ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଶିଳ୍ପପତିଙ୍କୁ ଧନ୍ୟବାଦ ଦେଲେ ନବୀନ
  • ନବୀନ କହିଲେ, “ସଫଳ ହୋଇଛି ମେକ୍ ଇନ୍ ଓଡ଼ିଶା – ୨୦୧୮”
  • ଓଡ଼ିଶାରେ ୫ ଲକ୍ଷ ୯୧ ହଜାର କର୍ମନିଯୁକ୍ତି ସୃଷ୍ଟି ହେବ
  • ୨୦୨୦ରେ ମେକ୍ ଇନ ଓଡ଼ିଶା କନକ୍ଲେଭର ତୃତୀୟ ସଂସ୍କରଣ

ମେକ୍ ଇନ୍ ଓଡ଼ିଶା କନକ୍ଲେଭର ଦ୍ୱିତୀୟ ସଂସ୍କରଣରେ ଓଡ଼ିଶାର ଶିଳ୍ପାୟନକୁ ଆଗକୁ ନେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ଦେଶର ପ୍ରତିଷ୍ଠିତ ଶିଳ୍ପପତି। ଗତ ସୋମବାର ଏବଂ ମଙ୍ଗଳବାର ଦୁଇଦିନ ଧରି ଚାଲିଥିବା ବିଭିନ୍ନ ଅଧିବେଶନରେ ଓଡ଼ିଶାକୁ ଆଗକୁ ନେବା ପାଇଁ ଆଗେଇ ଆସିଛନ୍ତି ଶିଳ୍ପପତି।

ପ୍ରମୁଖ ଶିଳ୍ପପତିମାନେ ଓଡ଼ିଶାରେ ୪ ଲକ୍ଷ ୧୯ ହଜାର ୫୭୪ କୋଟି ଟଙ୍କାର ପୁଞ୍ଜି ନିବେଶ କରିବାକୁ ପ୍ରତିଶ୍ରୁତି ଦେଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୂଚନା ଦେଇଛନ୍ତି।

“ଓଡ଼ିଶାର ବିକାଶକୁ ଆଗକୁ ନେବା ପାଇଁ ଦେଶର ପ୍ରମୁଖ ଶିଳ୍ପପତିମାନେ ପ୍ରତିଶ୍ରୁତି ଦେଇଛନ୍ତି। ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ଯୋଗଦେଇ ଥିବାରୁ ମୁଁ ସେମାନଙ୍କୁ ଧନ୍ୟବାଦ ଜଣାଉଛି। ଓଡ଼ିଶାର ବିଭିନ୍ନ ସେକ୍ଟରରେ ଶିଳ୍ପପତିମାନେ ମୋଟ ୪ ଲକ୍ଷ ୧୯ ହଜାର ୫୭୪ କୋଟି ଟଙ୍କାର ପୁଞ୍ଜି ନିବେଶ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଏହାଦ୍ୱାରା ରାଜ୍ୟରେ ୫ ଲକ୍ଷ ୯୧ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ”, କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଗତ ୧୧ ତାରିଖରୁ ଭୁବନେଶ୍ୱର ଜନତା ମଇଦାନରେ ଶୁଭାରମ୍ଭ ହୋଇଥିଲା ମେକ୍ ଇନ୍ ଓଡ଼ିଶା କନକ୍ଲେଭ – ୨୦୧୮। ଏହି କନକ୍ଲେଭରେ ଯଦିଓ ୧୫ ତାରିଖ ଯାଏଁ ଚାଲିବ, ତେବେ ମଙ୍ଗଳବାର ସନ୍ଧ୍ୟାରେ ବିଧିବଦ୍ଧ ଭାବେ ଏହା ଉଦ୍‌ଯାପିତ ହୋଇଛି। ଏହି ଉଦଯାପନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ଯୋଗଦେଇ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ମେକ୍ ଇନ୍ ଓଡ଼ିଶା କନକ୍ଲେଭର ତୃତୀୟ ସଂସ୍କରଣ ସମ୍ପର୍କରେ ସୂଚନା ଦେଇଛନ୍ତି।

