ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ସୋମବାର ଦିନ ଜଷ୍ଟିସ ଶତ୍ରୁଘ୍ନ ପୂଜାରୀ ଓ ଜଷ୍ଟିସ ଅକ୍ଷୟ କୁମାର ମିଶ୍ର ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଶପଥ ନେଇଛନ୍ତି। ଏ ଦୁଇ ଜଣଙ୍କ ଦାୟିତ୍ୱ ଗ୍ରହଣ କରିବା ପରେ ଓଡ଼ିଶା ହାଇକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୧୪ରେ ପହଞ୍ଚିଛି।

ଉଲ୍ଲେଖଯୋଗ୍ୟ ଯେ, ଜଷ୍ଟିସ ଇନ୍ଦ୍ରଜିତ ମହାନ୍ତି ଓ ଜଷ୍ଟିସ ସୁଜିତ ନାରାୟଣ ପ୍ରସାଦଙ୍କର ଯଥାକ୍ରମେ ବମ୍ବେ ହାଇକୋର୍ଟ ଓ ଝାଡ଼ଖଣ୍ଡ ହାଇକୋର୍ଟକୁ ବଦଳି ହେବା ପରେ ଓଡ଼ିଶା ହାଇକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୧୨କୁ ଖସି ଯାଇଥିଲା। ସୋମବାର ଶପଥ ଗ୍ରହଣ ପରେ ଜଜଙ୍କ ସଂଖ୍ୟା ୧୪ ହୋଇଥିଲେ ହେଁ ଆହୁରି ପାଖାପାଖି ଅଧା ବିଚାରପତିଙ୍କ ସ୍ଥାନ ଖାଲି ପଡ଼ିଛି। ସୂଚନାଯୋଗ୍ୟ ଯେ ଓଡ଼ିଶା ହାଇକୋର୍ଟର ସ୍ଥାୟୀ ବିଚାରପତିଙ୍କ ସଂଖ୍ୟା ବା ସାଙ୍କସନ ଷ୍ଟ୍ରେନ୍ଥ ହେଉଛି ୨୮।

ଓଡ଼ିଶା ସମେତ ସମଗ୍ର ଦେଶରେ ବିଭିନ୍ନ ହାଇକୋର୍ଟରେ ବିଚାରପତି ପଦବୀ ଖାଲି ପଡ଼ିବା ଫଳରେ ହଜାର ହଜାର ସଂଖ୍ୟକ ମାମଲା ବିଚାର ନ ହୋଇ ପଡ଼ିଛି। ଏହି ସମସ୍ୟା ଆଜି କାଲିର ନୁହେଁ। ଦୀର୍ଘ ବର୍ଷ ଧରି ଏହା ଲାଗି ରହିଛି। ସୂତ୍ର ଅନୁସାରେ, ଓଡ଼ିଶା ହାଇକୋର୍ଟରେ ପ୍ରତି ସପ୍ତାହରେ ଯେତିକି ମାମଲା ଫଇସଲା ହେଉଛି ତା’ ଠାରୁ ଅଧିକ ସଂଖ୍ୟକ ନୂଆ କେସ ଆସିବା ଫଳରେ ବିଚାରାଧୀନ ମାମଲା ଯେମିତିକି ସେମିତି ରହୁଛି।

ଚଳିତ ମାସ ୧୫ ତାରିଖ ସୁଦ୍ଧା ଓଡ଼ିଶା ହାଇକୋର୍ଟରେ ବିଚାର ନ ହୋଇ ପଡ଼ିଥିବା ମାମଲା ସଂଖ୍ୟା ପ୍ରାୟ ଏକ ଲକ୍ଷ ସତୁରି ହଜାର। ତା’ ଛଡ଼ା ଓକିଲମାନେ ବିଭିନ୍ନ ସମୟରେ  ଛୋଟ ଛୋଟ କାରଣରୁ ଧର୍ମଘଟ ଡାକରା ଦେଉଛନ୍ତି ଯାହା ଫଳରେ ମାମଲା ଗୁଡ଼ିକ ବିଚାର ହୋଇପାରୁନାହିଁ। ନିକଟରେ ଦୀର୍ଘ ଦୁଇ ମାସ କାଳ ଆଇନଜୀବୀମାନେ ଧର୍ମଘଟ କରିବା ଫଳରେ ଜନସାଧାରଣଙ୍କୁ ଅକଥନୀୟ ଦୁର୍ଦ୍ଦଶା ଭୋଗିବାକୁ ପଡ଼ିଥିଲା।

Comment