ଓଡ଼ିଶାଲାଇଭ୍‌ ବ୍ୟୁରୋ

Konark Festival - 2018

ଓଡ଼ିଶୀରେ କୋଣାର୍କ ମହାତ୍ମ୍ୟ ଏବଂ ଭାରତନାଟ୍ୟମରେ ଦେବୀ ମହାତ୍ମ୍ୟକୁ ନିଖୁଣ ଭାବେ ଉପସ୍ଥାପିତ କଲେ ନୃତ୍ୟଶିଳ୍ପୀ।

କୋଣାର୍କ ମୁକ୍ତାକାଶ ରଙ୍ଗ ମଞ୍ଚରେ ଆରମ୍ଭ ହୋଇଛି କୋଣାର୍କ ଉତ୍ସବ – ୨୦୧୮। ଏହି ଉତ୍ସବକୁ ଉଦଘାଟନ କରିଥିଲେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା। ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ, ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ଏବଂ ଓଡ଼ିଶା ସଂଗୀତ ନାଟକ ଏକାଡେମୀର ମିଳିତ ସହଯୋଗରେ ଏହି ଉତ୍ସବ ଆୟୋଜନ କରାଯାଇଛି।

ଉଦଘାଟନୀ ଉତ୍ସବରେ ଓଡ଼ିଶୀ ଏବଂ ଭାରନାଟ୍ୟମ ନୃତ୍ୟରେ ଦର୍ଶକ ବିଭୋର ହୋଇଛନ୍ତି।

Culture Minister Inaugurates Konark Festival

“ପ୍ରତି ବର୍ଷ ପରି ଚଳିତ ବର୍ଷ କୋଣାର୍କ ମୁକ୍ତାକାଶ ରଙ୍ଗମଞ୍ଚରେ ଆରମ୍ଭ ହୋଇଛି କୋଣାର୍କ ଉତ୍ସବ। ଏହି ଉତ୍ସବକୁ ଦେଖିବା ପାଇଁ ଦର୍ଶକଙ୍କ ମନରେ ପ୍ରବଳ ଆଗ୍ରହ ରହିଛି। ଚଳିତ ବର୍ଷ ହକି ବିଶ୍ଵକପ୍ ଆୟୋଜନ ହୋଇଥିବାରୁ ବହୁ ସଂଖ୍ୟାରେ ବିଦେଶୀ ପର୍ଯ୍ୟଟକ ଓଡ଼ିଶା ଆସିଛନ୍ତି। କୋଣାର୍କ ଉତ୍ସବ ସେମାନଙ୍କୁ ନିଶ୍ଚିତ ଭାବେ ଆନନ୍ଦ ଦେବ”, କହିଛନ୍ତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା।

ମୁକ୍ତାକାଶ ରଙ୍ଗମଞ୍ଚରେ ଭୁବନେଶ୍ୱର ନୃତ୍ୟାୟନ ଅନୁଷ୍ଠାନର ପ୍ରଥମ ପ୍ରସ୍ତୁତିରେ ରହିଥିଲା ଜଗତଗୁରୁ ଶଙ୍କରାଚାର୍ଯ୍ୟ ବିରଚିତ ନିର୍ବାଣ ଅଷ୍ଟକମ୍ ଆଧାରିତ ଶିବୋହଂ ଶିବୋହଂ। ପରେ ବିରବାଣୀ ପଲ୍ଲବୀର ଶୁଦ୍ଧନୃତ୍ୟ ଓ ସୂର୍ଯ୍ୟ ପୁରାଣ ଆଧାରିତ କୃଷ୍ଣ ତନୟ ଶାମ୍ବଙ୍କୁ ଅଭିଶାପ ଓ ସୂର୍ଯ୍ୟ ଉପାସନାକୁ ନେଇ ଶାପ ମୁକ୍ତି ପ୍ରସଙ୍ଗକୁ ଅତି ନିଖୁଣ ଭାବେ ପରିବେଷଣ କରିଥିଲେ ନୃତ୍ୟାୟନ ଅନୁଷ୍ଠାନର ଶିଳ୍ପୀଗଣ।