“ମେକ୍ ଇନ୍ ଓଡ଼ିଶାର ଦ୍ୱିତୀୟ ସଂସ୍କରଣ ସଫଳ ହେବା ପରେ ୨୦୨୦ରେ ତୃତୀୟ ସଂସ୍କରଣ ହେବ। ନଭେମ୍ବର ୩୦ରୁ ଡିସେମ୍ବର ୪ ଯାଏଁ ମେକ୍ ଇନ୍ ଓଡ଼ିଶାର ତୃତୀୟ ସଂସ୍କରଣ ଆୟୋଜନ କରାଯିବ”, କହିଛନ୍ତି ମୁଖ୍ୟମନ୍ତ୍ରୀ।

ଦେଶ ବିଦେଶର ବିଭିନ୍ନ ଶିଳ୍ପ ସଂସ୍ଥାର ୫,୦୭୪ ପ୍ରତିନିଧି ଯୋଗ ଦେଇଥିଲେ। ବର୍ତ୍ତମାନସୁଦ୍ଧା ୩୧ ହଜାର ୮୦୬ ଜଣ ଇଣ୍ଡଷ୍ଟ୍ରି ଏକ୍ସପୋ ପରିଦର୍ଶନ କରିଛନ୍ତି। ଏହି କନକ୍ଲେଭରେ ଜାପାନ କଣ୍ଟ୍ରି ପାର୍ଟନର୍ ରହିଥିଲା।

“ଓଡ଼ିଶାର ଶିଳ୍ପାୟନ ଇତିହାସରେ ମେକ୍ ଇନ୍ ଓଡ଼ିଶା – ୨୦୧୮ ସ୍ମରଣୀୟ ହୋଇ ରହିବ। ସାର, ରସାୟନ, ଖାଦ୍ୟପ୍ରକ୍ରିୟାକରଣ, ପର୍ଯ୍ୟଟନ, ପେଟ୍ରୋକେମିକାଲ୍‌ସ ଆଦି ଟେତ୍ରରେ ନିଯୁକ୍ତି ସୁଯୋଗ ସଅଷ୍ଟି ହେବାର ସମ୍ଭାବନା ରହିଛି”, କହିଛନ୍ତି ମୁଖ୍ୟମନ୍ତ୍ରୀ।

ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ୨୭୫୦ କୋଟି

ଓଡ଼ିଶାରେ ସ୍ୱାସ୍ଥ୍ୟସେବା କ୍ଷେତ୍ରକୁ ଅଧିକ ମଜଭୁତ କରିବା ପାଇଁ ମଙ୍ଗଳବାର ଦିନ ୨, ୭୫୦ କୋଟି ଟଙ୍କାର ପୁଞ୍ଜି ନିବେଶ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ବିଭିନ୍ନ କମ୍ପାନି। ସହଭାଗିତା ଭିତ୍ତିରେ ଓଡ଼ିଶାର ସ୍ୱାସ୍ଥ୍ୟସେବାକୁ ଆଗକୁ ନେବା ପାଇଁ ବିଭିନ୍ନ କମ୍ପାନି ଆଗେଇ ଆସିଛନ୍ତି।

ଡିଜିଟାଲ ଡିସ୍‌ପେନସାରୀ ପାଇଁ ୯୦ କୋଟି ଟଙ୍କା, ଡାୟାଗ୍ନୋଷ୍ଟିକ ଏବଂ ଡାୟାଲେସିସସ୍ ସେବା ପାଇଁ ୭୦୦ କୋଟି ଟଙ୍କା ବିନିଯୋଗ କରାଯିବ।

