ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭବାନୀପାଟଣାରେ ନିର୍ମାଣ ହେବ ନୂଆ ମେଡିକାଲ କଲେଜ। ରାଜ୍ୟ କ୍ୟାବିନେଟରେ ଶୁକ୍ରବାର ଏନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଥିପାଇଁ ୨୨୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଭବାନୀପାଟଣାରେ ମେଡିକାଲ କଲେଜ ନିର୍ମାଣ ହେଲେ ଆଖପାଖ ଅଞ୍ଚଳର ଲୋକେ ଉପକୃତ ହେବେ। ଲୋକଙ୍କୁ ଉନ୍ନତମାନର ସ୍ୱାସ୍ଥ୍ୟସେବା ମିଳିପାରିବ।

ଏହାସହ ମହାନଦୀ ଭଳି ରାଜ୍ୟର ଅନ୍ୟ ପ୍ରମୁଖ ୩ଟି ନଦୀ ପାର୍ଶ୍ୱରେ ବୁକ୍ଷରୋପଣ କରିବା ପାଇଁ କ୍ୟାବିନେଟରେ ନିଷ୍ପତ୍ତି ହୋଇଛି। ବ୍ରାହ୍ମଣୀ, ଋକିକୂଲ୍ୟା, ବୈତରଣୀ ନଦୀ କଡ଼ରେ ବୃକ୍ଷରୋପଣ କରାଯିବ। ଏଥିପାଇଁ ୪୪୫ କୋଟି ଟଙ୍କା ମଞ୍ଜୁର କରାଯାଇଛି।

ବୃକ୍ଷରୋପଣ ପାଇଁ ଜିଲ୍ଲା ସ୍ତରରେ ମିଶନ ଗ୍ରୀନ କମିଟି ଗଠନ କରାଯିବ। ଏହି କମିଟିରେ ଜିଲ୍ଲାପାଳ ମୁଖ୍ୟ ରହିବେ।

ସେହିପରି କଟକ ଶିଶୁଭବନରେ ନୂଆ କୋଠା ନିର୍ମାଣ ପ୍ରସ୍ତାବରେ କ୍ୟାବିନେଟ ମୋହର ବାଜିଛି। ଏଥିପାଇଁ ୧୧୭ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଏହାସହ ସବୁ ପୌରାଞ୍ଚଳରେ ଏଲଇଡି ଲାଇଟ ଲାଗିବା ପାଇଁ ନିଷ୍ପତ୍ତି ହୋଇଛି। ଏଥିପାଇଁ ୨୫୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ସବୁ ପୌରାଞ୍ଚଳରୁ ମାନୁଆଲ ଲାଇଟ ହଟାଇବା ପାଇଁ ନିଷ୍ପତ୍ତି ହୋଇଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଏବଂ ଅନ୍ୟ ସଚିବମାନେ ଉପସ୍ଥିତ ଥିଲେ।

Comment