ଓଡ଼ିଶାଲାଇଭ୍‌ ବ୍ୟୁରୋ

ଶାନ୍ତିଲତା ବାରିକ ଛୋଟରାୟ କଲଚରାଲ ଟ୍ରଷ୍ଟ ଆନୁକୂଲ୍ୟରେ ଚାଲିଥିବା ‘ହେ ଚକାନୟନ’ କାର୍ଯ୍ୟକ୍ରମର ସିଧାପ୍ରସାରଣ ଓଡ଼ିଶାଲାଇଭରେ।

ଭୁବନେଶ୍ୱରସ୍ଥିତ ଜୟଦେବ ଭବନ ପ୍ରେକ୍ଷାଳୟରେ ଶାନ୍ତିଲତା ବାରିକ ଛୋଟରାୟ କଲଚରାଲ ଟ୍ରଷ୍ଟ ଆନୁକୂଲ୍ୟରେ ଚାଲିଛି ମନୋଜ୍ଞ ଭକ୍ତି ସଙ୍ଗୀତ ଆସର ‘ହେ ଚକାନୟନ’। ଏହି କାର୍ଯ୍ୟକ୍ରମକୁ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଉଦଘାଟନ କରିଛନ୍ତି।

“ଜଗନ୍ନାଥଙ୍କ ସଂସ୍କୃତି ଓ ପରମ୍ପରା ଅନନ୍ୟ। ଜଗନ୍ନାଥଙ୍କ ଆଶୀର୍ବାଦ ପାଇ ଓଡ଼ିଶାର ପ୍ରତ୍ୟେକଟି ସ୍ଥାନ ପବିତ୍ର ହୋଇଯାଇଛି। ମହାପ୍ରଭୁ ଜଗନ୍ନାଥଙ୍କ ଲୀଳା ଖେଳା ଦେଖିବା ପାଇଁ ଦେଶ ବିଦେଶରୁ ଭକ୍ତମାନେ ଛୁଟି ଆସନ୍ତି ଏବଂ ତାଙ୍କ ଭାବ ରସରେ ଭିଜନ୍ତି। ଜଗନ୍ନାଥ ସାରା ବିଶ୍ୱକୁ ଆଗକୁ ଯିବା ପାଇଁ ବାଟ ଦେଖାଇଥାନ୍ତି”, କହିଛନ୍ତି ରାଜ୍ୟପାଳ।

ଏହି ଅବସରରେ ବିଶିଷ୍ଠ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ଛୋଟରାୟ, କଣ୍ଠଶିଳ୍ପୀ ତଥା ସଙ୍ଗୀତ ନିର୍ଦ୍ଦେଶକ ପ୍ରଶାନ୍ତ ପାଢ଼ୀ, ଶରଣ୍ୟା ମିଶ୍ର, ସିଦ୍ଧିସ୍ନା ବିନ୍ଧାଣୀଙ୍କୁ ରାଜ୍ୟପାଳ ସମ୍ବର୍ଦ୍ଧିତ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ କିସ୍‌ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେଶର ହରେକୃଷ୍ଣ ଶତପଥୀ,  ଶାନ୍ତିଲତା ବାରିକ ଛୋଟରାୟ କଲଚରାଲ ଟ୍ରଷ୍ଟର ଅଧ୍ୟକ୍ଷ ବ୍ରଜ କିଶୋର ଦାଶ, ଉପାଧ୍ୟକ୍ଷ ବସନ୍ତ କୁମାର ଛୋଟରାୟ ପ୍ରମୁଖ ଉପସ୍ଥିତ ଥିଲେ।

ଏହି କାର୍ଯ୍ୟକ୍ରମରେ ଡିଜିଟାଲ ମିଡିଆ ପାର୍ଟନର ଓଡ଼ିଶାଲାଇଭ୍ ଦେଶ ତଥା ଦେଶ ବାହାରେ ରହୁଥିବା ଜଗନ୍ନାଥ ପ୍ରେମୀଙ୍କ ପାଖରେ ଏହି କାର୍ଯ୍ୟକ୍ରମକୁ ପହଞ୍ଚାଇବା ପାଇଁ ନିଜର ପ୍ରୟାସ ଜାରି ରଖିଛି। ଓଡ଼ିଶାଲାଇଭ୍‌ ୟୁ ଟ୍ୟୁବ୍‌ ଚ୍ୟାନେଲ (www.youtube.com/odishalive) ଓ ନ୍ୟୁଜ୍‌ ପୋର୍ଟାଲ (www.odisha.live)ରେ ‘ହେ ଚକାନୟନ’ କାର୍ଯ୍ୟକ୍ରମର ଲାଇଭ୍‌ ଷ୍ଟ୍ରିମିଂ ଚାଲିଛି।

ଜଗନ୍ନାଥମୟ ହୋଇଯାଇଛି ଭୁବନେଶ୍ୱରର ଜୟଦେବ ଭବନ ପ୍ରେକ୍ଷାଳୟ। ଏକ ଭକ୍ତି ଭାବମୟର ନିଆରା ପରିବେଶ ସୃଷ୍ଟି ହୋଇଛି ଶୁକ୍ରବାର ସନ୍ଧ୍ୟାରେ।

ଶାନ୍ତିଲତା ବାରିକ ଛୋଟରାୟଙ୍କ କଣ୍ଠରୁ ଆରମ୍ଭ ହୋଇଛି ‘ହେ ଚକାନୟନ’ କାର୍ଯ୍ୟକ୍ରମ। ଏହାସହ ବହୁ ବିଶିଷ୍ଟ କଣ୍ଠଶିଳ୍ପୀ ମଧ୍ୟ ଏହି କାର୍ଯ୍ୟକ୍ରମରେ ସଙ୍ଗୀତ ପରିବେଷଣ କରୁଛନ୍ତି।

କଣ୍ଠଶିଳ୍ପୀ ବିଜୟ କୁମାର ଜେନା, ଅମରେନ୍ଦ୍ର ମହାନ୍ତି, ଇପ୍‌ସିତା ପଣ୍ଡା, ମନ୍ମଥ ମିଶ୍ର, ପ୍ରଶାନ୍ତ କୁମାର ପାଢ଼ୀ, ଦେବୀପ୍ରଭା ପ୍ରମୁଖ ଶାନ୍ତିଲତା ଗାଇଥିବା ବହୁ ଲୋକପ୍ରିୟ ଭଜନ ପରିବେଷଣ କରୁଛନ୍ତି।

ଦୀର୍ଘ ଚାରି ଦଶକରୁ ଅଧିକ ସମୟ ଧରି ନିଜର ସୁଲଳିତ କଣ୍ଠର ଯାଦୁରେ ଶ୍ରୋତାମାନଙ୍କୁ ବାନ୍ଧି ରଖି ପାରିଥିବା ସୁଗାୟିକା ହେଲେ ଶାନ୍ତିଲତା ବାରିକ ଛୋଟରାୟ। କେବଳ ଓଡ଼ିଶାରେ ନୁହେଁ, ବରଂ ଭାରତ ଓ ଦେଶ ବାହାରର ଶ୍ରୋତାମାନଙ୍କୁ ସେ ନିଜର ସୁଲଳିତ କଣ୍ଠର ଯାଦୁରେ ବିମୁଗ୍ଧ କରିଛନ୍ତି।

Comment