ଏହାସହ ଭୁବନେଶ୍ୱରରେ ଟାଟା ମେମୋରିଆଲ ଟ୍ରଷ୍ଟ ସହଯୋଗରେ ଅତ୍ୟାଧୁନିକ କ୍ୟାନସର ହସ୍ପିଟାଲ ନିର୍ମାଣ ହେବାକୁ ଯାଉଛି। ଏଥିରେ ୬୦୦ କୋଟି ଟଙ୍କା ବିନିଯୋଗ କରାଯିବ। କେୟାର ହସ୍ପିଟାଲ ସହଯୋଗରେ ଝାରସୁଗୁଡ଼ାରେ ଏକ ହୃଦ ଚିକିତ୍ସାକେନ୍ଦ୍ର ପ୍ରତିଷ୍ଠା କରିବା ପାଇଁ ପ୍ରସ୍ତାବ ଆସିଛି। ଏଥିରେ ୭୦୦ କୋଟି ଟଙ୍କା ବିନିଯୋଗ କରାଯିବ।

ଏହାସହ ରାଜ୍ୟର ବିଭିନ୍ନ ସ୍ଥାନରେ ଆଉ ୨୫ଟି ନୂଆ ହସ୍ପିଟାଲ ଖୋଲିବା ପାଇଁ କନକ୍ଲେଭରେ ଆଲୋଚନା ହୋଇଛି।

କପଡ଼ା ଶିଳ୍ପରେ ୨୦୦ କୋଟି

ଓଡ଼ିଶାରେ ଟେକ୍ସଟାଇଲ ଶିଳ୍ପକୁ ଆଗକୁ ନେବା ପାଇଁ ବିଭିନ୍ନ କମ୍ପାନି ୨୦୦ କୋଟି ଟଙ୍କାର ପୁଞ୍ଜି ନିବେଶ କରିବାକୁ ରାଜି ହୋଇଛନ୍ତି। ସାହି ଏକ୍ସକୋର୍ଟ ଆଗାମୀ ବର୍ଷରେ ୧୫୦ କୋଟି ଟଙ୍କା ନିବେଶ କରିବାକୁ ପ୍ରତିଶ୍ରୁତି ଦେଇଛି। ବିଗତ ଦିନରେ ଏହି ସଂସ୍ଥା ଓଡ଼ିଶାରେ ୫୦ କୋଟି ଟଙ୍କା ବିନିଯୋଗ କରିଥିବା ଜଣାପଡ଼ିଛି। ଏହାସହ ଆଉ କିଛି ସଂସ୍ଥା ମଧ୍ୟ ପୁଞ୍ଜି ବିନିଯୋଗ କରିବା ପାଇଁ ପ୍ରତିଶ୍ରୁତି ଦେଇଥିବା ବୟନ ଶିଳ୍ପ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ କହିଛନ୍ତି।

ସେହିପରି ଷ୍ଟିଚିଂ ୟୁନିଟରେ ଆଦିତ୍ୟ ବିର୍ଲା ଫ୍ୟାଶନ ୬୬ କୋଟି ଏବଂ ୱାଇଲ୍‌ଡ ଲୋଟସ୍ ଫ୍ୟାଶନ ୧୨୦ କୋଟି ବିନିଯୋଗ କରିବା ପାଇଁ ପ୍ରତିଶ୍ରୁତି ଦେଇଛି।

