ଓଡ଼ିଶାଲାଇଭ୍ ବ୍ୟୁରୋ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଛାତ୍ରଛାତ୍ରୀମାନଙ୍କୁ ସଚିବାଳୟରେ ଓଡ଼ିଆ ଭାଷାବୃତ୍ତି ଓ ମୁଖ୍ୟମନ୍ତ୍ରୀ ମେଧାବୃତ୍ତି ପ୍ରଦାନ କରିଛନ୍ତି। ଏହାସହ ଯୁକ୍ତ ଦୁଇ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ଲାପ୍‌ଟପ୍ ପ୍ରଦାନ କରିଛନ୍ତି।

ଏହାସହ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ସ୍କୁଲକୁ ପୁରସ୍କାର ଦିଆଯିବା ସହିତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଅଭିଭାବକମାନଙ୍କୁ ସମ୍ମାନିତ କରିଛନ୍ତି। ଭିଡିଓ କନଫରେନ୍ସିଂ ଜରିଆରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

“ଶିଶୁ ଦିବସରେ ମୁଁ ଦେଇଥିବା ଆହ୍ୱାନକୁ ପିଲାମାନେ ଗ୍ରହଣ କରିଛନ୍ତି। ସମସ୍ତଙ୍କୁ ଅଭିନନ୍ଦନ। ଛାତ୍ରଛାତ୍ରୀମାନେ ଦୃଢ଼ମନା ହୋଇ ଆଗକୁ ବଢ଼ନ୍ତୁ। ମୁଁ ଛାତ୍ରଛାତ୍ରୀମାନଙ୍କ ସହ ସବୁବେଳେ ଅଛି”, କହିଛନ୍ତି ମୁଖ୍ୟମନ୍ତ୍ରୀ।

ଗତବର୍ଷ ଶିଶୁ ଦିବସରେ ‘ମୋ ସ୍କୁଲ’ କାର୍ଯ୍ୟକ୍ରମ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମେଧାବୃତ୍ତି, ଓଡ଼ିଆ ଭାଷା ବୃତ୍ତି, ମାଟ୍ରିକ ପରୀକ୍ଷାରେ ଭଲ ରେଜଲ୍ଟ କରିଥିବା ସ୍କୁଲ ଏବଂ ଶିକ୍ଷକଙ୍କୁ ପୁରସ୍କାର, ଅଭିଭାବକମାନଙ୍କ ପାଇଁ ପୁରସ୍କାର ଘୋଷଣା କରାଯାଇଥିଲା।

ଓଡ଼ିଆ ଭାଷାରେ ଭଲ ପ୍ରଦର୍ଶନ କରିଥିବା ରାଜ୍ୟର ୩୫୪୯ ଛାତ୍ରଛାତ୍ରୀଙ୍କୁ ଓଡ଼ିଆ ଭାଷାବୃତ୍ତି ପ୍ରଦାନ କରାଯାଇଛି। ପ୍ରତ୍ୟେକ ଛାତ୍ରଙ୍କୁ ୫ ହଜାର ଟଙ୍କା ଲେଖାଏଁ ଦିଆଯିବ। ସେହିପରି ମାଟ୍ରିକ ପରୀକ୍ଷାରେ ଭଲ ପ୍ରଦର୍ଶନ କରିଥିବା ୩୫, ୪୯୦ ଛାତ୍ରଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ମେଧାବୃତ୍ତି ପ୍ରଦାନ କରାଯାଇଛି। ଏଥିରେ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ୫ ହଜାର ଟଙ୍କା ଲେଖାଏଁ ଦିଆଯାଇଛି।

ମାଟ୍ରିକ ପରୀକ୍ଷାରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ୧୦୬୧ଟି ସ୍କୁଲକୁ ୧ ଲକ୍ଷ ଟଙ୍କା ଲେଖାଏଁ ଦିଆଯିବ। ଯୁକ୍ତ ଦୁଇରେ ଭଲ ପ୍ରଦର୍ଶନ କରିଥିବା ୧୫ ହଜାର ଛାତ୍ରଛାତ୍ରୀଙ୍କୁ ଲାପ୍‌ଟପ୍ ଦିଆଯାଇଛି।

ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ପ୍ରଦୀପ ମହାରଥୀ, ବଦ୍ରିନାରାୟଣ ପାତ୍ର, ଅନନ୍ତ ଦାସ, ଚନ୍ଦ୍ରସାରଥୀ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

Comment