ଜିଲ୍ଲା ସଭାପତି ଶିବରାଜ ଖଣ୍ଡପାଣି, ସଭ୍ୟ ସୁବ୍ରତ ବାଗ, ମହେଶ ସାମନ୍ତରାୟ ସାମିଲ ହୋଇଥିଲେ।

ଗଞ୍ଜାମ ଜିଲ୍ଲାରେ ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀ, ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ପ୍ରିୟଂଶୁ ପ୍ରଧାନ, ଜିଲ୍ଲା ଯୁବ ବିଜେଡି ସଭାପତି ଧନଞ୍ଜୟ ରାଓ, ଜୋନ୍‍ ସଭାପତି ଧନଞ୍ଜୟ ରେଡ୍ଡି, ଜିଲ୍ଲା  ଛାତ୍ର ବିଜେଡି ସଭାପତି ପ୍ରଶାନ୍ତ କୁମାର ପଣ୍ଡା ପ୍ରମୁଖ ସାମିଲ ହୋଇଥିଲେ।

Comment