ଏମ୍‌ଏସ୍‌ଏମ୍‌ଇ ସେକ୍ଟର ପାଇଁ ୧, ୧୭୭ କୋଟି

ଓଡ଼ିଶାରେ ଅଣୁ, କ୍ଷୁଦ୍ର ଏବଂ ମଧ୍ୟ ଶିଳ୍ପ କ୍ଷେତ୍ରକୁ ସମୃଦ୍ଧ କରିବା ପାଇଁ ବିଭିନ୍ନ କମ୍ପାନି ଆଗକୁ ଆସିଛନ୍ତି। ମେକ୍ ଇନ ଓଡ଼ିଶା ପରିପ୍ରେକ୍ଷୀରେ ଏହି ସେକ୍ଟରରେ ୧, ୧୭୭ କୋଟିର ପୁଞ୍ଜି ନିବେଶ କରିବାକୁ ବିଭିନ୍ନ କମ୍ପାନି ପ୍ରତିଶ୍ରୁତି ଦେଇଛନ୍ତି। ଏମ୍‌ଏସ୍‌ଏମ୍‌ଇ ସେକ୍ଟର ସୁଦୃଢ଼ ହୋଇପାରିଲେ ଓଡ଼ିଶାରେ ଯୁବକ ଯୁବତୀମାନେ ରୋଜଗାରକ୍ଷମ ହୋଇପାରିବେ ବୋଲି ସରକାର ଆଶା ରଖିଛନ୍ତି। ଗୁଜରାଟର ପ୍ରତିଷ୍ଠିତ ଓଡ଼ିଆ ବ୍ୟବସାୟୀ କେବଳ ୮୦୦ କୋଟି ବିନିଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ଡାଲମିଆ ଖଟାଇବ ୨୫୦୦ କୋଟି

ଓଡ଼ିଶାରେ ନୂଆ ସିମେଣ୍ଟ କାରଖାନା ସ୍ଥାପନ ପାଇଁ ଡାଲମିଆ ସିମେଣ୍ଟ ଲିମିଟେଡ ପ୍ରତିଶ୍ରୁତି ଦେଇଛି। ଏହି ନୂଆ ପ୍ଲାଣ୍ଟ ପାଇଁ କମ୍ପାନି ଓଡ଼ିଶାରେ ୨୫୦୦ କୋଟି ଟଙ୍କା ବିନିଯୋଗ କରିବ ବୋଲି ଘୋଷଣା କରିଛି। କଟକ ଏବଂ ରାଜଗାଙ୍ଗପୁରରେ ନୂଆ କାରଖାନା ସ୍ଥାପନ କରିବାକୁ କମ୍ପାନି କର୍ତ୍ତୃପକ୍ଷ ମେକ୍ ଇନ୍ ଓଡ଼ିଶା କନକ୍ଲେଭ ଅବସରରେ ଘୋଷଣା କରିଛନ୍ତି।

ଡାଉନଷ୍ଟ୍ରିମ ଶିଳ୍ପରେ ପୁଞ୍ଜି ଖଟାଇବ ହିଣ୍ଡାଲ୍‌କୋ

ମେଟାଲ କ୍ଷେତ୍ରରେ ଡାଉନଷ୍ଟ୍ରିମ ଶିଳ୍ପରେ ହିଣ୍ଡାଲ୍‌କୋ ୬୦୦୦ କୋଟି ଟଙ୍କାର ପୁଞ୍ଜି ନିବେଶ କରିବାକୁ ପ୍ରତିଶ୍ରୁତି ଦେଇଛି। ଆଗାମୀ ୪ ବର୍ଷ ଭିତରେ ଏହି ପୁଞ୍ଜି ନିବେଶ କରାଯିବ ବୋଲି କମ୍ପାନିର ପରିଚାଳନା ନିର୍ଦ୍ଦେଶକ ସତୀଶ ପାଇ ସୂଚନା ଦେଇଛନ୍ତି।

୫ଟି ଏମ୍‌ଓୟୁ ସ୍ୱାକ୍ଷର କଲା ଦକ୍ଷତା ବିକାଶ ପ୍ରାଧିକରଣ

ଯୁବକ ଯୁବତୀମାନଙ୍କୁ ନିଯୁକ୍ତି ଏବଂ ଟ୍ରେନିଂ ଦେବା ପାଇଁ ଏଫ୍‌ଆଇସିସିଆଇ ଏବଂ ଓଏସ୍‌ଡିଏ ମଧ୍ୟରେ ଚୁକ୍ତି ସ୍ୱାକ୍ଷର ହୋଇଥିଲା। ଆଇଟିଆଇ ଛାତ୍ରଛାତ୍ରୀମାନଙ୍କୁ ଟ୍ରେନିଂ ସହାୟତା ଯୋଗାଇ ଦେବା ପାଇଁ ବେଙ୍ଗାଳୁରୁର ସ୍ନେଇଡର ଇଲେକ୍ଟ୍ରିକ ଫାଉଣ୍ଡେସନ ସହ ଚୁକ୍ତି ସ୍ୱାକ୍ଷର ହୋଇଛି।