Konark Festival

“କୋଣାର୍କ ଉତ୍ସବ ମଞ୍ଚରେ ନୃତ୍ୟ ପରିବେଷଣ କରିବା ପାଇଁ ସବୁ ଶିଳ୍ପୀଙ୍କର ଆଗ୍ରହ ରହିଥାଏ। ସମସ୍ତେ ସ୍ୱପ୍ନ ଦେଖିଥାନ୍ତି ଏହି ମଞ୍ଚରେ ନିଜର ପ୍ରତିଭା ପ୍ରଦର୍ଶନ ପାଇଁ। ଏହି ମଞ୍ଚରେ ମତେ ସୁଯୋଗ ମିଳିଛି। ଏହା ହେଉଛି ମୋ’ ପାଇଁ ବଡ଼ କଥା”, କହିଛନ୍ତି ନୃତ୍ୟଶିଳ୍ପୀ ଦୁର୍ଗା ଚରଣ ରଣବୀର।

ଦ୍ୱିତୀୟ ଚରଣରେ ରମା ବୈଦ୍ୟନଥନ୍ ଭାରତନାଟ୍ୟମ୍ ନୃତ୍ୟକୁ  ଉପସ୍ଥାପନ କରିଥିଲେ। ଏହାର ପ୍ରଥମ ପ୍ରସ୍ତୁତିରେ ଥିଲା ଦେବୀ ସ୍ତୁତି। ଦେବୀ ବନ୍ଦନାର ସୁନ୍ଦର ଚିତ୍ରକୁ ପ୍ରକାଶ କରିଥିଲେ ଶିଳ୍ପୀଗଣ।

ଉଦଘାଟନୀ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶ, କାକଟପୁର ବିଧାୟକ ସୁରେନ୍ଦ୍ର ସେଠୀ, ବ୍ରହ୍ମଗିରି ବିଧାୟକ ସଞ୍ଜୟଦାସ ବର୍ମା, ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ନାଥ ନାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜ୍ୟୋତିର୍ମୟ ଦଳେଇ, ସଂସ୍କୃତି ସଂରକ୍ଷକ ଆର ବାଲକ୍ରିଷ୍ଣନ, ସଂସ୍କୃତି ସଚିବ ମନୋରଞ୍ଜନ ପାଣିଗ୍ରାହୀ, ପର୍ଯ୍ୟଟନ ନିର୍ଦ୍ଦେଶକ ଅର୍ଚ୍ଚନା ପଟ୍ଟନାୟକ, ଉପ ନିର୍ଦ୍ଦେଶକ ଉତ୍ପଳ ପତି, ପୁରୀ ଜିଲ୍ଲାପାଳ ଜ୍ୟୋତି ପ୍ରକାଶ ଦାସ, ଅତିରିକ୍ତ ଜିଲ୍ଲାପାଳ ବିନୟ କୁମାର ଦାସ, ଓଡ଼ିଶା ସଂଗୀତ ନାଟକ ଏକାଡେମୀ ସଚିବ ଡକ୍ଟର ବିଜୟ କୁମାର ଜେନା, ଡକ୍ଟର ସଂଗୀତା ଗୋସାଇଁ ଉପସ୍ଥିତ ଥିଲେ।

ମଞ୍ଚ ସଂଯୋଜନା କରିଥିଲେ ଡକ୍ଟର ମୃତ୍ୟୁଞ୍ଜୟ ରଥ ଓ ଡକ୍ଟର ସାଧନା ଶ୍ରୀବାସ୍ତବ। ଡିସେମ୍ବର ୫ ଯାଏଁ ଚାଲିବ କୋଣାର୍କ ଉତ୍ସବ। ପ୍ରତି ସନ୍ଧ୍ୟାରେ ପ୍ରତିଷ୍ଠିତ କଳାକାର ନୃତ୍ୟ ପରିବେଷଣ କରିବେ।

Comment