ଛାତ୍ରଛାତ୍ରୀମାନଙ୍କୁ ଅଗ୍ରଣୀ ଶିକ୍ଷାନୁଷ୍ଠାନମାନଙ୍କରେ ଡିପ୍ଲୋମା, ଆଇଟିଆଇରେ ଟ୍ରେନିଂ ସହାୟତା ଦେବା ପାଇଁ ଦିଲ୍ଲୀର ଇଏଏସ୍ କନସଲଟାଣ୍ଟ ସହ ଏମ୍‌ଓୟୁ ସ୍ୱାକ୍ଷର ହୋଇଛି।

ଦେଶର ଖ୍ୟାତନାମା ଶିକ୍ଷାନୁଷ୍ଠାନରେ ଡିପ୍ଲୋମା ଶିକ୍ଷା ଏବଂ ଟ୍ରେନିଂ ଦେବା ପାଇଁ ଟେକ ମହିନ୍ଦ୍ରା ଲିମିଟେଡ୍‌ ସହ ଏମ୍‌ଓୟୁ ସ୍ୱାକ୍ଷର କରାଯାଇଛି। ଏହାସହ ଇଲେକ୍ଟ୍ରୋନିକ୍ସ, ଆଇଟି ଏବଂ ମାନୁଫାକ୍ଚରିଂ କ୍ଷେତ୍ରରେ ଅଗ୍ରଣୀ ଅନୁଷ୍ଠାନ ଏମ୍ପ୍ଲଏବିଲିଟି ବ୍ରିଜ, ସରଦଫୋର୍ଦ ଟେକ୍ନୋଲୋଜି ପ୍ରାଇଭେଟ ଲିମିଟେଡ ସହ ଏମ୍‌ଓୟୁ ସ୍ୱାକ୍ଷର ହୋଇଛି।

ଏପଟେ ରିଲାଏନ୍ସ ୩ ହଜାର କୋଟି, ସେଲ୍‌ ୪, ୧୦୦୦ କୋଟି, ଜେଏସ୍‌ପିଏଲ୍ ୫, ୫୦୦୦ କୋଟି, ଆଦିତ୍ୟ ବିର୍ଲା ୧୪, ୫୦୦ କୋଟି, ଟାଟା ୨୫୦୦୦ କୋଟି, ବେଦାନ୍ତ ୬୦୦୦ କୋଟି, ଆଇଟିସି ୫୫୦ କୋଟି, ଆଦାନି ୫୦୦ କୋଟି, ବ୍ରିଟାନିଆ ୬୦ କୋଟି ଟଙ୍କାର ନିବେଶ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ମଙ୍ଗଳବାର ସନ୍ଧ୍ୟାରେ ଆମେରିକାର ପ୍ରସିଦ୍ଧ ଫ୍ୟାଶନ ଡିଜାଇନର ଓଡ଼ିଆ ପୁଅ ବିଭୂ ପ୍ରସାଦ ମହାପାତ୍ର ଟକ୍‌ ସୋ ରଖିଥିଲେ। ରାଉରକେଲାରୁ ଆମେରିକା ତାଙ୍କର ଯାତ୍ରା କିପରି ଥିଲା ଏବଂ ସେ କିପରି ସଂଘର୍ଷ କରି ସଫଳତା ହାସଲ କରିଛନ୍ତି ସେ ସମ୍ପର୍କରେ ଆଲୋଚନା କରିଥିଲେ।

Comment